ଭୁବନେଶ୍ୱର: ପ୍ରତିମାସର ଦ୍ବିତୀୟ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିବା କଥା। ହେଲେ ବସୁନାହିଁ। ବର୍ଷକୁ ୧୨ଥର ବୈଠକ ହେବା ବଦଳରେ ମାତ୍ର ୨ରୁ ୩ ଥର ବସୁଛି। ଆହୁରି ସାଂଘାତିକ କଥା ହେଉଛି, ଏହି ହାତଗଣତି ବୈଠକରେ ହେଉଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ନୀତିକାନ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ଗତ ଟ୍ରଷ୍ଟ ବୋର୍ଡ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଓ ଗୁଟ୍ଖା ସେବନକାରୀଙ୍କୁ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରାଯାଇଥିଲା। ୨୦୨୪ ଆରମ୍ଭରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି ଦେଇଥିଲେ। ବାସ୍, ଏତିକିରେ କଥା ସରିଗଲା। ପ୍ରକୃତରେ ଏହି ନିୟମ ପାଳନ ହେଉଛି କି ନାହିଁ, ଏହାର ତଦାରଖ କରିବାକୁ କେହିନାହିଁ। ଆରମ୍ଭରୁ ମନ୍ଦିର ସମ୍ମୁଖରେ ଥିବା ପୋଲିସ କର୍ମଚାରୀ ପ୍ରାୟ ସପ୍ତାହେ ମନ୍ଦିର ଭିତରକୁ ପ୍ଲାଷ୍ଟିକ ନନେବାକୁ ବାରଣ କରିଥିଲେ। ଏହାପରେ ସ୍ଥିତି ପୁଣି ପୂର୍ବଭଳି ହୋଇଗଲା। ଏବେ ପ୍ରାୟ ୯୦% ଶ୍ରଦ୍ଧାଳୁ ପଲିଥିନ୍ରେ ଭୋଗ ଓ ପ୍ଲାଷ୍ଟିକ୍ ଗ୍ଲାସ୍ରେ କ୍ଷୀର ନେଉଛନ୍ତି। ମନ୍ଦିର ଭିତରେ ଓ ବାହାରେ ଥିବା ଦୋକାନୀମାନେ ମଧ୍ୟ ପ୍ଲାଷ୍ଟିକ୍ ଗ୍ଲାସ୍ ଓ ପଲିଥିନ୍ ବ୍ୟବହାର କରୁଛନ୍ତି।
ପ୍ଲାଷ୍ଟିକ୍ ବ୍ୟବହାରରେ ରୋକ୍ ଲାଗୁନି
ଅପମିଶ୍ରିତ ଘିଅରେ ବିକ୍ରି ହେଉଛି ଦୀପ
ନିଶାଦ୍ରବ୍ୟ ଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି
ସେବାୟତଙ୍କୁ ମିଳିନି ପ୍ରମାଣପତ୍ର
ବାରଣ କରିବାକୁ କେହି ନାହିଁ। ସେହିପରି ମନ୍ଦିର ମଧ୍ୟକୁ ପାନ କିମ୍ବା ଗୁଟ୍ଖା ଖାଇ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ହେଲେ ଏବେ ସେ ନିୟମ ପୂରା ହୁଗୁଳି ଯାଇଛି। କେଉଁଠି ପାନଛେପ ପଡ଼ୁଛି ତ ପୁଣି କେଉଁଠି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ହେଉଛି। ନୂଆ ନିୟମ ଲାଗୁ ପରେ ଏସବୁରେ ଅଙ୍କୁଶ ଲାଗିବ ବୋଲି ଆଲୋଚନା ହେଉଥିଲା। ହେଲେ ତାହା ସମ୍ଭବ ହେଲାନାହିଁ। ଅନ୍ୟପଟେ ବୈଠକରେ ନିଷ୍ପତ୍ତି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେବାୟତମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇ ପାରୁନାହିଁ। ଟ୍ରଷ୍ଟ ବୋର୍ଡର ପରିଚୟପତ୍ର ମିଳି ନଥିବାରୁ ପ୍ରକୃତ ସେବାୟତ କିଏ ଏବଂ ଅଣସେବାୟତ କିଏ ତାଙ୍କୁ ଶ୍ରଦ୍ଧାଳୁ ଚିହ୍ନଟ କରିବା କଷ୍ଟକର। ଏହାର ସୁଯୋଗ ନେଇ ରାଜ୍ୟ ବାହାରୁ ଆସୁଥିବା ଅନେକ ପର୍ଯ୍ୟଟକଙ୍କୁ କିଛି ଅଣସେବାୟତ ଶୋଷଣ କରୁଥିବା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି। ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗ ମୁଖ୍ୟଙ୍କୁ ଚିଠି କରାଯାଇ ନିଯୋଗର ତାଲିକା ମଗାଯାଇଥିଲା। ହେଲେ ନିଯୋଗ ପକ୍ଷରୁ ତାଲିକା ଦିଆଯାଇ ନାହିଁ କିମ୍ବା ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ତତ୍ପରତା ନାହିଁ। ସେହିପରି ଓମ୍ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠଭୋଗ ରନ୍ଧା ହେବବୋଲି ନିଷ୍ପତ୍ତି ହୋଇଥିଲା।
ଏନେଇ ପ୍ରତିଦିନ ମନ୍ଦିର ପକ୍ଷରୁ ଓମ୍ଫେଡ୍ ଘିଅ ଯୋଗାଇ ଦିଆଯାଉଛି। ହେଲେ ପ୍ରକୃତରେ ଓମ୍ଫେଡ୍ ଘିଅରେ ଭୋଗ ହେଉଛି ନା ଅନ୍ୟ ଘିଅ ଲାଗୁଛି, ଏହାର ଯାଞ୍ଚ ହେଉନାହିଁ। ସେହିପରି କେବଳ କୋଠଭୋଗ ନୁହେଁ, ମନ୍ଦିରରେ ପ୍ରସ୍ତୁତ ହେଉଥିବା ସମସ୍ତ ଭୋଗ ଭଲଘିଅରେ କରିବାକୁ ଦାବି ହୋଇ ଆସୁଥିଲେ ହେଁ ଏଯାଏ ନିଷ୍ପତ୍ତି ହୋଇପାରୁନାହିଁ। ମନ୍ଦିର ପରିସରରେ ଖୋଲାଖୋଲି ଭାବେ ଅପମିଶ୍ରିତ ଘିଅର ଦୀପ ବିକ୍ରି କରାଯାଉଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଟ୍ରଷ୍ଟ ବୋର୍ଡ ବୈଠକ ଗତ ଅଗଷ୍ଟ ମାସ ୧୭ ତାରିଖରେ ବସିଥିଲା। ପ୍ରତି ମାସରେ ବୈଠକ ବସିବାକୁ ସ୍ଥିର ହୋଇଥିଲେ ହେଁ ୨ ମାସ ହେଲା ବୈଠକ ବସିନାହିଁ। କେବେ ବସିବ ତା’ର ବି ଠିକ୍ ଠିକଣା ନାହିଁ। ବୈଠକରେ ଯାହା ନିଷ୍ପତ୍ତି ହେଉଛି, ତାକୁ କାର୍ଯ୍ୟକାରୀ କରିବାକୁ ଲୋକ ନାହାନ୍ତି। ତେଣୁ ସବୁଥିରେ ବିଭ୍ରାଟ ହେଉଛି। ଏସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ମନ୍ଦିର କର୍ମଚାରୀମାନେ ଅନେକ ସମୟରେ ଯାଞ୍ଚ କରୁଛନ୍ତି। ହେଲେ ଲୋକମାନେ ସଚେତନ ହେଉନାହାନ୍ତି। ଧାର୍ମିକସ୍ଥଳରେ ଲୋକମାନେ ସଚେତନ ନହେଲେ ଜବରଦସ୍ତ କିଛି କରାଯାଇ ପାରୁନାହିଁ। ଘିଅ ବାବଦରେ ସେ କହିଲେ, ଖୁବ୍ ଶୀଘ୍ର ମନ୍ଦିରରେ ଭଲ ଘିଅ ବ୍ୟବହାର ନେଇ ବିଧିବଦ୍ଧ ନିଷ୍ପତ୍ତି ହେବ।