ଭୁବନେଶ୍ବର: ଶ୍ରୀସତ୍ୟସାଇ ସେବା ସଂଗଠନ ଦ୍ବାରା ଆୟୋଜିତ ଶ୍ରୀସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମଠାରେ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରି କହିଲେ ମନୁଷ୍ୟ ସମାଜ ତିଷ୍ଠି ରହିବା ପାଇଁ ବୃକ୍ଷ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତ ସରକାରଙ୍କ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଏବଂ ଜନହିତ ପାଇଁ ଦଶଲକ୍ଷ ବୃକ୍ଷରୋପଣ କରାଯିବ।ଓଡ଼ିଶାରେ ଶ୍ରୀସତ୍ୟସାଇ ସଂଗଠନ ଅନେକ ଜନ ହିତକର କାର୍ଯ୍ୟକ୍ରମ କରୁଛି ବୋଲି ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।

Advertisment

ଶ୍ରୀଜଗନ୍ନାଥ ସେବା ସଂସ୍ଥାନର ଅଧ୍ୟକ୍ଷ ଅଭିନବ କ୍ରିଷ୍ଣା ଯଷ୍ଟି ସମାବେଶକୁ ସମ୍ବୋଧନ କରି କହିଲେ ବିଶ୍ବ ତାପାୟନର ଭୟାବହତା ଓ ଅସ୍ୱାଭାବିକ ପାଗ ପରିବର୍ତ୍ତନରୁ ପରିବେଶକୁ ବଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଶତବାର୍ଷିକୀ (୨୩ ନଭେମ୍ବର, ୨୦୨୫) ସୁଦ୍ଧା ସାରା ଭାରତରେ ଶ୍ରୀସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅଧୀନରେ ଏକ କୋଟି ବୃକ୍ଷରୋପଣ ତଥା ଏହାର ରକ୍ଷଣାବେକ୍ଷଣ ପାଇଁ ଶ୍ରୀସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ଉଦ୍ୟମ ଆରମ୍ଭ କରିଛି। ୨୦୨୫ ସୁଦ୍ଧା ଓଡ଼ିଶାରେ ଦଶ ଲକ୍ଷ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣା କରାଯିବାର ଯୋଜନା ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଓଡ଼ିଶା ସରକାରଙ୍କର ସହାୟତାକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ପ୍ରତ୍ୟେକ ଗଛକୁ ଜିଓ ଟ୍ୟାଗିଂ କରାଯାଇ ଶ୍ରୀସତ୍ୟସାଇ ସେବା ସଂଗଠନର ୱେବସାଇଟ୍‌ରେ ଅପଲୋଡ କରାଯିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀସତ୍ୟସାଇ ସଂଗଠନର ରାଜ୍ୟ ସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକ, ଆୟକର ବିଭାଗ ନିର୍ଦ୍ଦେଶକ କ୍ରିଷ୍ଣା କିଶୋର ଜଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।