ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ମନଇଚ୍ଛା ନିଯୁକ୍ତି ଓ ଟଙ୍କା ଖର୍ଚ୍ଚ : ଦୁଇ ନିଯୋଗ ପକ୍ଷରୁ ଦେବୋତ୍ତର ବିଭାଗରେ ଅଭିଯୋଗ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ଆୟ କମିଥିବା ବେଳେ ବ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ମନ୍ଦିର ପ୍ରଶାସନ ପକ୍ଷରୁ ମନଇଚ୍ଛା ଖର୍ଚ୍ଚ କରାଯାଉଛି। ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଯୋଗୁଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନା ଅନୁମତିରେ ମନ୍ଦିର ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ନିଜ ଇଚ୍ଛାରେ କର୍ମଚାରୀଙ୍କୁ ବାହାର କରି ନୂତନ ନିଯୁକ୍ତି ଦେଉଛନ୍ତି ବୋଲି ଦେବୋତ୍ତର ବିଭାଗର ଅତିରିକ୍ତ କମିସନରଙ୍କ ନିକଟରେ ଦୁଇଟି ନିଯୋଗ ପକ୍ଷରୁ ଅଭିଯୋଗ ହୋଇଛି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ମନ୍ଦିର ପ୍ରଶାସନ ପକ୍ଷରୁ ମନଇଚ୍ଛା ଟଙ୍କା ଖର୍ଚ୍ଚ କରାଯାଉଛି। ମନ୍ଦିର କାର୍ଯ୍ୟ ନିର୍ବାହୀ ଏକଛତ୍ରବାଦ କାର୍ଯ୍ୟ କରୁଛନ୍ତି। ଏକକ ଅକାଉଣ୍ଟ୍‌ ରହିବା ଦ୍ବାରା ଟ୍ରଷ୍ଟ ବୋର୍ଡର ଅନୁମୋଦନ ନକରି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟଙ୍କା ନେଇ ସିଧାସଳଖ ଭାବେ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ଦେବୋତ୍ତର ବିଭାଗ ଅତିରିକ୍ତ କମିସନରଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସେ କହିଛନ୍ତି।

ଏନେଇ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି, ୬୦ବର୍ଷର ୩ଜଣ କର୍ମଚାରୀଙ୍କୁ ବାହାର କରାଯାଇଥିବା ବେଳେ ଅନ୍ୟ ୬୦ବର୍ଷର କର୍ମଚାରୀଙ୍କୁ ରଖାଯାଇଛି। ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଯୋଗୁଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନଇଚ୍ଛା ଟଙ୍କା ଖର୍ଚ୍ଚ କରୁଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ସେ କିଛି କହି ନଥିଲେ। ଟ୍ରଷ୍ଟବୋର୍ଡ ସଭାପତି ଓ କାର୍ଯ୍ୟ ନିର୍ବାହୀଙ୍କ ମିଳିତ ଆକାଉଣ୍ଟ ପାଇଁ ମନ୍ଦିର କାର୍ଯ୍ୟାଳୟକୁ ଚିଠି କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର