ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୂଦ୍ର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯାତ୍ରାର ନୀତି ନିର୍ଘଣ୍ଟ କରାଯାଇଛି। ବିଭିନ୍ନ ପାଞ୍ଜିକୁ ତର୍ଜମା କରାଯିବା ପରେ ୨୯ ତାରିଖରେ ମଙ୍ଗନ, ୩୦ ତାରିଖରେ ବିବାହ ଓ ୩୧ ତାରିଖରେ ଶୀତଳଷଷ୍ଠୀ ହେବ ବୋଲି ଧାର୍ଯ୍ୟ ହୋଇଛି। ରାତି ୧୨ଟା ସୁଦ୍ଧା ବରାନୁଗମନ କରିବେ। ରାତି ୧୨ଟାରୁ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ। ସେହିପରି ୩୧ ତାରିଖ ରାତି ୧୦ଟାରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରରୁ ନବଦମ୍ପତି ବାହାରିବେ ବୋଲି ବୈଠକରେ ନିଷ୍ପତି ହୋଇଛି। ଯାତ୍ରା ପାଇଁ କେଦାରଗୌରୀ ମନ୍ଦିରକୁ ସଫା କରିବା ଓ ବଡ଼ଦାଣ୍ଡ ଶୀତଳଷଷ୍ଠୀ ରାସ୍ତାରେ ଥିବା ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଠାକୁରଙ୍କ ଯିବା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯିବ।

Advertisment

ବାଣ ଓ ଡିଜେକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ବେହେରା ସେବାୟତଙ୍କ ଲଉଡ଼ି ଖେଳ ଅନୁଷ୍ଠିତ ହେବ। ସେହିପରି ଶୀତଳଷଷ୍ଠୀ ରାସ୍ତାରେ ପିଏଚ୍‌ଡି ପକ୍ଷରୁ ୪ଟି ଛକରେ ପାଣି ଟଙ୍କି ରଖିବା, ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି ଦୁଇ ଦିନ ବିଦ୍ୟୁତ୍ ନକାଟିବାକୁ ସେସୁକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଯାତ୍ରାରେ ଯେଉଁ ସେବାୟତମାନଙ୍କ ପାଳି ଅଛି ସେମାନେ ନୀତିକୁ ସୂଚାରୁ ରୂପେ ସଂପାଦନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ବୈଠକରେ ମନ୍ଦିରର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧକାରୀ ହେମନ୍ତ ବାରିମଲ, ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବ୍ରାହ୍ଣଣ ନିଯୋଗର ଭାଗିରଥୀ ମହାସୁଆର, ବିରଞ୍ଚି ପତି, ନାରାୟଣ ମହାପାତ୍ର, ହେମାଦ୍ରୀ ମହାପାତ୍ର, ଅଗାଧୁ ପୂଜାପଣ୍ଡା, ସଚିକାନ୍ତ ପୂଜାପଣ୍ଡା, ଲୁଲୁ ମହାପାତ୍ର, ପ୍ରଶାନ୍ତ ସମର୍ଥା, ମନ୍ଦିର ନୀତି ସୁପରଭାଇଜର ରାଜକିଶୋର ମହାପାତ୍ର, ରବୀନ୍ଦ୍ର ବିଶୋଇ, କୁନା ଖୁଣ୍ଟିଆ, ଅପାଟିଆ ସେବାୟତ ସମେତ ବହୁ ସେବାୟତ ଉପସ୍ଥିତ ଥିଲେ।

ଫୁଟିବନି ବାଣ, ବାଜିବନି ଡିଜେ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି। କମିଟିର ସଭାପତି ସୁରେଶ କୁମାର ରାଉତରାୟ, ସନତ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିବା ସହ ସ୍ବତନ୍ତ୍ର ପ୍ୟାକେଜ୍‌ ପାଇଁ ଦାବି କରିଥିଲେ। ପୂର୍ବରୁ ଆଇନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ସହ ବିଏମ୍‌ସି ମେୟରଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ସହଯୋଗ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।