ପୁରୁଣା ଭୁବନେଶ୍ୱର: ବୁଧବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରୁ ଓହ୍ଲାଇ ରାମେଶ୍ୱର ମନ୍ଦିରକୁ ବିଜେ କରିଛନ୍ତି। ସାଙ୍ଗରେ ଭଉଣୀ ଦେବୀ ରୁକ୍ମିଣୀ ଓ ଶ୍ରୀଦୋଳଗୋବିନ୍ଦ ରାମେଶ୍ବର ମନ୍ଦିରକୁ ଯାଇଛନ୍ତି। ସନ୍ଧ୍ୟାରେ ରୁକୁଣା ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ପହଣ୍ଡି କରି ମନ୍ଦିରକୁ ନେଇଥିଲେ। ଘଣ୍ଟ ଘଣ୍ଟା ବାଦ୍ୟ ଓ କାହାଳୀ କୋଳାହଳ ଭିତରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପାଛୋଟି ନିଆଯାଇଥିଲା। ତେବେ କରୋନା କଟକଣା ପାଇଁ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଏହି ଦୁର୍ଲଭ ଦୃଶ୍ୟ ଦେଖିପା‌ରିନଥିଲେ। କେବଳ ସେବାୟତଙ୍କ ଗହଣରେ ପ୍ରଭୁ ଲିଙ୍ଗରାଜ ରାମେଶ୍ବର ମନ୍ଦିର ପ୍ରବେଶ କରିଛନ୍ତି। ଗତକାଲି ରଥଦାଣ୍ଡରେ ରୁକୁଣା ରଥ ଗୋସାଗରେଶ୍ବର ଛକରେ ଅଟକିଥିଲା। ଆଜି ସକାଳେ ମନ୍ଦିରରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ରଥରେ ମଧ୍ୟ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା।

Advertisment

ଏମିତି ସମୟରେ ରଥରେ ଶ୍ରୀଜିଉଙ୍କ ଦର୍ଶନ ବିରଳ। କିନ୍ତୁ ରଥ ନିକଟରେ ୧୪୪ ଧାରା ଲାଗୁ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଥିଲେ। ରଥ ଟଣା ପାଇଁ ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତମାନେ ଅପରାହ୍ନ ସାଢ଼େ ୨ଟାରେ ରଥ ନିକଟରେ ରୁଣ୍ଡ ହୋଇଥିଲେ। ପ୍ରାୟ ୩ଟା ୨୦ ମିନିଟ୍‌ରେ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ସାଢ଼େ ୩ଟା ବେଳକୁ ରଥ ଅସୁଲକିଆରିଠାରେ ପହଞ୍ଚିଥିଲା। ସେହିଠାରେ ରଥରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ କରାଯାଇଥିଲା।

ଏହା ପରେ ପୁଣି ରଥ ଗଡ଼ିଥିଲା ଓ ସନ୍ଧ୍ୟା ୫ଟାରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ରଥ ଉପରେ ନୀତି ପୂଜା ହେବା ପରେ ଚାରାମାଳ ବନ୍ଧା ଯାଇଥିଲା। ଏହାପରେ ବିଭିନ୍ନ ଘଣ୍ଟ ବାଦ୍ୟ, କାହାଳୀ ବଜାଇ, ଦେବଦେବୀଙ୍କୁ ରଥରୁ ତଳକୁ ଓହ୍ଲାଇ ସେବାୟତମାନେ ରାମେଶ୍ୱର ମନ୍ଦିରକୁ ନେଇଥିଲେ। ସେଠାରେ ରାମେଶ୍ୱରଙ୍କ ସମ୍ମୁଖରେ ସାଢ଼େ ୫ଟାରେ ଭେଟ ଆଳତି ପରେ ନୀତି ପୂଜା, ସନ୍ଧ୍ୟା ଆଳତି କରାଯାଇଥିଲା।

ରାମ‌େଶ୍ବରରେ ଭକ୍ତଙ୍କୁ ମନା
ଆଜି ଶ୍ରୀରାମେଶ୍ବର ମନ୍ଦିରକୁ ଫୁଲରେ ସଜାଇ ଆକର୍ଷଣୀୟ କରାଯାଇଥିଲା। ପ୍ରତିବର୍ଷ ରୁକୁଣା ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି। କିନ୍ତୁ ଏଥର ବାରଣ ଥିବାରୁ କାହାରିକୁ ଭିତରକୁ ଛଡ଼ା ଯାଇନଥିଲା। ବହୁ ଭକ୍ତ ମନ୍ଦିରଠାରୁ ଦୂରରେ ଥାଇ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ।
ପହଣ୍ଡି ବେଳେ ତୁ ତୁ ମେ ମେ...
ଗତକାଲିଠାରୁ ଦୁଇ ସେବାୟତ ଗୋଷ୍ଠୀ ଭିତରେ ସାମାନ୍ୟ କିଛି କଥାକୁ ନେଇ ବିବାଦ ଥିଲା। ଆଜି ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ପହଣ୍ଡି ହେଲା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ତୁ ତୁ‌ ମେ ମେ ପୁଣି ଆରମ୍ଭ ହୋଇଥିଲା। ଫଳରେ ମାଉସୀ ମା’ ଛକରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରେ ପୁଲିସ ଏସିପି ଦୁଇପକ୍ଷଙ୍କୁ ବୁଝାସୁଝା କରିବା‌ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ଗତକାଲି ରଥରେ ବସିବାକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।