ପୁରୁଣା ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଅବସରରେ ଆଜି ଏକମ୍ର କ୍ଷେତ୍ରରେ ଯମ ଦ୍ୱିତୀୟା ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ଭଉଣୀ କାମାକ୍ଷା ଠାକୁରାଣୀଙ୍କ ପାଖକୁ ଭୋଗ ଖାଇବାକୁ ଯାତ୍ରା କରିଥିଲେ। ମହାପ୍ରଭୁ ସେବାୟତଙ୍କ ଗହଣରେ ପାଲିଙ୍କିରେ ବସି ପ୍ରଥମେ ସ୍ଥାନୀୟ ଯମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ।
ସେଠାରେ ଭୋଗ ଲାଗିପରେ ଶ୍ରୀଯମେଶ୍ୱରଙ୍କ ସହ ଭେଟ ଆଳତି ହୋଇଥିଲା। ପରେ ମହାପ୍ରଭୁ ତାଙ୍କ ଭଉଣୀ ଦେବୀ କାମାକ୍ଷା ଠାକୁରାଣୀଙ୍କ ନିକଟକୁ ଯାଇଥିଲେ। ସେଠାରେ ବିଭିନ୍ନ ମିଠା ଓ ଭୋଗ ଗ୍ରହଣ କରିବା ପରେ ଭେଟ ଆଳତି କରାଯାଇଥିଲା। ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ଆଜି ମଧ୍ୟ ଏକାମ୍ର କ୍ଷେତ୍ରରେ ବିବାହିତ ମହିଳାମାନେ ତାଙ୍କ ଭାଇମାନଙ୍କୁ ବିଭିନ୍ନ ବ୍ୟଞ୍ଜନ ଓ ମିଠା ଖୁଆଇ ଏହି ପରମ୍ପରା ପାଳନ କରାଯାଇଥିଲା।