ଏକାମ୍ର କ୍ଷେତ୍ରରେ ୨୦ ହଜାର ଭକ୍ତଙ୍କ ଜଳଲାଗି

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଶ୍ରାବଣ ମାସର ତୃତୀୟ ସୋମବାର। ଆଜି ଏକାମ୍ର କ୍ଷେତ୍ରରେ ପ୍ରାୟ ୨୦ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ କାଉଡ଼ିଆ ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରିଛନ୍ତି। ସେଥିରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ୧୦ହଜାରରୁ ଊର୍ଧ୍ବ କାଉଡ଼ିଆ ଆସିଥିବା ବେଳେ ୭ହଜାର ସାଧାରଣ ଭକ୍ତ ଜଳଲାଗି କରିଥିଲେ। ସେହିପରି ଅନ୍ୟାନ୍ୟ ଶିବ ମନ୍ଦିରରେ ୩ହଜାରରୁ ଊର୍ଧ୍ବ ଭକ୍ତ ଜଳଲାଗି କରିଛନ୍ତି। ଗତକାଲି ସେମାନେ ମନ୍ଦିର ନିକଟରେ, ବିନ୍ଦୁସାଗର କୂଳ ଓ କେଦାରଗୌରୀ ମନ୍ଦିର ଆଦି ସ୍ଥାନରେ ମନ୍ଦିର ଖୋଲିବାକୁ ଅପେକ୍ଷା କରିଥିଲେ। ଗତକାଲି ସନ୍ଧ୍ୟାରୁ ବହୁ କାଉଡ଼ିଆ ବାହୁଙ୍ଗିକୁ ଷ୍ଟାଣ୍ଡ୍‌ରେ ରଖି ଧାଡ଼ି ବାନ୍ଧି ଠିଆ ହୋଇଥିଲେ। କାଉଡ଼ିଆଙ୍କ ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ଶିବିର ଖୋଲା ଯାଇଥିବା ବେଳେ ମନ୍ଦିର ସିଂହଦ୍ବାରକୁ ଫୁଲରେ ସଜ୍ଜା ଯାଇଥିଲା। ଭକ୍ତମାନେ କିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ଭାବେ ଜଳଲାଗି କରିବେ ସେ ନେଇ ପୁଲିସ ସଜାଗ ରହିଥିଲା। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆ ମାନେ ମନ୍ଦିର ଭିତରକୁ ଶୃଙ୍ଖଳିତ ଭାବେ ଯାଇଥିଲେ। ମନ୍ଦିର ଭିତରେ ଓ ବାହାରେ ଥିବା ବ୍ୟାରିକେଡେ୍‌ରେ ଭକ୍ତମାନେ ଧାଡ଼ି କରି ପ୍ରବେଶ କରିଥିଲେ।

ବ୍ଲେଡ୍‌ରେ କଟିଲା କାଉଡ଼ିଆଙ୍କ ପାଦ:
କିଛି କାଉଡିଆ ମନ୍ଦିରକୁ ଶିକା କାଟିବାକୁ ନୂଆ ‌ବ୍ଲେଡ୍‌ ଆଣିଥିବା ବେଳେ ଏହାକୁ ମନ୍ଦିର ପରିସରରେ ପକାଇଥିଲେ। ଏହାକୁ ମାଡ଼ି ଦୁଇ କାଉଡ଼ିଆଙ୍କ ପାଦ କଟି ଯାଇଥିଲା। ସେମାନଙ୍କୁ ସ୍ବେଚ୍ଛାସେବୀମାନେ ନିକଟସ୍ଥ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବିଭିନ୍ନ ଶିବ ମନ୍ଦିରରେ ଭିଡ଼:
ଆଜି ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ଏକାମ୍ର କ୍ଷେତ୍ରରେ ଡାକରା ବିଭିଷଣେଶ୍ୱର, ତିର୍ଥେଶ୍ୱର, କପିଳେଶ୍ୱର, ଗୋସାଗରେଶ୍ୱର, ରାମେଶ୍ୱର, କେଦାରେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର ଆଦି ବିଭିନ୍ନ ଶିବ ମନ୍ଦିରରେ ଜଳଲାଗି କରିଥିଲେ।

ମନ୍ଦିର ସଫେଇ:
ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଜଳଲାଗି ପରେ ମନ୍ଦିରରେ ପଡ଼ିଥିବା ମାଟି କଳସ, ପତ୍ର, ଫୁଲ, ବାହୁଙ୍ଗି, ଶିକା ଓ ବିଭିନ୍ନ ଅନାବନା ଜିନିଷକୁ ସେଚ୍ଛାସେବୀମାନେ ସଫେଇ କରିଥିଲେ। ସେବା ପ୍ରତିନିଧି, ମିସିଂ ଫାଉଣ୍ଡେସନ୍‌, ପ୍ରଦୀପ ସେବା ଟ୍ରଷ୍ଟ, ମାଇଣ୍ଡ୍‌ ଏମ୍ପାୱାର ଫାଉଣ୍ଡେସନ୍‌, ଧଉଳି ଚାରୁକଳା ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀ, ଆଶ୍ରା ଓ ବହୁ ସେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ବ୍ଲେଡ୍‌ ନ ଫୋପାଡ଼ିବାକୁ ସେମାନେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର