ଭୁବନେଶ୍ବର: ଯୁବ ଗାଳ୍ପିକା ଓ ପ୍ରାବନ୍ଧିକା ସୁଚିତ୍ରା ବେହେରାଙ୍କ ତୃତୀୟ ପ୍ରବନ୍ଧ ସଂକଳନ ‘ସ୍ରଷ୍ଟାର ସାଧନା ଓ ସମୂହ ସୃଷ୍ଟି’ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ରାଜଭବନରେ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ଲେଖିକାଙ୍କ ସୃଜନ ଯାତ୍ରାର ସଫଳତା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ତମ୍ଭକାର ଶୁଭେନ୍ଦୁ କୁମାର ଭୂୟାଁ ଓ ସାମ୍ବାଦିକ ଜନ୍ମେଜୟ ପ୍ରଧାନ ଉପସ୍ଥିତ ଥିଲେ।
ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ୍ ଓ ଓଳାଶୁଣି ଗ୍ରାମ ଉନ୍ନୟନ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଆଧ୍ୟାତ୍ମିକ ସଂକଳନ ‘ଓଳାଶୁଣି: କିଛି ସ୍ମୃତି କିଛି ଅନୁଭୂତି’ ପୁସ୍ତକକକୁ ମଧ୍ୟ ଶ୍ରୀ ଭୂୟାଁ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଏହା ସହ ଗାଳ୍ପିକା ରାଜ୍ୟପାଳଙ୍କୁ ତାଙ୍କର ପ୍ରଥମ ପ୍ରବନ୍ଧ ଓ ଗଳ୍ପ ସଂକଳନ ‘ସୃଜନର ସୌଗନ୍ଧ’ ଓ ‘ସାଉଁଟା ସ୍ମୃତିର ସ୍ବପ୍ନ’ ପ୍ରଦାନ କରିଥିଲେ। ପୁସ୍ତକରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ଓଡ଼ିଶାର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ଅତୀତର ଐତିହାସିକ ସ୍ମୃତିଲିପି ଓ ବର୍ତ୍ତମାନର ବ୍ୟବସ୍ଥାକୁ ନେଇ ଆଲୋଚିତ ପ୍ରବନ୍ଧଗୁଡ଼ିକ ଏହି ସଂକଳନରେ ସ୍ଥାନିତ ହୋଇଛି।