ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା ନିମିତ୍ତ ଏକ ଅଧ୍ୟୟନ କକ୍ଷ ଆଜି ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟରେ ଉଦ୍ଘାଟିତ ହୋଇଛି। ଏହାକୁ ଦିବ୍ୟଜୀବନ ସଂଘ ତଥା ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ ସଂପାଦକ ସ୍ୱାମୀ ଜଗନ୍ନାଥ ନନ୍ଦଜୀ ସରସ୍ୱତୀ ମହାରାଜ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଏହି ଅନୁଷ୍ଠାନ ଦୀର୍ଘ ୪୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା କରି ଆସୁଛି।
ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଯେଉଁ ପ୍ରୟାସ କରାଯାଉଛି ତାହା ପ୍ରଶଂସନୀୟ। ସମ୍ମାନିତ ଅତିଥି ପ୍ରଫେସର ନିରଞ୍ଜନ ବାରିକ ଜଗନ୍ନାଥ ତତ୍ତ୍ବର ବିକାଶ ପାଇଁ ଏଭଳି କାର୍ଯ୍ୟ ଅଧିକରୁ ଅଧିକ କରାଯାଉ ବୋଲି କହିଥିଲେ। ଅନ୍ୟତମ ଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ ନାୟକ ପ୍ରତିଷ୍ଠାନର ବହୁମୁଖି ଗବେଷଣାମୂଳକ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି କହିଥିଲେ। ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ପ୍ରମୋଦ ପରିଡ଼ା, ସଂପାଦକ ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ପ୍ରଫୁଲ୍ଲ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶିବାନନ୍ଦ ଦାଶଙ୍କ ଦ୍ବାରା ସୌରଜଗତ ଉପରେ ଆଧାରିତ ପୁସ୍ତକ ‘ଡାର୍କ ଲାଇଟ୍’ ଉନ୍ମୋଚିତ ହୋଇଥିଲା।