ଶ୍ରୀରାମ ବିଜୟ ସହ ପରଦା ନଇଁଲା

ଭୁବନେଶ୍ୱର: ଶେଷ ହୋଇଛି ବିଶ୍ୱ ନାଟ୍ୟ ମହାକୁମ୍ଭର ଓଡ଼ିଶା ଅଭିଯାନ। ଓଡ଼ିଶାରେ ୧୪ ଦିନ ଧରି ଚାଲିଥିବା ଥିଏଟର ଅଲିମ୍ପିକ୍ସ ପ୍ରଥମାର୍ଧରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରି ନଥିଲେ ହେଁ ପରେ ବହୁ ବଳିଷ୍ଠ ନାଟକ ଦେଖିବାକୁ ମିଳିଥିଲା। ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି) ନୂଆଦିଲ୍ଲୀ ଆନୁକୂଲ୍ୟରେ ଓଡ଼ିଶାରେ ଆୟୋଜିତ ଏହି ଥିଏଟର ଅଲିମ୍ପିକ୍ସର ଶେଷ ସନ୍ଧ୍ୟାରେ ଦର୍ଶକ ଉପଭୋଗ କରିଥିଲେ ନାଟକ ‘ଶ୍ରୀରାମ ବିଜୟ’। ବ୍ରଜବାଳୀ ଭାଷାରେ ନାଟକ ପରିବେଷିତ ହୋଇଥିଲେ ହେଁ ମହାପୁରୁଷ ଶଙ୍କରଦେବଙ୍କ ଦ୍ୱାରା ତାଙ୍କ ଜୀବନର ଶେଷଭାଗରେ ରଚିତ ଏହି ନାଟକ ଦର୍ଶକଙ୍କର ଖୁବ୍‌ ମନୋରଂଜନ କରିଥିଲା। ତାଡ଼କା ଓ ଅନ୍ୟ ଅସୁରଙ୍କ ବର୍ଣ୍ଣନା ସହିତ ମହାକ୍ରୋଧି ପର୍ଶୁରାମଙ୍କ ସହ ରାମ ଲକ୍ଷ୍ମଣଙ୍କ ଯୁଦ୍ଧର ବିଷୟବସ୍ତୁକୁ ବହୁ ରୋଚକ ଢଙ୍ଗରେ ଦେଖିବାକ ମିଳିଥିଲା। ମୋଟାମୋଟି ଭାବେ ଏହା ରାମାୟଣ କଥାବସ୍ତୁର କିଛି ମାତ୍ର ଅଂଶ ହୋଇଥିଲେ ହେଁ ପରିବେଷଣ ଶୈଳୀ ଦର୍ଶକଙ୍କୁ ଛୁଇଁଥିଲା। ଗୌହାଟିର ‘ରଙ୍ଗପୀଠ ଅନୁଷ୍ଠାନ’ର କଳାକାରମାନେ ଅହମିୟା, ମୈଥିଳି ଓ ଅନ୍ୟାନ୍ୟ ଭାଷାର ମିଶ୍ରଣରେ ସୃଷ୍ଟି ବ୍ରଜବାଳୀ ଭାଷାରେ ନାଟକଟି ଭେଟି ଦେଇଥିଲେ। ନାଟକରେ ଚରିତ୍ର ସମାନ ଥିଲେ ହେଁ ଶଙ୍କରଦେବ କଥାବସ୍ତୁରେ ନିଜସ୍ୱ ଦର୍ଶନକୁ ପ୍ରୟୋଗ କରି ନାଟକରେ ରୋମାଞ୍ଚ ଭରିଥିଲେ। ନାଟକ ମଧ୍ୟରେ ସାତ୍ରିୟ ନୃତ୍ୟ ବି ଦେଖିବାକୁ ମିଳିଥିଲା। ଶଙ୍କରଦେବଙ୍କ ରଚନାରେ ଏହାକୁ ନିର୍ଦେଶନା ଦେଇଥିଲେ ଦୁଲାଲ ରାୟ। ଶ୍ରୀରାମ ବିଜୟ ସହ ଥିଏଟର ଅଲିମ୍ପିକ୍ସର ଓଡ଼ିଶା ଅଭିଯାନ ଶେଷ ହୋଇଥିଲେ ହେଁ ସର୍ବ ଭାରତୀୟସ୍ତରରେ ଏହା ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ସମ୍ବନ୍ଧିତ ଖବର