ଭୁବନେଶ୍ବର : ସାହିତ୍ୟିକ ଓ ସାମ୍ବାଦିକମାନେ ହେଉଛନ୍ତି ସ୍ରଷ୍ଟା। ସେମାନେ ଏଭଳି ଆଲେଖ୍ୟ ପରିବେଷଣ କରିବା ଉଚିତ, ଯାହା ମାନବ ସମାଜର ହିତ ସାଧନ କରିବାରେ ସକ୍ଷମ ହେବ। ଯେହେତୁ ଅସୀଠାରୁ ମସୀ ବଡ଼ ବୋଲି କୁହାଯାଏ ତେଣୁ କଲମର ଜୋରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପାରେ। ଆଉ ଏଥିଲାଗି ସେମାନଙ୍କୁ ଇଷ୍ଟ ଓ ଆଦର୍ଶଙ୍କ ସହିତ ଯୋଗଯୁକ୍ତ ହେବା ଆବଶ୍ୟକ। ସ୍ରଷ୍ଟାମାନେ ପରମସ୍ରଷ୍ଟାଙ୍କ ସହ ସଂଯୁକ୍ତ ରହିଲେ ସଫଳ ସୃଷ୍ଟି କରିପାରିବେ।

Advertisment

ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ବର ସତସଙ୍ଗ ବିହାରରେ ଅନୁଷ୍ଠିତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଭାଦ୍ର ପରିକ୍ରମା ସତସଙ୍ଗରେ ଆଲୋଚକମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି। ଶ୍ରୀଶ୍ରୀଠାକୁରଙ୍କ ଅନୁଗାମୀ ସାମ୍ବାଦିକ ଭାଇଭଉଣୀମାନଙ୍କ ଉଦ୍ୟମରେ ରବିବାର ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟଆଲୋଚକ ଭାବେ ଯୋଗ ଦେଇ ବେଙ୍ଗାଲୁରୁରୁ ଆଗତ ୱିପ୍ରୋର ଟାଲେଣ୍ଟ୍ ସ୍କିଲିଂ ପ୍ରଭାଗର ଗ୍ଲୋବାଲ୍ ହେଡ୍ ସୂର୍ଯ୍ୟପ୍ରକାଶ ମହାପାତ୍ର କହିଲେ, ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଦରକାର ଏବଂ ଏ ଦିଗରେ ସାମ୍ବାଦିକମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ ସତମାର୍ଗୀ ହେବା ସହ ଆଦର୍ଶଯୁକ୍ତ ହେଲେ ପ୍ରକୃତ ଭୂମିକା ନିଭାଇ ପାରିବେ। ସତସଙ୍ଗର ସହ-ପ୍ରତି-ଋତ୍ବିକ ତଥା ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଆଶୀର୍ବାଦ କ୍ରମେ ସତସଙ୍ଗୀ ସାମ୍ବାଦିକ ଭାଇଭଉଣୀମାନେ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିବା ସହ ଶ୍ରୀଶ୍ରୀଠାକୁରଙ୍କ ଭାବଧାରାର ପ୍ରଚାରପ୍ରସାରରେ ନିୟୋଜିତ ଅଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ। ସତସଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦାନ କରିଥିଲେ। ସେ ସତସଙ୍ଗୀ ସାମ୍ବାଦିକ ଭାଇଭଉଣୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ସତସଙ୍ଗ ନାମସଂକୀର୍ତ୍ତନରେ ସହ-ପ୍ରତି-ଋତ୍ବିକ ଚକ୍ରଧାରୀ ନାୟକ, ସିଦ୍ଧାର୍ଥ ରଂଜନ ଧଳ, ପ୍ରଜ୍ଞାନ ମହାଭୋଇ, ଅମିତାଭ ସାମନ୍ତରାୟ, ଅନନ୍ତ ଚରଣ ସ୍ବାଇଁ ପ୍ରମୁଖ ସଂଗୀତାଞ୍ଜଳିରେ ଅଂଶଗ୍ରହଣ କରିଥିଲେ। ସତସଙ୍ଗର କର୍ମୀ ତଥା ସାମ୍ବାଦିକ ବୀରଭଦ୍ର ବିଶ୍ବାଳ ସଦଗ୍ରନ୍ଥ ପାଠ କରିଥିବା ବେଳେ ସହ-ପ୍ରତି-ଋତ୍ବିକ କୃତିକାମ ମହାନ୍ତି ସମାପନୀ କୀର୍ତ୍ତନ ପରିବେଷଣ କରିଥିଲେ।

ସତସଙ୍ଗ କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ମିଶ୍ର, ଅଭୟ କୁମାର ପରିଡ଼ା, ଧନେଶ୍ବର ମହାରଣା, ସୁଧୀର କୁମାର ଜେନା, ବିପିନ ବିହାରୀ ମିଶ୍ର, ଅଲେଖ କୁମାର ଚକ୍ର ଓ ଉମାକାନ୍ତ ସାହୁ ପ୍ରମୁଖ ସହ-ପ୍ରତି-ଋତ୍ବିକ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସତସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ଭାଗବତ ତ୍ରିପାଠୀ, ଦୋଳଗୋବିନ୍ଦ ପଣ୍ଡା, ଶ୍ରୀକାନ୍ତ ସାହୁ, ଏସ୍. ଏ. କଲିମ୍, ପ୍ରକାଶ ଚନ୍ଦ୍ର ସେଠୀ, ରୁଦ୍ରପ୍ରସାଦ ଜେନା, ଦୁଷ୍ମନ୍ତ କୁମାର ଜେନା ଓ ବୌଦ୍ଧାୟନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।