ଶ୍ରୀଜଗନ୍ନାଥ ଏସୀୟ ଜ୍ୟୋତିଷ ସମ୍ମିଳନୀ : ନରେନ୍ଦ୍ର ମୋଦୀଙ୍କର ୨୦୨୯ ଯାଏଁ ପ୍ରଧାନମନ୍ତ୍ରୀ ଯୋଗ!

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୯ ମସିହା ଯାଏଁ ପ୍ରଧାନମନ୍ତ୍ରୀ ରହିପାରନ୍ତି। ଗ୍ରହ ସ୍ଥିତି ସବଳ ଥିବାରୁ ଏପରି ପୂର୍ବାନୁମାନ କରିଛନ୍ତି ଜ୍ୟୋତିଷଗଣ। ୪ର୍ଥ ସ୍ଥାନରେ ବୃହସ୍ପତି ଓ ୫ମରେ ରାହୁ ରହିଛି। ନରେନ୍ଦ୍ର ମୋଦୀଙ୍କ ଜନ୍ମ ତାରିଖ, ଜନ୍ମ ସ୍ଥାନ ଏବଂ ଜନ୍ମ ସମୟକୁ ଅନୁଶୀଳନ ପୂର୍ବକ ଏପରି ମତ ରଖିଛନ୍ତି ଜ୍ୟୋତିଷମାନେ। ଆଜି ‘ଭୃଗୁ ଜ୍ୟୋତିଷ’ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଆୟୋଜିତ ‘ଶ୍ରୀଜଗନ୍ନାଥ ଏସୀୟ ଜ୍ୟୋତିଷ ସମ୍ମିଳନୀ’ରେ ଜ୍ୟୋତିଷମାନେ ନରେନ୍ଦ୍ର ମୋଦୀଙ୍କ ଭାଗ୍ୟ ସମ୍ପର୍କିତ ଏକ ସ୍ବତନ୍ତ୍ର ଅଧିବେଶନରେ ଏପରି ମତ ରଖିଛନ୍ତି।

ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ୟୋତିଷ ସମ୍ମିଳନୀର ଉଦ୍‌ଘାଟନୀ ସଭାରେ ବାଂଲାଦେଶର ବରିଷ୍ଠ ଜ୍ୟୋତିଷୀ ମଞ୍ଜୁରୁଆଲ୍‌ ଆସାନ୍‌, ଆଲୋକ କୁମାର ଘୋଷ୍‌, ନନୀଗୋପାଲ୍‌ ବିଶ୍ବାସ, ସୌରଭ ଶାହା, ବୁଲୁ ଆଚାର୍ଯ୍ୟ, ଶେଖର ରଏ, ଶୋଭାଗିନୀ ବିଶ୍ବାସ ଏବଂ ଧନଞ୍ଜୟ ଦେବଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉତ୍କଳୀୟ ପ୍ରାନ୍ତୀୟ ପଞ୍ଜିକା, ଜାତୀୟ ପଞ୍ଜିକା, ଅନ୍ତର୍ଜାତୀୟ ପଞ୍ଜିକାର ଗଣନାର ଧାରା ସମାନ କରିବା ପାଇଁ ଜ୍ୟୋତିଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଜ୍ୟୋତିଷୀଙ୍କ ମଧ୍ୟରେ ସ୍ବଗବେଷଣାକୁ ପରସ୍ପର ମଧ୍ୟରେ ବିନିମୟ କରିବା ପାଇଁ ଏହି ସମ୍ମିଳନୀ ସୁଯୋଗ ସୃଷ୍ଟି କରିବା ସହ ଏହାକୁ ଜନାଭିମୁଖୀ କରାଇବା ଦିଗରେ ଆଲୋଚନା ହୋଇଥିଲା। ଜ୍ୟୋତିଷ ଜୀବିକାକୁ ସରକାରୀ ସ୍ବୀକୃତି ପ୍ରଦାନ ସହିତ ଜ୍ୟୋତିଷୀମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ନିବେଦନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଜ୍ୟୋତିଷ, ବାସ୍ତୁ, ସାମୁଦ୍ରିକ ଶାସ୍ତ୍ର, ସଂଖ୍ୟାଶାସ୍ତ୍ର ଓ ତନ୍ତ୍ରଶାସ୍ତ୍ର ସମ୍ବନ୍ଧୀୟ ପ୍ରତିଯୋଗିତା ହୋଇଥିଲା।

ସମ୍ବନ୍ଧିତ ଖବର