ଆଜିଠୁ ରାଜଧାନୀବାସୀଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ

ପୁରୁଣା ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆସନ୍ତାକାଲିଠାରୁ ରାଜଧାନୀବାସୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ। କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ମନ୍ଦିରକୁ ପ୍ରବେଶ କରିବେ। ତେଣୁ ଆଜିଠାରୁ ରାଜଧାନୀବାସୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

ଆଜି ଏ ନେଇ ବିଏମ୍‌ସି ପକ୍ଷରୁ ସମୀକ୍ଷା କରାଯାଇଛି। ମନ୍ଦିର ନିକଟରେ କୋଭିଡ୍‌ ପରୀକ୍ଷା, ଜୋତା ଷ୍ଟାଣ୍ଡ ଓ ଶ୍ରଦ୍ଧାଳୁଙ୍କ ବ୍ୟାରିକେଡ୍‌ ସମ୍ପର୍କରେ ଅନୁଧ୍ୟାନ କରିଥିଲା ବିଏମ୍‌ସି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରବାସୀଙ୍କୁ ୩ ଦିନ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ଦିଆଯାଇଛି। ଜାନୁଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନାଗରିକମାନଙ୍କୁ କୋଭିଡ୍‌-୧୯ ସୁରକ୍ଷା ମାର୍ଗଦର୍ଶିକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ। ଏଥିପାଇଁ ମନ୍ଦିରର ସିଂହଦ୍ବାର ନିକଟରେ ସ୍ବତନ୍ତ୍ର କୋଭିଡ୍‌ କ୍ୟାମ୍ପ ପକାଯାଇଛି। ପରୀକ୍ଷା କରିବା ପରେ ନେଗେଟି ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ଟୋକନ୍‌ ଦିଆଯିବ। ସେମାନେ ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ଜାନୁଆରି ୬ ତାରିଖରୁ ମନ୍ଦିର ସମସ୍ତଙ୍କ ପାଇଁ ଖୋଲା ରହିବ। ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ ସୁଯୋଗ ମିଳିବ। ଏଥିପାଇଁ ମନ୍ଦିର ବାହାରେ ବ୍ୟାରିକେଡ୍‌କୁ ପୁଲିସକୁ ହସ୍ତାନ୍ତର କରାଯିବ। ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କ୍ରିନିଂ ଓ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ମନ୍ଦିର ଭିତରକୁ ଏକାବେଳେ ୫ଶହ ଲୋକ ପ୍ରବେଶ କରିବାକୁ ନିୟମ କରାଯାଇଛି। ଏ ନେଇ ଆଜି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଆଡିସନାଲ୍‌ କମିସନର କମଲ୍‌ଜିତ ଦାସ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ବିଡିଏ, ଓବିସିସି, ପୂର୍ତ ବିଭାଗ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର