ସେବାୟତଙ୍କ ଅଭିଯୋଗ : ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଖୋଳା ହେଲେ ପରମ୍ପରା ଭଙ୍ଗ ହେବ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ହେଲେ ମନ୍ଦିର ସମ୍ମୁଖ ରାସ୍ତାକୁ ଖୋଳି ପାହାଚ ନିର୍ମାଣ କଲେ ନୀତି ଓ ପରମ୍ପରା ଭଙ୍ଗ ହେବ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ୭ ଦିନ ପୂର୍ବରୁ ବ୍ୟାଖ୍ୟାନ କେନ୍ଦ୍ର ଭଙ୍ଗାଯାଇ ପାଚେରି ଓ ଗଛ ଲଗା ଯାଇଥିବା ବେଳେ ଏବେ ପୁଣି ଭଙ୍ଗା ଯାଇ ମାଟି କଢ଼ା ଯାଉଛି। ବ୍ୟାଖ୍ୟାନ କେନ୍ଦ୍ର ଥିବା ସ୍ଥାନ ଓ ଥାନା ଚାରିପଟରୁ ମାଟି ୩ଫୁଟ୍‌ ତଡ଼ା ଯିବା ପରେ ପ୍ରଶାସନର ଗଢ଼ିବା, ଭାଙ୍ଗିବା କାମ ଦେଖି ସାଧାରଣ ଲୋକେ ସନ୍ଦେହରେ ପଡ଼ୁଛନ୍ତି। ପ୍ରଶାସନ କେବେ କଳା ପାହାଡ଼ ତ ପୁଣି କେବେ ବିଶ୍ବକର୍ମା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ‌ତେବେ ମନ୍ଦିର ସିଂହଦ୍ବାର ନିକଟରେ ଚାହାଣି ମଣ୍ଡପ ପର୍ଯ୍ୟନ୍ତ ଓ ସିଂହଦ୍ବାରରୁ ହାଟସାହି ଛକ ପର୍ଯ୍ୟନ୍ତ ରାସ୍ତା ଖୋଳା ଯିବାକୁ ସରକାରଙ୍କ ଯୋଜନା ରହିଛି। ଲୋକ ଯିବା ପାଇଁ ଚାହାଣି ମଣ୍ଡପ, ସିଂହଦ୍ବାର ଓ ହାଟ ସାହି ଛକରେ ପାହାଚ କରାଯିବ। ଏନେଇ ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ କୁହନ୍ତି, ଏହି ପାହାଚ ଯୋଗୁଁ ପରମ୍ପରା ଭଙ୍ଗ ହେବ। ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବର ଗାଡ଼ି ଓ ଦଶହରା ଭସାଣ ବେଳେ ମା’ଙ୍କ ମୂର୍ତି ମନ୍ଦିର ନିକଟକୁ ଯାଇ ପାରିବ ନାହିଁ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ବ୍ରତଘର ବେଳେ ମନ୍ଦିର ସିଂହଦ୍ବାରକୁ ଯିବାକୁ ସମସ୍ୟା ହେବା ସହ ସେବାୟତ ପ୍ରତିଦିନ ପାହାଚ ଚଢ଼ି ଯିବା ମୁସ୍କିଲ ହେବ। ଏନେଇ ବିଏମ୍‌ସି ଅତିରକ୍ତ କମିସନର ଅବନୀ ପଟ୍ଟନାୟକ କୁହନ୍ତି ଏ ସବୁ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ।

ସମ୍ବନ୍ଧିତ ଖବର