ପୁରୁଣା ଭୁବନେଶ୍ୱର : ଶନିବାର କାର୍ତ୍ତିିକ ପୂର୍ଣ୍ଣିିମା। ଏଥି ପାଇଁ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ମଠ ମନ୍ଦିର ଚଳଚଞ୍ଚଳ ହୋଇଛି। ଶ୍ରଦ୍ଧାଳୁମାନେ ସେଦିନ ଭୋରୁ ନଦୀ ପୁଷ୍କରିଣୀରେ ଡଙ୍ଗା ଭସାଇ ଦେବଦେବୀଙ୍କ ପାଖରେ ପୂଜାର୍ଚନା କରିବେ। ଏହି ଉପଲକ୍ଷେ ସବୁ ମନ୍ଦିରଙ୍କୁ ରଙ୍ଗବେରଙ୍ଗର ଆଲୋକମାଳାର ସଜା ଯାଇଛି। ଏପଟେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ୪ମାସର ଶୟନ ପରେ ଆଜି ଉଠିଛନ୍ତି। ଉତ୍‌ଥାପନ ଚତୁର୍ଦଶୀ ତିଥି ଉପଲକ୍ଷେ ଏହି ନୀତି ସଂପନ୍ନ ହୋଇଛି। ମହାପ୍ରଭୁ ଶୟନରୁ ଉଠିବା ସହ ରାଜ୍ୟ ଭାର ନେଇଛନ୍ତି। ହରିଶୟନ ଚତୁର୍ଦଶୀଠାରୁ ୪ ମାସ ଧରି ରାଜ୍ୟ ଭାର ପର୍ଶୁରାମେଶ୍ୱରଙ୍କୁ ଦେଇ ଶୟନ କରିଥିଲେ। ଆଜି ସନ୍ଧ୍ୟା ପୂଜା ପରେ ପୁନଶ୍ଚ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ବେଶ ଆଦି କରାଯାଇଥିଲା। ଏହା ପରେ ସେବାୟତମାନେ ଭଣ୍ଡାର ଘରୁ ଶିବ ପାର୍ବତୀଙ୍କ ଗୁପ୍ତ ପ୍ରତିମାକୁ ଆଣି ରୁପା ଥାଳିରେ ରଖି ପୂଜାର୍ଚନା କରିଥିଲେ। ତେବେ ଚତୁର୍ଦଶୀ ପାଇଁ ଆଜି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ଠାକୁରଙ୍କ ନୀତି ପୂଜା ପରେ ରାତି ପ୍ରାୟ ସାଢ଼େ୯ଟାରେ ମହାଦୀପ ଉଠିଥିଲା। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ଆସନ୍ତା ଶନିବାର ପୂର୍ଣ୍ଣିମା ତିଥିରେ ଅଧିକ ଭିଡ଼ ହେବାର ଥିବାରୁ ମନ୍ଦିର ପାଚେରି କଡ଼ରେ ଏଏସ୍‌ଆଇ ପକ୍ଷରୁ ବ୍ୟାରିକେଟ୍‌ ବନ୍ଧା ଆରମ୍ଭ ହୋଇଛି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପକ୍ଷରୁ ୨ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ସେପଟେ ବିନ୍ଦୁସାଗରରେ ଭାସୁଥିବା ଦଳକୁ ବିଏମ୍‌ସି ପକ୍ଷରୁ ସଫେଇ କରାଯାଇଛି। ୨୦ଜଣ କର୍ମଚାରୀ ଏହି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ମେଘେଶ୍ୱର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରସ୍ତୁତି

ଭୁବନେଶ୍ୱର : ଟଙ୍କପାଣି ରୋଡ୍‌ସ୍ଥିତ ମେଘେଶ୍ୱର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ। ଏହି ଅବସରରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ସବର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ଭୋର୍‌ ୪ଟାରେ ସାହାଣ ମେଲା ହୋଇ ୫ଟାରେ ମଙ୍ଗଳ ଆଳତି କରାଯିବ। ଏହା ସହ ଭଜନ ସମାରୋହ ଅନୁଷ୍ଠିତ ହେବ। ସକାଳ ୮ଟା ୩୦ରେ ସୂର୍ଯ୍ୟ ପୂଜା ଓ ପ୍ରଥମ ପ୍ରହର ପୂଜା କରାଯିବ। ଦିନ ୧୧ଟା ୩୦ରେ ତୃତୀୟ ପ୍ରହର ପୂଜା କରାଯିବା ସହ ୧୨ଟା ୩୦ରେ ମଧ୍ୟାହ୍ନ ନୀତି ସମ୍ପନ୍ନ ହେବ। ମନ୍ଦିର ପରିସରରେ ଥିବା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଶ୍ରୀ ଶ୍ରୀ ମେଘେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ପୂର୍ବତନ କର୍ପୋରେଟର୍‌ ଅଶୋକ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ନିହାର ପ୍ରହରାଜ, ଦିବ୍ୟଚରଣ ଶୁକ୍ଳା, ଅଶୋକ ମହାନ୍ତି, ଅନୀଲ ଛୋଟରାୟ, ପୀତବାସ ଆଚାର୍ଯ୍ୟ, ବିବେକ ପଟ୍ଟନାୟକ, ସୂର୍ଯ୍ୟ ପଟ୍ଟନାୟକ, ଅଜିତ କୁମାର ସାହୁ, ପ୍ରଭାତ ପ୍ରତାପ ସିଂହ, ସନାତନ ଦାସ ଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।