ଭୁବନେଶ୍ବର: ମୁହାଁମୁହିଁ ଜେରାରେ ବିଷ ଉଗାରିଲେ ଶ୍ରଦ୍ଧାଞ୍ଜଳି। ଅର୍ଚ୍ଚନା ତାଙ୍କୁ ମାଧ୍ୟମ କରି କେମିତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, ସେ ସଂପର୍କରେ ସେ ସବୁ ତଥ୍ୟ ଇଡିକୁ ଦେଇଛନ୍ତି। ଏହାବ୍ୟତୀତ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନ୍ୟ କିଛି ଭାଗୀଦାରି, ତାଙ୍କ ଆର୍ଥିକ କାରବାର ଓ ସେକ୍ସଟର୍ସନ୍ ସଂପର୍କରେ ସେ ବହୁ ବିସ୍ଫୋରକ ତଥ୍ୟ ମଧ୍ୟ ଦେଇଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କ ଏହି ତଥ୍ୟ ତଦନ୍ତକୁ ଆଗକୁ ନେବ ବୋଲି ଇଡି ଆଶାବାଦୀ ରହିଛି।
ସୂଚନାଯୋଗ୍ୟ ଯେ ତିନି ତିନିଥର ନୋଟିସ୍ ପରେ ସେକ୍ସଟର୍ସନ୍ର ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ଆଜି ଇଡିରେ ହାଜର ହୋଇଥିଲେ।
ଇଡିର ଅଧିକାରୀମାନେ ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରିଥିଲେ। ସେ କିଛି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଆଉ କିଛି ପ୍ରଶ୍ନରେ ନିରବତା ଅବଲମ୍ବନ କରିଥିଲେ। ଏହାପରେ ଇଡି ତାଙ୍କୁ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରିଥିଲା। କିନ୍ତୁ ଏଥର ଶ୍ରଦ୍ଧାଞ୍ଜଳିଙ୍କ ପାଟିରେ ଆଉ ବାଟୁଳି ବାଜି ନଥିଲା। ଇଡି ଅଧିକାରୀମାନଙ୍କ ସବୁ ପ୍ରଶ୍ନର ସେ ପ୍ରାଞ୍ଜଳ ଭାବେ ଉତ୍ତର ଦେଇଥିଲେ। ଅର୍ଚ୍ଚନା କେମିତି ତାଙ୍କ କଳା ସାମ୍ରାଜ୍ୟ ଚଳାଉଥିଲେ, କିଏ କିଏ ତାଙ୍କୁ ସହଯୋଗ କରୁଥିଲେ, ଆଦି ସବୁ ବିଷୟରେ ସେ ଅନର୍ଗଳ କହି ଚାଲିଥିଲେ। ତେବେ ଖୁବ୍ଶୀଘ୍ର ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଇଡି ଗିରଫ କରିପାରେ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ଆଜି ଇଡିର ବରିଷ୍ଠ ଅଧିକାରୀମାନେ ରାଜ୍ୟ ଫରୋନେସିକ୍ ଲାବରୋଟାରିରୁ ଜବତ ହୋଇଥିବା ଲାପଟପ୍, ପେନ୍-ଡ୍ରାଇଭ, ହାର୍ଡଡିସ୍କ, ମୋବାଇଲ ଫୋନ୍ର ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ତଥ୍ୟ ଇଡି ତଦନ୍ତକୁ ବଳ ଯୋଗାଇବ ବୋଲି କୁହାଯାଉଛି। ସେହିପରି ଅର୍ଚ୍ଚନାଙ୍କ ଘରେ ଲାଗି ଥିବା ସିସିଟିଭି ଫୁଟେଜ୍ ଗାଏବ ହୋଇଯାଇଛି। କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଫୁଟେଜ୍ ଗାଏବ କଲା, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମଧ୍ୟ ବହୁ ଫଟୋ ଗାୟବ୍ ହୋଇଯାଇଛି। ଅର୍ଚ୍ଚନାଙ୍କ ମୋବାଇଲ ଫୋନ୍ କମିସନରେଟ ପୁଲିସ ହେପାଜତରେ ଥିବା ବେଳେ କିଏ ତାଙ୍କ ମୋବାଇଲ ଫୋନ୍ ବ୍ୟବହାର କରୁଥିଲା, ତା’ର ତଦନ୍ତ ଆରମ୍ଭ କରିଛି ଇଡି।