ଦେବଦମ୍ପତିଙ୍କ ଚତୁର୍ଥୀ କର୍ମ : କାମାକ୍ଷା ମନ୍ଦିରରେ ଫିଟିଲା ଗଇଣ୍ଠାଳ

ପୁରୁଣା ଭୁବନେଶ୍ୱର : ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଦେବଦମ୍ପତି ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଚତୁର୍ଥୀ କର୍ମ ବିଧି ବିଧାନ ଅନୁସାରେ ସମାହିତ ହୋଇଯାଇଛି। ବ୍ରହ୍ମା ଘାଟରେ ସ୍ନାନ କର୍ମ, ବାସୁଦେବ ମନ୍ଦିର ଦର୍ଶନ ଓ ଠାକୁରଙ୍କ ଭଉଣୀ ମା’ କାମାକ୍ଷା ଦେବୀଙ୍କ ମନ୍ଦିରେ ଗଇଣ୍ଠାଳ ଫିଟିବା ବିଧି ସରିବା ପରେ ଚତୁର୍ଥୀ କର୍ମ ସମ୍ପନ୍ନ ହୋଇଥିଲା। କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ଦେବ ଦମ୍ପତିଙ୍କ ବିବାହ ଉତ୍ସବର ଏହି ପର୍ବରେ ପାଖରୁ ସାମିଲ୍ ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦୂରରୁ ନିଜ ନିଜ ଘର ବାରଣ୍ଡାରୁ ଓ ‌କୋଠା ଛାତରୁ ଦେଖିବା ମଉକା ହାତଛଡ଼ା କରିନଥିଲେ।

ରାତି ପ୍ରାୟ ସାଢ଼େ ୮ଟାରେ ସେବାୟତମାନଙ୍କ ଗହଣରେ ଦେବ ଦମ୍ପତି ବିନ୍ଦୁସାଗର ବ୍ରହ୍ମା ଘାଟକୁ ଯାଇଥିଲେ। ସେଠାରେ ଉଭୟଙ୍କ ସ୍ନାନ କର୍ମ ସମାପନ ହେବା ପରେ ସେମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ବ୍ରହ୍ମା ଘାଟରେ ପୂଜାର୍ଚନା ସରିବା ପରେ ଠାକୁର ଠାକୁରାଣୀ ବାସୁଦେବ ମନ୍ଦିରକୁ ଯାଇଥିଲେ। ପ୍ରଥାନୁସାରେ, ସେଠାରେ ଉଭୟଙ୍କର ଭେଟ ଆଳତି ସମ୍ପନ୍ନ ହୋଇଥିଲା। ପରେ ପରେ ସେମାନେ ଠାକୁରଙ୍କ ଭଉଣୀ ମା’ କାମାକ୍ଷା ଦେବୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ। ସେଠାରେ ମଧ୍ୟ ପାରମ୍ପରିକ ରୀତିରେ ଭେଟ ଆଳତି ଓ ପୂଜାର୍ଚ୍ଚନା ପରେ ଗଇଣ୍ଠାଳ ଖୋଲା ବିଧି ସମାପନ ହୋଇଥିଲା। ଏହାପରେ ନବଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଠାକୁର-ଠାକୁରାଣୀଙ୍କ ଏହି ଯାତ୍ରା ବେଳେ କେବଳ ଗୋଟିଏ ଘଣ୍ଟ, ଗୋଟିଏ କାହାଳୀ ବାଜୁଥିଲା। ମହାମାରୀ କରୋନା କଟକଣା ପାଇଁ ଏହି ପ୍ରାଚୀନ ତଥା ପ୍ରସିଦ୍ଧ ପରମ୍ପରା ପୂରା ନିରାଡ଼ମ୍ବର ଭାବେ ପାଳିତ ହୋଇଥିଲା।

ସମ୍ବନ୍ଧିତ ଖବର