ପୁରୁଣା ଭୁବନେଶ୍ୱର: ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆସନ୍ତାକାଲି ପଢ଼ୁଆଁ ହେବେ। ଏଥିପାଇଁ ମାମୁଘର ଶ୍ରୀମୈତ୍ରେଶ୍ୱର ମନ୍ଦିରରେ ଉତ୍ସବର ମାହୋଲ। ଭଣଜା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ସ୍ବାଗତ କରିବା ଓ ନୂତନ ବସ୍ତ୍ର ଦେଇ ପଢ଼ୁଆଁ ନୀତି ସମାପନ କରିବା ପାଇଁ ମନ୍ଦିର ସେବାୟତମାନଙ୍କ ପକ୍ଷରୁ ବ୍ୟପାକ ପ୍ରସ୍ତୁତି କରାଯାଇଛି। ସନ୍ଧ୍ୟାରେ ଏହି ନୀତି ମହାଆଡ଼ମ୍ବର ସହକାରେ ସମାହିତ ହେବ। ଲିଙ୍ଗରାଜ ମନ୍ଦିରରେ ସକାଳୁ ଦ୍ୱିପ୍ରହର ଯାଏ ଯଥାରୀତି ପୂଜାର୍ଚ୍ଚନା, ଧୂପ ଓ ଆଳତି ଆଦି ଅନୁଷ୍ଠିତ ହେବାପରେ ସନ୍ଧ୍ୟାବିଧି ଶେଷରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ମାମୁଘର ମୈତ୍ରେଶ୍ବର ମନ୍ଦିର ଅଭିମୁଖେ ନିଆଯିବ। ରାତି ପ୍ରାୟ ସାଢ଼େ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନ୍ୟ ଦେବଦେବୀମାନେ ବଢ଼େଇବାଙ୍କ ଛକ ନିକଟସ୍ଥ ମୈତ୍ରେଶ୍ବର ମନ୍ଦିରକୁ ଯାତ୍ରା କରିବେ।
ମାମୁଘର ପରିସରକୁ ପୂର୍ବରୁ ବିଭିନ୍ନ ଫୁଲ ଓ ରଙ୍ଗୋଲିରେ ସଜ୍ଜିତ କରାଯାଇଥିବ। ଭଣଜା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଟୁଆର ମୈତ୍ରେଶ୍ବର ମନ୍ଦିର ସମ୍ମୁଖରେ ପହଞ୍ଚିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ଦେବଦେବୀଙ୍କୁ ଶ୍ରୀମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇ ପାପନାଶିନୀ ପୁଷ୍କରିଣୀରୁ ପାଣି ଆଣି ଶୁଦ୍ଧ ସଂସ୍କାରିତ ଜଳରେ ଦେବଦେବୀଙ୍କ ସ୍ନାନବିଧି ଅନୁଷ୍ଠିତ ହେବ। ପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପରିଧାନ କରାଯିବ। ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଭଣଜାଙ୍କୁ ମୁଆଁଭୋଗ ଲାଗିକରି ଭେଟ ଆଳତି କରିବେ। ସେହିପରି କାଲି ଶ୍ରୀକପିଳନାଥ ମଧ୍ୟ ପଢ଼ୁଆଁ ହେବେ। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟସ୍ଥ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଆଜି ସନ୍ଧ୍ୟାରେ ଯାଇଥିବା ନୂଆବସ୍ତ୍ର ପିନ୍ଧି ପ୍ରଭୁ କପିଳନାଥ ପଢ଼ୁଆଁ ହେବେ।