ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ

ଭୁବନେଶ୍ୱର : ନୃତ୍ୟରେ ନୃତ୍ୟରେ ଜୟଦେବଙ୍କ ଗୀତଗୋବିନ୍ଦକୁ ଲୋକାଭିମୁଖୀ କରାଇବା ତଥା ଭାରତବର୍ଷର କୋଣ ଅନୁକୋଣରୁ ପ୍ରତିଭା ଅନ୍ବେଷଣ ମହାପର୍ବର ଶୁଭାରମ୍ଭ ହୋଇଛି। ଭଞ୍ଜକଳା ମଣ୍ଡପ ପରିସରରେ ନ୍ୟାସନାଲ କଲଚର ମିସନ ପକ୍ଷରୁ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ଆୟୋଜକ କମିଟି ନିର୍ଦ୍ଦେଶକ ଜଗବନ୍ଧୁ ଜେନା, ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପଦେଷ୍ଟା ସଞ୍ଜୀବ ପାଇକରାୟ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଉତ୍ସବ କମିଟି ଅଧ୍ୟକ୍ଷ ତଥା ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ଏସ୍‌କେ ତାମୋଟିଆ ପରିଚାଳନା କରିଥିବା ବେଳେ ବିଶ୍ବଜିତ ବଳିୟାରସିଂହ ସଂଯୋଜନା କରିଥିଲେ।

ପୂର୍ବାହ୍ନରେ ‘ନବୀନ କଳାକାର’କୁ ବୀଣାପାଣି ସଙ୍ଗୀତ କଳା ପୀଠର ଅଧ୍ୟକ୍ଷ ବିପିନ ବିହାରୀ ସ୍ବାଇଁ ଉଦ୍‌ଘାଟନ କରିଥିଲେ। ପରେ ଅନୁଗୁଳର ତୁଳସୀ ତନ୍ମୟା ପଟ୍ଟନାୟକ, କଟକର ରେଖା ମହାନ୍ତି, କୋଲକାତାର ରାଜୀବ ଭଟ୍ଟାଚାର୍ଯ୍ୟ, ନୀଳାଦ୍ୟୁତି ଚୌଧୁରୀ, ସରସ୍ବତୀ ସର୍କାର, ତ୍ରିଷା ଦାସ, ସୁମନା ଦାସ ଭଟ୍ଟାଚାର୍ଯ୍ୟ, ମୁମ୍ବାଇ ଗୀତାଞ୍ଜଳି ରାୟ ଏକକ ଓଡ଼ିଶୀ ପରିବେଷଣ କରିଥିବା ବେଳେ ଭୁବନେଶ୍ବରର ସୁରଭି ପକ୍ଷରୁ ଗ୍ରୁପ୍‌ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କୋଲକାତା ଶାନ୍ତିନିକେତନର ମେହେଲ ସାଇନ ମଣିପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ଚେନ୍ନାଇର ଅର୍ଚ୍ଚନା ମହେଶ ଓ କୋଲକାତାର ସୁସ୍ମିତା ସିଂହଦେ ଭାରତନାଟ୍ୟମ୍‌ ପରିବେଷଣ କରିଥିଲେ। ଏହି ଅବସରରେ ଜିକେସିଏମ୍‌ ଓଆରସି ମୁଖ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁଙ୍କୁ ଗୀତଗୋବିନ୍ଦ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବିଜୁ ପଟ୍ଟନାୟକ ଡିଗ୍ରି କଲେଜର ସଂସ୍କୃତ ବିଭାଗ ମୁଖ୍ୟ ଡ. ଜୟଶ୍ରୀବାଳା ମଲ୍ଲିକଙ୍କୁ ସଂସ୍କୃତ ଭାଷାରେ ଗୀତଗୋବିନ୍ଦ ପରିବେଷଣ ପାଇଁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର