ଭୁବନେଶ୍ବର: ସାଇ ଶ୍ରଦ୍ଧା ପ୍ରଡକସନ୍ ଦ୍ୱାରା ନିର୍ମିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୪ରେ ବାହୁଡା଼ ଉପଲକ୍ଷେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l ସେଥିପାଇଁ ‘ନବକଳେବର’ ଟିମ୍ ପ୍ରଥମ ନିମନ୍ତ୍ରଣ ନେଇ ଆଜି କେନ୍ଦ୍ରାପଡ଼ାସ୍ଥିତ ଶ୍ରୀବଳଦେବଜିଉ ମନ୍ଦିରରେ ପହଞ୍ଚିଥିଲେ। ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ଦିଲ୍ଲୀପ ଜେନା, ଅଭିନେତ୍ରୀ ଶିବାନୀ ସଂଗୀତା, ସୂର୍ଯ୍ୟମୟୀ, ଅଭିନେତା ଜ୍ୟୋତି ରଞ୍ଜନ ଦାସ, ଅଂଶୁମାନ ପ୍ରମୁଖ ମନ୍ଦିରରେ ପହଞ୍ଚି ବଡ଼ ଠାକୁରଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ଶ୍ରୀଜଗନ୍ନାଥଙ୍କ ନବକଳେବର ବିଷୟକୁ ନେଇ ଏହା ପ୍ରଥମ ପୌରାଣିକ ଚଳଚ୍ଚିତ୍ର। ମଲ୍ଟି ଷ୍ଟାର୍ସଙ୍କୁ ନେଇ ଏକ ବଡ଼ ବଜେଟ୍‌ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ବିନି ସାମଲ। ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ଶ୍ରୀଜଗନ୍ନାଥଙ୍କ ନବକଳେବର ପ୍ରକୃତରେ କ’ଣ ତାହା ବିସ୍ତୃତ ଭାବେ ଭକ୍ତଙ୍କୁ ଜଣାଇବା ପାଇଁ ବିନି ସାମଲଙ୍କର ଏହା ଏକ ପ୍ରକାର ପ୍ରଚେଷ୍ଟା। ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, କୁନା ତ୍ରିପାଠୀ, ଅଶ୍ରୁ୍ମୋଚନ ମହାନ୍ତି, ସାହେବ ସିଂହ, ପିଙ୍କି ପ୍ରଧାନ, ଜ୍ୟୋତିରଞ୍ଜନ ନାୟକ, ଅଂଶୁମାନ, ଶିବାନୀ ସଂଗୀତା ଓ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି l ପ୍ରଯୋଜନା କରିଛନ୍ତି ଦିଲ୍ଲୀପ ଜେନା ଏବଂ ସୌଭାଗ୍ୟଲକ୍ଷ୍ମୀ ଜେନା। ନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି) l