ଆସୁଛି ଶ୍ରାବଣ: କାଉଡ଼ିଆଙ୍କ ରାସ୍ତାରେ କଣ୍ଟା ସାଜିଛି କରୋନା

ପୁରୁଣା ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶ୍ରାବଣ ଆସିବ। କିନ୍ତୁ ନିଜକୁ ପ୍ରସ୍ତୁତ କରିପାରୁନାହାନ୍ତି କାଉଡ଼ିଆ। ମହାମାରୀ କରୋନା ସେମାନଙ୍କ ପ୍ରସ୍ତୁତି ରାସ୍ତାରେ କଣ୍ଟା ସାଜିଛି। ଲକ୍‌ଡାଉନ୍‌ ଅବଧି ବଢ଼ିବ କି ପୂରା ଉଠିବ, ସ୍ପଷ୍ଟ ହୋଇନଥିବାରୁ ବୋଲ୍‌ବମ୍‌ ଭକ୍ତମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଦିନକୁ ଦିନ ରାଜ୍ୟରେ ଓ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲକ୍‌ଡାଉନ୍‌ ଅବଧି ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ଚଳିତ ବର୍ଷ ବୋଲବମ୍‌ ଭକ୍ତମାନଙ୍କ ମାନସିକ ପୂରଣ ହୋଇପାରିବ ନାହିଁ ବୋଲି ବହୁ ଭକ୍ତ ବ୍ୟଥିତ ହୋଇ ପଡ଼ିଛନ୍ତି।

ପ୍ରକାଶ ଥାଉକି ଜୁଲାଇ ୬ ତାରିଖରୁ ଶ୍ରାବଣ ମାସ ଆରମ୍ଭ। ପୁଣି ସେହି ଦିନ ସୋମବାର ପଡ଼ୁଥିବାରୁ ବୋଲବମ୍‌ର ପ୍ରଥମ ପାଳି। କିନ୍ତୁ ବୋଲବମ୍‌ ଭକ୍ତମାନଙ୍କୁ ବା‌ଟ ଓଗାଳିଛି କରୋନା କଟକଣା। କାରଣ ଚଳିତ ବର୍ଷ କରୋନା ଭୟ ଯୋଗୁଁ ଶ୍ରୀଲିଙ୍ଗରାଜ ମହାଦେବଙ୍କ ରୁକୁଣା ରଥ ଗଡ଼ିଲା ନାହିଁ। ବିନ୍ଦୁସାଗରରେ ଚନ୍ଦନ ଯାତ୍ରା ମଧ୍ୟ ହୋଇପାରିଲା ନାହିଁ। ଏପରିକି ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମନ୍ଦିର ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ତେଣୁ ଲକ୍‌ଡାଉନ୍‌ ନ ଉଠିଲେ, ଭୋଳାବାବାଙ୍କ ମୁଣ୍ଡରେ ଶ୍ରାବଣୀ ପାଣି ଢ଼ାଳିବାକୁ ବୋଲବମ୍‌ ଭକ୍ତମାନଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଜଳଜଳ ହୋଇ ଦେଖାଯାଉଛି। କାରଣ ପୁରୁଣା ଭୁବନେଶ୍ବର ଅଞ୍ଚଳର ସମସ୍ତ ଶୈବପୀଠକୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଆସୁଥିବାରୁ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିର ପରି ଅନେକ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟେ। ପୂର୍ବ ରେକର୍ଡ ଅନୁସାରେ, ଶ୍ରାବଣ ପ୍ରଥମ ସୋମବାର ପାଳିରେ ୨୦ ହଜାରରୁ ୫୦ ହଜାର ମଧ୍ୟ‌ରେ ବୋଲବମ୍ ଭକ୍ତ ଆସିଥାନ୍ତି। ତେଣୁ ସ୍ବାଭାବିକ ଭାବେ ଭିଡ଼ ହୁଏ। ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ କୌଣସି ଧାର୍ମିକ ଅନୁଷ୍ଠାନ ହୋଇପାରିବ ନାହିଁ। ଏଣୁ ରୁକୁଣା ରଥଯାତ୍ରା ଓ ଚନ୍ଦନ ଯାତ୍ରା ପରି ପ୍ରାଚୀନ ପରମ୍ପରା ବନ୍ଦ ହୋଇଗଲା।

ପୂର୍ବରୁ ବୋଲବମ୍‌ ଭକ୍ତମାନେ ପାଣି ଭାର ପାଇଁ ବୋଲବମ୍‌ ସାମଗ୍ରୀ, ଭୋଗ ଓ କୋରାଖଇ କିଣାକିଣି କରନ୍ତି। ବ୍ୟବସାୟୀମାନଙ୍କର ଭଲ ବିକ୍ରି ହୁଏ। ଲକ୍‌ଡାଉନ୍‌ ଯୋଗୁଁ ଚଳିତ ବର୍ଷ ବେପାର ନାହିଁ ବୋଲି ବ୍ୟବସାୟୀମାନଙ୍କଠାରୁ ସୂଚନା ମିଳିଛି। ସେବାୟତ କମଳାକାନ୍ତ ବଡ଼ୁଙ୍କ କହିବା କଥା, କରୋନା ଯୋଗୁଁ ମନ୍ଦିର ଖୋଲିବାକୁ ଅନୁମତି ମିଳି ନାହିଁ। ତେଣୁ ବୋଲବମ୍‌ ପାଇଁ ଅନୁମତି କଥା କିଏ କହିବ! ସବୁ କିଛି ଲକ୍‌ଡାଉନ୍‌ ଅବଧି ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ସେହିଭଳି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ ଓ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ମଧ୍ୟ ଅନୁରୂପ ମତ ରଖିଛନ୍ତି। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କାଉଡ଼ିଆମାନେ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ବାଧ୍ୟ ହେବେ ବୋଲି ସେମାନେ ପରୋକ୍ଷରେ ସୂଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର