ପୁରୀ: ‘ଶ୍ରୀଦାଣ୍ଡ’ ଦେବ ଭକ୍ତଙ୍କୁ ଭକ୍ତିପୂତ ଅନୁଭୂତି। ଦେଖିବାକୁ ମିଳିବ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତିର ମହାମିଳନ। କେଉଁଠି ଶଙ୍ଖରେ ଶ୍ରୀବିଗ୍ରହଙ୍କ ବିଭିନ୍ନ ବେଶର କଳାକୃତି ଶୋଭା ବଢ଼ାଉଛି ତ କେଉଁଠି ସଂକୀର୍ତ୍ତନ ଓ ଯୋଗମୁଦ୍ରାର ପ୍ରତିମୂର୍ତ୍ତି। ଯାହା ସବୁଜିମାଭରା ପରିବେଶ ଭିତରେ ଭକ୍ତଙ୍କ ମନରେ ଦିବ୍ୟତା ଭରିଦେବାକୁ ଯାଉଛି। ରାଜ୍ୟ ସରକାର ଏଭଳି ଢ଼ଙ୍ଗରେ ଶ୍ରୀଦାଣ୍ଡର ବିକାଶ କରିଛନ୍ତି। ଶ୍ରୀଦାଣ୍ଡ ପରିପାଟ୍ଟୀ ଭକ୍ତ ତଥା ପର୍ଯ୍ୟଟକଙ୍କୁ ଅଭିଭୂତ କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଦାଣ୍ଡର ନୂଆ ଦର୍ଶନ ବ୍ୟବସ୍ଥା ବି ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଭକ୍ତ ତଥା ପର୍ଯ୍ୟଟକ ଶ୍ରୀଦାଣ୍ଡ ଓ ଶ୍ରୀସେତୁର ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି। ବଡ଼ଦାଣ୍ଡର ଭିଡ଼ ଚାପ କମାଇବାକୁ ‘ଶ୍ରୀଦାଣ୍ଡ’କୁ ବିକଶିତ କରାଯାଇଛି। ଏହା ଶ୍ରୀଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ବହୁତଳ ପାର୍କିଂରୁ ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ ଦୋଳବେଦି କୋଣକୁ ସଂଯୋଗ କରୁଛି। ଭକ୍ତ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ରାସ୍ତା ନିକଟ ସମଙ୍ଗ ପାର୍କିଂରୁ ନବନିର୍ମୀତ ଶ୍ରୀସେତୁ ଦେଇ ଆସି ଶ୍ରୀଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରେ ଗାଡ଼ି ପାର୍କିଂ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ। ଶ୍ରୀଦାଣ୍ଡର ଲମ୍ବ ପ୍ରାୟ ୮୫୦ ମିଟର ଓ ଓସାର ୧୨ ମିଟର। ଏହି ରାସ୍ତା ଓବିସିସି କରୁଥିବା ବେଳେ ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏ ଭିତରେ ରାସ୍ତା କାମ ସରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଅପେକ୍ଷାରେ ରହିଛି।
ବୁଧବାର ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଶ୍ରୀସେତୁ ନିକଟ ହେଲିପ୍ୟାଡ୍ରେ ଅବତରଣ ପରେ ଶ୍ରୀସେତୁ ଦେଇ କାରକେଡ୍ରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ପହଞ୍ଚିବେ। ସେଠାରୁ ଶ୍ରୀଦାଣ୍ଡ ଦେଇ ବ୍ୟାଟେରିଚାଳିତ ଅଟୋରେ ଫଳକ ଲୋକାର୍ପଣ ସ୍ଥଳକୁ ଯିବେ। ଏହା ପୂର୍ବରୁ ଶ୍ରୀଦାଣ୍ଡ ସଂପୂର୍ଣ୍ଣ ନୂଆବୋହୂ ଭଳି ସଜେଇ ହୋଇଛି। ପେଭର୍ ବ୍ଲକର ଏହି ରାସ୍ତାର ଦୁଇପାର୍ଶ୍ବରେ କେଉଁଠି ସଂକୀର୍ତ୍ତନ ମୁଦ୍ରାର ପ୍ରତିମୂର୍ତ୍ତି ତ କେଉଁଠି ଆଦି ଶଙ୍କରାଚାର୍ଯ୍ୟ ଶିଷ୍ୟଗଣଙ୍କ ସହ ଧର୍ମଚର୍ଯ୍ୟା କରୁଥିବାରୁ ପ୍ରତିମୂର୍ତ୍ତି ସ୍ଥାନିତ କରାଯାଇଛି। ସେହିଭଳି କେଉଁଠି ମହାଦେବ ତ କେଉଁଠି ବାହାନ ବୃଷଭଙ୍କୁ ସ୍ଥାନିତ କରାଯାଇଛି। ବାଟସାରା ଏଭଳି ସୌନ୍ଦର୍ଯ୍ୟରେ ଭରି ଦିଆଯାଇଛି ସଂପୂର୍ଣ୍ଣ ରାସ୍ତାକୁ। ସେପଟେ ଶଙ୍ଖକ୍ଷେତ୍ରର ଚମକ ବି ଦିଆଯାଇଛି ରାସ୍ତାକୁ। ରାସ୍ତାର ଦୁଇପାର୍ଶ୍ବରେ ଏକାଧିକ ସ୍ଥାନରେ ଶଙ୍ଖ ଶୋଭାବର୍ଦ୍ଧନ କରୁଛି। ଏଥିରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶର କଳାକୃତି ଏହି ଶୋଭାକୁ ଦ୍ବିଗୁଣିତ କରୁଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକୀକରଣ କରାଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତା ଦୁଇପାର୍ଶ୍ବରେ ଫୁଲକୁଣ୍ଡ ସହ ନାନାଦି ସୌନ୍ଦର୍ଯ୍ୟୀକରଣ ଗଛ ସ୍ଥାନିତ କରାଯାଇଛି। ଶେଷ ମୁଣ୍ଡରେ ଆଲୋକୀକରଣ ବ୍ୟବସ୍ଥା ବି ଭିନ୍ନ ଅନୁଭୂତି ଦେଉଛି। ବଡ଼ଦାଣ୍ଡ ଭଳି ଶ୍ରୀଦାଣ୍ଡର ରଙ୍ଗ ବି ଫିକା ଗୋଲାପି କରାଯାଇଛି। ଦିନ ଅପେକ୍ଷା ରାତ୍ରୀର ଚିତ୍ର ଅଧିକ ଆକର୍ଷଣୀୟ ହୋଇଛି।
ଅନ୍ୟପଟେ ଭକ୍ତମାନେ ଶ୍ରୀଦାଣ୍ଡ ପାର୍ଶ୍ବରୁ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଜର୍ମାନ୍ ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ହ୍ୟାଙ୍ଗର ଭିତରେ ଲୁହାର ବ୍ୟାରିକେଡ୍ ଲଗାଯାଇଛି। ୬ଟି ଧାଡ଼ିରେ ଭକ୍ତ ପ୍ରବେଶ କରିବେ, କିନ୍ତୁ ସାନଛତା ମଠ ନିକଟରେ ବଡ଼ଦାଣ୍ଡ ପାର୍ଶ୍ବରୁ ଆସୁଥିବା ଭକ୍ତଙ୍କ ସହ ମିଶିବା ବେଳକୁ ମାତ୍ର ୪ଟି ଧାଡ଼ିରେ ଦର୍ଶନ ପାଇଁ ଯିବେ। ଅନ୍ୟପଟେ ଯେଉଁ ଭକ୍ତମାନେ ଆସିବେ, ସେମାନଙ୍କ ପାଇଁ ନିଶୁଳ୍କ ଜୋତାଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି। ୪ଟି କାଉଣ୍ଟର ଏଥିପାଇଁ ଖୋଲାଯାଇଛି।