ଶ୍ରାବଣ ତୃତୀୟ ସୋମବାର :ଲିଙ୍ଗରାଜ ମନ୍ଦିରରେ ଅସମ୍ଭାଳ ଭିଡ଼

ଅନ୍ୟ ଶୈବପୀଠରେ ପାଣି ଢାଳିଲେ, ଟିକେଟ୍‌ ହେରଫେର୍‌ ଅଭିଯୋଗ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରାବଣର ତୃତୀୟ ସୋମବାରରେ ପ୍ରାୟ ୧୫ହଜାର କାଉଡ଼ିଆ ଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ଗତରାତିରୁ ହଜାର ହଜାର କାଉଡ଼ିଆମାନେ ମନ୍ଦିର ଚତୁଃପାର୍ଶ୍ବରେ ଡେରା ପକାଇଥିବାରୁ ସକାଳ ବେଳକୁ ସେଠାରେ ପ୍ରବଳ ଗହଳି ହୋଇଥିଲା। ଏଣେ ମଧ୍ୟାହ୍ନ ୧୨ଟାରେ ସାହାଣମେଲା ଦର୍ଶନ ବନ୍ଦ ହୋଇଯିବାରୁ ଏହା ପରଠାରୁ ଜଳଲାଗି ବନ୍ଦ ହୋଇଯାଇଥିଲା। ତେଣୁ ଧାଡ଼ିରେ ଅପେକ୍ଷା କରିଥିବା ବହୁ କାଉଡ଼ିଆ ହତାଶ ହୋଇଥିଲେ ଓ ବାଧ୍ୟ ହୋଇ ନିକଟସ୍ଥ ଅନ୍ୟ ଶିବମନ୍ଦିର ଯାଇ ପାଣି ଢାଳିଥିଲେ।

କିନ୍ତୁ ବିସ୍ମୟର କଥା, ଏତେ ସଂଖ୍ୟାରେ କାଉଡ଼ିଆ ଆସିଥିଲେ ବି ମନ୍ଦିର ପ୍ରଶାସନ ପକ୍ଷରୁ ମାତ୍ର ୫୭୨୫ ଟିକେଟ୍‌ କଟାଯାଇଥିବା ଜଣାପଡ଼ିଛି। ତେଣୁ କାଉଡ଼ିଆଙ୍କଠାରୁ ସଂଗୃହୀତ ହେଉଥିବା ଫି’କୁ ବାଟମାରଣା କରାଯାଉଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ନକଲି ଟିକେଟ୍‌ ବହିରେ କାଉଡ଼ିଆଙ୍କଠାରୁ ଫି’ ଆଦାୟ କରି ମନ୍ଦିର ପ୍ରଶାସନର କିଛି ଅସାଧୁ କର୍ମଚାରୀ ଅର୍ଥ ତୋଷରପାତ କରୁଛନ୍ତି ବୋଲି ଅଭିଯୋଗ କରି ସେବାୟତମା‌ନେ ତଦନ୍ତ ଦାବି କରିଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଭୋର୍‌ ପ୍ରାୟ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ପୁଲିସ ଧାଡ଼ି କରି କାଉଡ଼ିଆମାନଙ୍କୁ ପାଣି ଢାଳିବାକୁ ଛାଡ଼ିଥିଲେ। ଆଜି ଏତେ ଭିଡ଼ ହୋଇଥିଲା ଯେ ଧାଡ଼ି ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ମନ୍ଦିର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଆଜି ବହୁ ଛୋଟ ପିଲା ଓ ମହିଳା କାଉଡ଼ିଆମାନେ ପାଣିଭାର କାନ୍ଧରେ ଧରି ଧାଡ଼ିରେ ଠିଆ ହୋଇଥିଲେ। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିଥିଲା ଓ କାଉଡ଼ିଆମାନେ ଜଳଲାଗି କରିଥିଲେ।

ତେବେ ୧୨ଟାରେ ସାହାଣମେଲା ଦର୍ଶନ ବନ୍ଦ ହୋଇଗଲା। ସେତେବେଳକୁ ଆହୁରି ଶହଶହ ସଂଖ୍ୟା‌ରେ କାଉଡ଼ିଆମାନେ ଧାଡ଼ିରେ ଅପେକ୍ଷା କରିଥିଲେ। ସକାଳୁ ପ୍ରବଳ ଗୁଳୁଗୁଳିରେ ସେମାନେ ଧାଡ଼ିରେ ଠିଆ ହୋଇଥିବା ବେଳେ ମଧ୍ୟାହ୍ନରେ ବର୍ଷାରେ ଭିଜିଥିଲେ। ମାତ୍ର ସାହାଣମେଲା ବନ୍ଦ ହୋଇଯିବାରୁ ସେମାନେ ନିକଟସ୍ଥ ରାମେଶ୍ବର, ମେଘେଶ୍ବର, କପିଳେଶ୍ବର, ନାଗେଶ୍ବର, ତୀର୍ଥେଶ୍ବର ଆଦି ଶିବ ମନ୍ଦିରକୁ ଯାଇ ପାଣି ଢାଳିଥିଲେ।

ଏଣେ କାଉଡ଼ିଆଙ୍କ ସଂଖ୍ୟାକୁ ନେଇ ମନ୍ଦିର ପ୍ରଶାସନର କିଛି ଅସାଧୁ କର୍ମଚାରୀ ହେରଫେର୍‌ କରୁଥିବା ଅଭିଯୋଗ ହୋଇଛି। ଆଜି ପାଖାପାଖି ୧୫ହଜାର କାଉଡ଼ିଆ ଆସିଥିବା ବେଳେ ମାତ୍ର ୫୭୨୫ ଜଣ ଜଳ ଲାଗି କରିଥିବା ଟିକେଟ୍‌ କଟାରୁ ଜଣାପଡ଼ିଛି। ଅବଶ୍ୟ ମଧ୍ୟାହ୍ନ ୧୨ଟାରେ ସାହାଣମେଲା ଦର୍ଶନ ବନ୍ଦ ହେବାରୁ କିଛି କାଉଡ଼ିଆ ଅନ୍ୟ ମନ୍ଦିରକୁ ଚାଲି ଯାଇଥିଲେ।

କିନ୍ତୁ ସେତେବେଳକୁ ପାଖାପାଖି ୧୦ ହଜାର କାଉଡ଼ିଆ ପାଣି ଢାଳିଥିବା ଅନୁମାନ କରାଯାଉଛି। କାଉଡ଼ିଆଙ୍କ ପିଛା ୧୦ଟଙ୍କା ଆଦାୟ ହେଉଥିବା ବେଳେ ବହୁ ଅର୍ଥ ବାଟମାରଣା ହେଉଛି ବୋଲି ଅଭିଯୋଗ ହୋଇଛି। ସେହିପରି ଗତ ପାଳିରେ ୨୦ହଜାରରୁ ଊର୍ଧ୍ବ କାଉଡ଼ିଆଙ୍କ ଭିଡ଼ ଜମିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମାତ୍ର ୫୭୨୩ ଟିକେଟ୍‌ କଟାଯାଇଥିଲା। ଏହାକୁ ନେଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଏହାକୁ ନେଇ ବଡ଼ଧରଣର ଗଣ୍ଡଗୋଳ ହୋଇପାରେ ବୋଲି କିଛି ବରିଷ୍ଠ ସେବାୟତ ସତର୍କ କରାଇଛନ୍ତି।

ସମ୍ବନ୍ଧିତ ଖବର