ଭୁବନେଶ୍ୱର: ମହାପ୍ରଭୁଙ୍କ ବିଭିନ୍ନ ବେଶ ସଂଯୋଜନା ଶ୍ରୀଜଗନ୍ନାଥ ସଂସ୍କୃତିର କମନୀୟତାକୁ ପ୍ରତିପାଦିତ କରେ। ଶ୍ରୀମନ୍ଦିର ପରମ୍ପରାରେ ମହାପ୍ରଭୁଙ୍କ ୨୪ ବେଶ ଭକ୍ତମାନଙ୍କୁ ଉଚ୍ଚାଟିତ କରେ ଓ ଏହି ବେଶ ଦର୍ଶନ ପାଇଁ ଦେବତାମାନେ ମଧ୍ୟ ଆକର୍ଷିତ ହୁଅନ୍ତି। ଏହିକ୍ରମରେ ଆଜି ରାଜଧାନୀରେ ସୃଷ୍ଟି ହୋଇଥିଲା ଏକ ଅପୂର୍ବ ସଂଯୋଗ। ଛଅଦିନିଆ ପଞ୍ଚକ ହେଲେ,  ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ। କିନ୍ତୁ ଏହି ବିରଳ ଦୃଶ୍ୟ ଦର୍ଶନ ସମସ୍ତଙ୍କ ଭାଗ୍ୟରେ ଜୁଟେନା।  କରୋନା ଯୋଗୁ ବହୁ ଭକ୍ତ ଶେଷ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେଣୁ ଭକ୍ତଙ୍କୁ ଏହି ବେଶ ସଂଦର୍ଶନ କରାଇବା ଲକ୍ଷ୍ୟ ନେଇ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳମଣ୍ଡପରେ ଆଜିଠାରୁ ଆରମ୍ଭ ହୋଇଛି ‘ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ’ କାର୍ଯ୍ୟକ୍ରମ। ଭିଡ଼ ନାହିଁ, ଭକ୍ତି ଥିଲା। ଘଣ୍ଟ ବାଜୁଥିଲା,  ସଂକୀର୍ତ୍ତନ, ହରିବୋଲ ଓ ହୁଳହୁଳି ପଡ଼ୁଥିଲା। ଆଳତି ବି ହେଉଥିଲା। ଲାଗୁଥିଲା, ସତେ ଯେମିତି ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ ହୋଇଛନ୍ତି।ଏଭଳି ଏକ ପରିବେଶରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ ଓ ବିଭିନ୍ନ ସମୟରେ ଶ୍ରୀବିଗ୍ରହମାନଙ୍କୁ ଲାଗି ହେଉଥିବା ବିବିଧ ବସ୍ତ୍ରର ଅପୂର୍ବ ପ୍ରଦର୍ଶନ ଦେଖି ଭକ୍ତମାନେ ବିହ୍ୱଳ ହୋଇଥିଲେ। ଭକ୍ତି, ଭାବ ଓ ସମର୍ପଣର ମହାମିଳନ ହୋଇଥିଲା ଶ୍ରୀନାଗାର୍ଜୁନ ବେଶ ଦର୍ଶନ କାର୍ଯ୍ୟକ୍ରମରେ। 

Advertisment

ଏହି ତ୍ରିଦିନାତ୍ମକ କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଉଦ୍‌ଘାଟନ କରିଥିଲେ। ସାଂସଦ ସୁଲତା ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ମହନ୍ତ ରାମଚରଣ ଦାସ, ମଠାଧୀଶ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ଓ ଶ୍ରୀମନ୍ଦିରର ବରିଷ୍ଠ ସେବକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଦୁର୍ଲଭ ବେଶକୁ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆତ୍ମବିଭୋର ହୋଇଥିଲେ। ସଂଧ୍ୟାରେ ଜୟ କିରଣ ଟ୍ରଷ୍ଟ ଆନୁକୂଲ୍ୟରେ ତଥା ବରିଷ୍ଠ ସଭ୍ୟା ସୁମିତ୍ରା ଜେନାଙ୍କ ମାର୍ଗଦର୍ଶନରେ ଭକ୍ତିସଂଗୀତ ଓ ନୃତ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସେବକମାନେ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ଗ୍ରନ୍ଥ ଓ ଫଟୋ ଚିତ୍ର ଷ୍ଟଲରେ ରହି ଭକ୍ତମାନଙ୍କୁ ଗ୍ରନ୍ଥର ମହତ୍ତ୍ୱ ସମ୍ପର୍କରେ କହିଥିଲେ। 

ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାସ୍କର ମିଶ୍ର, ସମ୍ପାଦକ ନନ୍ଦକିଶୋର ଜେନା, ସାଂଗଠନିକ ସମ୍ପାଦକ ବିଶ୍ୱନାଥ ସାମନ୍ତରାଙ୍କ ସମେତ ଟ୍ରଷ୍ଟର ସମସ୍ତ ସଦସ୍ୟ ଅତିଥିମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲେ। ଉଦ୍‌ଘାଟନୀ ଉତ୍ସବକୁ ସଂସ୍କୃତି ଗବେଷକ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିବା ବେଳେ ରାଧାବଲ୍ଲଭ ସିଂହ, ରବି ରାୟ, ରାଧାନାଥ ପ୍ରତିହାରୀ, ରବିନାରାୟଣ ମହାପାତ୍ର, ରମେଶ ଚନ୍ଦ୍ର ପାଢ଼ୀ, ପ୍ରବଚକ ଦେବେନ୍ଦ୍ର କୁମାର ଦାସ, ରବୀନ୍ଦ୍ର ନାରାୟଣ ସାମଲ, ଅରୁଣ କୁମାର ଲେଙ୍କା, ବିଜୟ କୁମାର ପାତ୍ର, ଶୁଭେନ୍ଦୁ କୁମାର ସ୍ୱାଇଁ, ଅନିମା ଜେନା, ପୁଷ୍ପାଞ୍ଜଳି ସାମଲ, ସ୍ୱର୍ଣ୍ଣପ୍ରଭା ପାତ୍ର, ବିଶ୍ବଜିତା ମହାପାତ୍ର, ରୁନୁ ମିଶ୍ର, ସ୍ନେହଲତା ମହାପାତ୍ର ପରିଚାଳନା କରିଥିଲେ। ପୂର୍ଣ୍ଣଚନ୍ଦ୍ର ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।