ଶ୍ରୀଲିଙ୍ଗରାଜ ମନ୍ଦିର : ପାଣ୍ଡିଆନ ବୁଲିଯିବା ପରେ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌ କଥା ମନେ ପଡ଼ିଲା

ପୁରୁଣା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ ଶ୍ରୀଲିଙ୍ଗରାଜ ମନ୍ଦିର ବୁଲି ଯିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୦ ମାସ ହେଲା ରଖାଯାଇଥିବା ମେସିନ୍‌ ମାସେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ଏହି ମେସିନ୍‌ ଗତ ଜାନୁଆରି ୨୩ ତାରିଖରେ ଅଣାଯାଇ ମନ୍ଦିର କାର୍ଯ୍ୟାଳୟରେ ରଖାଯାଇଥିଲା। ମନ୍ଦିରରୁ ବାହାରୁଥିବା ପାଦୁକ, ବେଲପତ୍ର, କଦଳୀ ଏଣେ ତେଣେ ପକାନଯାଇ ଏହି ମେସିନ୍‌ରେ ପକାଯିବ। ସେହିପରି ପ୍ରସାଦ କିମ୍ବା ବଳକା ଅବଢ଼ା କଦଳୀପତ୍ର ଏଣିକି ଫିଙ୍ଗା ନଯାଇ ଏହି ‌ମେସିନ୍‌ରେ ପକାଯାଇ ସାର ତିଆରି ହେବ।

ସୂଚନା ଅନୁଯାୟୀ, ୧୨ଫୁଟ୍‌ ଚଉଡ଼ା ଓ ୧୦ଫୁଟ୍ ଲମ୍ବା ବିଶିଷ୍ଟ ଏହି ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌ ମନ୍ଦିର ପରିସରରେ ଆନନ୍ଦ ବଜାର ନିକଟରେ କିମ୍ବା ମନ୍ଦିର କଡ଼ରେ ବସିବା ଯୋଜନା ରହିଛି। ଏହି ମେସିନ୍‌ ବଳକା ଅବଢ଼ା ଓ ପାଦୁକକୁ ୨୪ଘଣ୍ଟା ମଧ୍ୟରେ ସାରରେ ପରିଣତ କରିବ। ମନ୍ଦିରରୁ ପ୍ରତିଦିନ ପ୍ରାୟ ଗୋଟିଏ ଟ୍ରକ୍‌ ପାଦୁକ ବାହାରୁଛି। ଶ୍ରାବଣ ମାସ, ମହାଶିବରାତ୍ରି ଆଦି ପର୍ବ ପର୍ବାଣିରେ ୫ରୁ ୭ଟ୍ରକ୍‌ ଅବର୍ଜନା ବାହରୁଛି। ଠାକୁରଙ୍କ ଉପରେ ଲାଗି ହେଉଥିବା ବେଲପତ୍ର, କଦଳୀ, ଫୁଲ ଆଦି ବାହାର କରାଯାଇ ହାଟ ନିକଟ ଡଷ୍ଟ୍‌ବିନ୍‌ରେ ପଡ଼ୁଛି। ସେହିପରି ମନ୍ଦିରରେ ଆନନ୍ଦ ବଜାରରେ ଅଇଁଠା କଦଳୀପତ୍ର ଓ ବଳୁଥିବା ଅବଢ଼ା ମଧ୍ୟ ନଷ୍ଟ କରାଯାଇ ଫିଙ୍ଗା ଯାଉଛି। ଏହା ପରେ ବିଏମ୍‌ସି ପକ୍ଷରୁ ଏହାକୁ ନିଆଯାଉଛି। ଠାକୁରଙ୍କୁ ସମର୍ପଣ ପାଦୁକ ଡଷ୍ଟବିନ୍‌ରେ ଫୋପଡ଼ା ଯାଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏହି ପାଦୁକ ଆଉ ସାଧାରଣ ଡ‌ଷ୍ଟବିନ୍‌ରେ ପକାଯିବ ନାହିଁ। ଏଗୁଡ଼ିକ ସାର ତିଆରି ହେବା ସହ ବିଭିନ୍ନ ଗଛରେ ଦିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର