ଆରୋଗ୍ୟଦାତା ଶ୍ରୀଧନ୍ବନ୍ତରୀ ଓ ଧନତେରସ

ରାଜବୈଦ୍ୟ ଗୋପାଳଚନ୍ଦ୍ର ନନ୍ଦ

ଧନତେରସ ଏକ ପବିତ୍ର ଦିବସ, ଯାହା କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଆସିଥାଏ। ଯାହାକୁ ଧନବର୍ଷା ହେବାର ସ୍ବର୍ଣ୍ଣାଦି ଅଳଙ୍କାର ଶୁଭ ମାଙ୍ଗଳିକ କର୍ମର ଆଗମନକୁ ବୁଝାଇଥାଏ। ତେବେ ଏହି ‘ଧନତେରସ’ ଶବ୍ଦ ସହିତ ଏକ ବିଶେଷ ପ୍ରଥା ମଧ୍ୟ ଯୋଡ଼ି ହୋଇ ରହିଛି, ଯାହା ବହୁତ କମ୍‌ ଲୋକ ଜାଣନ୍ତି। ତାହା ହେଉଛି ଶ୍ରୀଧନ୍ବନ୍ତରୀଙ୍କର ଆବିର୍ଭାବ ଦିବସ। ଏହି ଧନ୍ବନ୍ତରୀଙ୍କୁ ଆରୋଗ୍ୟଦାତା ଭଗବାନ ରୂପେ ଶାସ୍ତ୍ର, ପୁରାଣ, ବେଦାଦିରେ ବର୍ଣ୍ଣନା କରାଯାଇଛି। ଏହି ‘ଧନ୍ବନ୍ତରୀ’ ଶବ୍ଦରୁ କାଳକ୍ରମେ ଧନତେରସର ସୃଷ୍ଟି ହୋଇଛି। ପୃଥିବୀ ପୃଷ୍ଠରୁ ଜରାବ୍ୟାଧି ରୋଗ ନାଶ କରି ଆରୋଗ୍ୟ ମନ୍ତ୍ର ପ୍ରଦାନ କରିଥିବା ଭଗବାନ ଶ୍ରୀଧନ୍ବନ୍ତରୀଙ୍କର ସ୍କନ୍ଦପୁରାଣ, ମତ୍ସ୍ୟ ପୁରାଣ ଆଦିରେ ବର୍ଣ୍ଣନା ମିଳେ। ସଂହିତା ଗ୍ରନ୍ଥ ଅନୁସାରେ ଏହି ଧନ୍ବନ୍ତରୀ ମଧ୍ୟ କାଶୀରାଜ ଦିବୋଦାସ ଭାବେ ପରିଚିତ, ଯିଏକି ଶଲ୍ୟଶାସ୍ତ୍ର ସହିତ ସମସ୍ତ ଆୟୁର୍ବେଦ ପ୍ରଚାର କରାଇଥିଲେ। ମନୁଷ୍ୟମାନଙ୍କର ରୋଗ ଶକ୍ତି ନିମନ୍ତେ ବିଭିନ୍ନ ବୃକ୍ଷଲତା ସହିତ ସ୍ବର୍ଣ୍ଣାଦି ଧାତୁମାନଙ୍କ ମଧ୍ୟ ଔଷଧୀୟ ପ୍ରୟୋଗ ଆଭୂଷଣ ସହିତ ସେବନର ବିଧି ଆୟୁର୍ବେଦରେ ବର୍ଣ୍ଣିତ। ତେଣୁ ଏହି ଦିବସରେ ସ୍ବର୍ଣ୍ଣ ଆଦି ଧାତୁ କ୍ରୟ କରିବାର ପ୍ରଥା ସାମାଜିକ, ଆର୍ଥିକ, ମାନସିକ ଓ ଦୈବୀଭାବ ସଂପନ୍ନ ସହିତ କଲ୍ୟାଣକାରୀ, ଆୟୁବର୍ଦ୍ଧକ, ମନର ପ୍ରସନ୍ନତା, ଶରୀର ସୌନ୍ଦର୍ଯ୍ୟ ଓ ଓଜ ବୃଦ୍ଧି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାର ବିଶ୍ବାସ ଶାସ୍ତ୍ରାଦି ପ୍ରମାଣନୁସାରେ ପ୍ରଚଳିତ।

ବର୍ତ୍ତମାନ କୋଭିଡ ମହାମାରୀର ଏକମାତ୍ର କାରଣ ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ। ଯାହାର ବିପକ୍ଷରେ ସଂଗ୍ରାମ କରିବା ପାଇଁ ଏହି ବୃକ୍ଷଲତା ସହ ସ୍ବର୍ଣ୍ଣାଦି ଧାତୁର ବ୍ୟବହାର ଆୟୁର୍ବେଦ ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ। ଏହି ଦିବସକୁ ଭାରତ ସରକାର ଲୋକମାନଙ୍କର ରୁଚି ଓ ଆଗ୍ରହ ବଢ଼ାଇବାର ବହୁତ ପ୍ରୟାସ କରାଯାଉଛି। ଆଜି ଆୟୁର୍ବେଦ ବିଶ୍ବ ଦରକାରରେ ପ୍ରଶଂସିତ। ଏହାର ନିରୋଗକାରିତା ଗୁଣ ପାଇଁ ଯାହା ଧନ୍ବନ୍ତରୀ ଦିବସର ମୂଳ ଲକ୍ଷ୍ୟ ଓ ଧନତେରସ ପାଳନ କରିବାର ପରମ୍ପରା ପ୍ରଚଳିତ। ଏହି ଦିବସରେ ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର ଯେ ଆମର ଚିରପ୍ରଚଳିତ ଆୟୁର୍ବେଦ ଚିକିତ୍ସା କେତେ ଆପଣାର ଓ ଜୀବନର ଆରୋଗ୍ୟମନ୍ତର। ଆଜି ଯେଉଁ ଗୁଳୁରୀ (ଗିଲୋୟ) ପ୍ରତ୍ୟେକ ବ୍ୟକ୍ତି କୋଭିଡ ସଂକ୍ରମଣ ମହାମାରୀ ସମୟରେ ବ୍ୟବହାର କରିବା ସହିତ ଏହା ବୈଜ୍ଞାନିକ ତଥା ଆତୁରୀୟ ଅଧ୍ୟୟନ ଉପଲବ୍‌ଧ ଜ୍ଞାନ ବିଷୟରେ ଜାଣିବା ଉଚିତ। ଏହି ଲତାଟି ଶ୍ରୀଧନ୍ବନ୍ତରୀଙ୍କ ଚତୁର୍ଭୁଜରୁ ଗୋଟିଏ ଭୂଜରେ ଶୋଭା ପାଏ ଏବଂ ଏହାର ଗୁଣକାରିତାକୁ ଉପଲବ୍‌ଧି କରି ଭାରତ ସରକାର ମଧ୍ୟ ଏହି ଲତାକୁ ଜାତୀୟ ବନୌଷଧି ରୂପେ ପୂର୍ବରୁ ଘୋଷଣା କରି ସାରିଛନ୍ତି। ଆସନ୍ତୁ, ଏହି କୋଭିଡ ମହାମାରୀ ସମୟରେ ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି କିପରି ରୋଗ ପ୍ରତିରୋଧ କରିବା ପାଇଁ ଆୟୁର୍ବେଦକୁ ଆପଣାଇ ପାରିବେ ଏବଂ ଧନତେରସରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇପାରିବ, ସେଥିପାଇଁ ଶ୍ରୀଧନ୍ବନ୍ତରୀଙ୍କଠାରେ ଆରୋଗ୍ୟମନ୍ତ୍ର ଶିଖିବା ଓ ସଭିଙ୍କ ନିରୋଗ ପାଇଁ ପ୍ରାର୍ଥନା କରିବା।
ମୋ.୯୪୩୭୨୭୮୫୧୧

ସମ୍ବନ୍ଧିତ ଖବର