ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଜଗତର ନାଥ ହେଲେ ମଧ୍ୟ ତାଙ୍କର ଆବିର୍ଭାବ ଏଇ ଓଡ଼ିଶାରେ। ତାଙ୍କର ଯାନିଯାତ୍ରା, ପର୍ବପର୍ବାଣୀ, ଯାତ୍ରା ଉତ୍ସବ, ବସ୍ତ୍ର ଆଭୂଷଣ ଓ ଭୋଗ ନୈବେଦ୍ୟ ଆଦିରେ ଭରି ରହିଛି ଓଡ଼ିଆପଣ। ଶ୍ରୀକ୍ଷେତ୍ର ପୁରୀର ଚକ୍ରତୀର୍ଥରେ ସେ ଦିବ୍ୟଦାରୁ ରୂପେ ଆବିର୍ଭୂତ ହୋଇଥିଲେ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ସେ ଦାରୁବ୍ରହ୍ମରେ ରୂପାୟିତ ହୋଇଥିଲେ। ତେଣୁ ତାଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର। ସେଥିପାଇଁ ସେ ପ୍ରତିବର୍ଷ ରଥଯାତ୍ରାରେ ସେହି ଜନ୍ମସ୍ଥାନକୁ ଯାଇଥାନ୍ତି। ଏ ସବୁ ଦୃଷ୍ଟିରୁ ଶ୍ରୀଜଗନ୍ନାଥ ବଡ଼ ଓଡ଼ିଆ। ଏହା ହିଁ ଶ୍ରୀଜଗନ୍ନାଥଙ୍କୁ ଆଧାର କରି ସଂଗଠିତ ଓଡ଼ିଆ ଅସ୍ମିତା ବୋଲି ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ବୁଦ୍ଧମନ୍ଦିର ସଭାକକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରି ‘ଓଡ଼ିଆ ଅସ୍ମିତା’କୁ ରାଜନୈତିକ ଦୃଷ୍ଟିରୁ ଦେଖୁଥିବା ବେଳେ, ପ୍ରକୃତରେ ଓଡ଼ିଆ ଅସ୍ମିତା ଆମର ପ୍ରକୃତ ଓ ମୂଳଭୂତ ପରିଚିତି ବୋଲି କହିଥିଲେ। ଏହି ଆଲୋଚନାର ନିଷ୍କର୍ଷ କିପରି ପରପିଢ଼ିକୁ ମଧ୍ୟ ପ୍ରସାରିତ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ମହାସଚିବ ନରେଶ ଚନ୍ଦ୍ର ଦାଶ, ରାଜ୍ୟ ସଭାପତି ସୁଦର୍ଶନ ନାୟକ, ସଂଗଠନ ସଚିବ କରୁଣାକର ପ୍ରଧାନ ଓ ସଂପାନ ସଚିବ ପ୍ରସନ୍ନ କୁମାର ମହାପାତ୍ର ଉପସ୍ଥିତ ଥିଲେ। ପ୍ରକାଶନ ସଚିବ ଅସିତ ମହାନ୍ତି ଭିତ୍ତି-ପ୍ରବନ୍ଧ ଉପସ୍ଥାପିତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ସଭାପତିତ୍ୱ କରିଥିଲେ। ପ୍ରଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପ୍ରଦୀପ୍ତ କୁମାର ସାହୁ ଓ ସାଗରିକା ଦେହୁରୀ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ।
ଏହି ଆଲୋଚନାଚକ୍ରରେ ୧୪ଟି ପ୍ରସଙ୍ଗରେ ବିଶିଷ୍ଟ ଗବେଷକ ଓ ଆଲୋଚକ ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର, ପୁରୋହିତ ସେବକ ସିଦ୍ଧେଶ୍ୱର ମହାପାତ୍ର, ସୂପକାର ସେବକ ହରେକୃଷ୍ଣ ପ୍ରତିହାରୀ ଓ ପ୍ରତିହାରୀ ସେବକ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ସାମିଲ ହୋଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ନରେଶ ଚନ୍ଦ୍ର ଦାଶ, ଶ୍ରୀନିବାସ ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳି କାନୁନ୍ଗୋ, ବାସନ୍ତୀ ମିଶ୍ର, ଦେବୀପ୍ରସନ୍ନ ନନ୍ଦ, ନୃସିଂହ ଚରଣ ସାହୁ, ଦେବ ପ୍ରସାଦ ଦାଶ ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଶିଷ୍ଟ ପ୍ରବଚକ ସତ୍ୟାନନ୍ଦ ଦାସ ମହାରାଜ ଓ ଡାକ୍ତର ଆଶୁତୋଷ ମିଶ୍ର ଆଧାର ପୁରୁଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରସନ୍ନ କୁମାର ମହାପାତ୍ର ଓ ବାସୁଦେବ ଭଟ୍ଟ ଅଧିବେଶନର ସଂଯୋଜନା କରିଥିଲେ। ରାଧେଶ୍ୟାମ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏହି ଆଲୋଚନାଚକ୍ରରେ ଉପସ୍ଥାପିତ ପ୍ରବନ୍ଧଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରକାଶ ପାଇବ ବୋଲି ପ୍ରକାଶନ ସଚିବ ଅସିତ ମହାନ୍ତି ଜଣାଇଥିଲେ।