ଭୁବନେଶ୍ୱର : ଲିଙ୍ଗରାଜଙ୍କ ମୂଲ୍ୟବାନ୍‌ ସମ୍ପତ୍ତି ଏକ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ଲିଙ୍ଗରାଜ ମନ୍ଦିର ଏହାକୁ ବିକି ଦେବାକୁ ଚାହୁଁଥିବା ବେ‌ଳେ ଦେବୋତ୍ତର କମିସନ ଏହାକୁ ୯୯ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦେବାପାଇଁ ଆଦେଶ ଦେଇଛନ୍ତି। ଏହି ଆଦେଶ ପ୍ରକାଶ ପାଇବା ପରେ ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀମସେନ ନାୟକଙ୍କ ସମେତ ହିମାଂଶୁ ହୋତା ଓ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଆଇନ ସଚିବଙ୍କୁ ଭେଟିଛନ୍ତି। ଦେବୋତ୍ତର କମିସନଙ୍କର ଏହି ଆଦେଶକୁ ବାତିଲ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ମାମଲାର ତଦନ୍ତ କରାଯିବା ସହ ଜମି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଦେବୋତ୍ତର କମିସନ ବିରଜା ପ୍ରସାଦ ଦତ୍ତ କହିଛନ୍ତି, ବାସ୍ତବରେ ଟ୍ରଷ୍ଟବୋର୍ଡ ଏହାକୁ ଘରୋଇ ସଂସ୍ଥାକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ଆବେଦନ କରିଥିବା ବ‌େଳେ ଜମିଟି ମହାପ୍ରଭୁଙ୍କ ମାଲିକାନାରେ ରହିବା ପାଇଁ ଆଦେଶ ହୋଇଛି। ସଲାମି ବାବଦକୁ ସଂସ୍ଥା ପାଖାପାଖି ୫ କୋଟି ଟଙ୍କା ଜମା କରିବା ସହ ବର୍ଷକୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରିବ। ଏହି ପରିମାଣ କ୍ରମେ ବଢ଼ି ବଢ଼ି ଯିବ। ଜମି ଠାକୁରଙ୍କର ରହିବା ସହ ବାର୍ଷିକ ଅର୍ଥ ମଧ୍ୟ ଆଦାୟ ହେବ। ସମସ୍ତ ଦିଗକୁ ବିଚାର କରାଯାଇ ଏହି ଆଦେଶ ହୋଇଥିବା ସେ କହିଛନ୍ତି।

Advertisment

ସୂଚନା ମୁତାବକ, ଭୀମପୁର ମୌଜାର ଖାତା ୫୪୪/ ୭୫୧ ଓ ୫୪୪/ ୭୭୯ ରେ ଥିବା ପ୍ଲଟ ୯୩୦, ୯୩୧, ୯୩୨, ୯୩୩, ୯୩୪, ୯୩୫, ୯୮୦ରେ ୨.୩୬୫ ଏକର ଜମି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ରହିଛି। ଏଥିରେ ହୋଟେଲ ତୋଳିବା ପାଇଁ ଏକ ଘରୋଇ ସଂସ୍ଥା ଟ୍ରଷ୍ଟ ସହ କଥାବାର୍ତ୍ତା କରି କାମ ଆରମ୍ଭ କରିଥିଲା। ହେଲେ ବିବାଦ ଉଠିବାରୁ ମାମଲା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସେଠାରେ ତିନିପକ୍ଷ ଯଥା; ସରକାର, ଲିଙ୍ଗରାଜ ମନ୍ଦିର ଓ ଘରୋଇ ସଂସ୍ଥା ଆପୋସ ସମାଧାନ କରିବେ ବୋଲି ଚୁକ୍ତି କରି ମାମଲା ରଫାଦଫା କରିଥିଲେ। ଏହା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପକ୍ଷରୁ ଏହି ଜମି ବିକ୍ରି କରିବା ପାଇଁ ଦେବୋତ୍ତର କମିସନଙ୍କ ନିକଟରେ ଆବେଦନ ହୋଇଥିଲା। ହେଲେ ଏହା ମୂଲ୍ୟବାନ ଜମି ହୋଇଥିବାରୁ କମିସନ ଏହାକୁ ବିକ୍ରି କରିବାକୁ ନ ଦେଇ ବିଭିନ୍ନ ସର୍ତ୍ତ ରଖି ୯୯ ବର୍ଷିଆ ଲିଜ୍‌ ଦେବାପାଇଁ ଆଦେଶ ଦେଇଛନ୍ତି।