୩ଟି ସ୍ଥାନରେ ଶ୍ରୀଲିଙ୍ଗରାଜଙ୍କ ଜମି ଜବର ଦଖଲ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ ପୁନରୁଦ୍ଧାର କରିବାରେ ପ୍ରଶାସନ ବିଫଳ ହୋଇଛି। ଆଜି ଗୋଟିଏ ଦିନରେ ୩ଟି ସ୍ଥାନରେ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ତେବେ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲେ ହେଁ ସେମାନେ କିଛି ଜାଣି ନଥିବା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜାରାଣୀ ମୌଜା ଅନ୍ତର୍ଗତ ଲୁଇସ୍‌ ରୋଡ୍‌ ମହାବୀର ବାଜର ନିକଟରେ ଥିବା ଏକ ବଡ଼ ଜମିର ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବୋର୍ଡ ଲଗାଯାଇଥିଲା। ଉକ୍ତ ଜମି ଏବେ ଜବରଦଖଲକ‌ାରୀଙ୍କ କବ୍‌ଜାକୁ ଚାଲି ଯାଇଥିବା ଅଭିଯୋଗ କରାଯାଇଛି। ଏକ ବିଲ୍‌ଡର ସଂସ୍ଥା ପକ୍ଷରୁ ଉକ୍ତ ଜମିରେ ଥିବା ବୋର୍ଡକୁ ପୋତି ଘର ତିଆରି ଚାଲିଛି ବୋଲି ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ସେହିପରି ଗୌତମ ନଗର ମୌଜାରେ ଥିବା ଏକ ବଡ଼ ଜମିକୁ ଜବରଦଖଲ କରାଯାଇଛି। ବିନ୍ଦୁସାଗର ନିକଟ ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିକୁ କେହି ଜଣେ ବାଲି ପକାଇ ଜବରଦଖଲ କରୁଛି ବୋଲି କିଛି ଦଳିତ ଯୁବକ ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଖବର ପାଇ ଆଜି ମନ୍ଦିର ପ୍ରଶାସନ ଅମିନ ସେଠାକୁ ଯାଇଥିଲେ। ଘଟଣା ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗୌତମନଗର ମୌଜାର ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ପଛପାଖରେ ମନ୍ଦିର ଜମି ଜବରଦଖଲ ନେଇ ଅଭିଯୋଗ ହେବା ପରେ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ଟ୍ରଷ୍ଟ ବୋର୍ଡରେ ଆଲୋଚନା ହେବ। ସେହିପରି ଗୌତମନଗର ମୌଜାରେ ପୂର୍ବରୁ ମହାପ୍ରଭୁଙ୍କ ନାମରେ ଥିବା ଏକ ରାସ୍ତା ଏବେ ବିଏମ୍‌ସି ଅଧୀନରେ ରହିଛି। ୫୪ନଂ ୱାର୍ଡ ଅଧୀନ ଚେମେଡ଼ି ସାହିରେ ଏହି ରାସ୍ତା ଉପରେ ଘର ତିଆରି ଚାଲିଛି। ଏନେଇ ସ୍ଥାନୀୟ ଲୋକ ଆଜି ବିଏମ୍‌ସି ଅତିରିକ୍ତ କମିସନର ଶୁଭମ ସକ୍‌ସେନାଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସେ ଉକ୍ତ ୱାର୍ଡକୁ ଦତନ୍ତ କରିବାକୁ ଯାଇଥିଲେ। ରାସ୍ତା ଉପରେ ଘର ତିଆରି ହେବା ଦେଖିବା ପରେ ସେ ପୁଲିସ ସହାୟତାରେ କାମ ବନ୍ଦ କରିଥିଲେ।

ସମ୍ବନ୍ଧିତ ଖବର