ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ : ନୂଆ ପିନ୍ଧିଲେ, ମୁଆଁ ଖାଇଲେ

ପୁରୁଣା ଭୁବନେଶ୍ୱର: ଆଜି ପ୍ରଥମାଷ୍ଠମୀ ତିଥିରେ ମହାପ୍ରଭୁ ଶୀ ଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀ ମୖତ୍ରେଶ୍ୱର ମନ୍ଦିରକୁ ଯାତ୍ରା କରିବା ପରେ ବିଧି ମୁତାବକ ପଢ଼ୁଆଁଷ୍ଟମୀ ନୀତି ସମାପନ ହୋଇଥିଲା। ଲିଙ୍ଗରାଜ ମନ୍ଦିରରେ ଦ୍ୱିପ୍ରହର ଧୂପ ଓ ଆଳତି କରାଯିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ସହ ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀ ବାସୁଦେବଙ୍କୁ ବିମାନ ଓ ପାଲିଙ୍କିରେ ନିଆଯାଇଥିଲା। ସେବାୟତମାନଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜ ସଦଳବଳେ ବଢ଼େଇବାଙ୍କ ଛକ ନିକଟ ମୖତ୍ରେଶ୍ୱରଙ୍କ ପାଖକୁ ଯାତ୍ରା କରିଥିଲେ। ସେଠାରେ ବିଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯାଇ ଦେବାଦେବୀଙ୍କୁ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଦେବଦେବୀଙ୍କୁ ନିଆଯାଇ ଶ୍ରୀ ମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେସନ କରାଯାଇଥିଲା। ପରେ ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ଦେବାଦେବୀଙ୍କୁ ସ୍ନାନ କରାଯାଇଥିଲା।

ଏହା ପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପିନ୍ଧା ଯାଇଥିଲା। ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରି ମାମୁ ଭଣଜାଙ୍କୁ ମୁଆଁ ଭୋଗ ବାଢ଼ି ଭେଟ ଆଳତି କରିଥିଲେ। ଶେଷରେ ଶ୍ରୀଜିଉ ପ୍ରତ୍ୟାବର୍ତନ କଲାବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳି ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହା ପରେ ସବୁ ଦେବଦେବୀ ମନ୍ଦିରକୁ ଫେରିଥିଲେ। ଆଜି ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ବହୁ ଶଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେହିପରି ଶ୍ରୀ କପିଳନାଥ ମଧ୍ୟ ଆଜି ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟରେ ଥିବା ଶ୍ରୀ ଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ନୂଆ ବସ୍ତ୍ର ଯାଇଥିଲା। ସ୍ନାନ ବିଧି ପରେ ଏହି ନୂତନ ବସ୍ତ୍ରକୁ ଠାକୁରଙ୍କଠାରେ ଲାଗି କରାଇଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କୈବର୍ତ୍ତ ସାହିସ୍ଥିତ ମାମୁଘର ଶ୍ରୀ ଝୁଣ୍ଟେଶ୍ବର ମନ୍ଦିରରୁ କୈବର୍ତ୍ତ ସେବାୟତ ଟ୍ରଷ୍ଟ ତରଫରୁ ନବବସ୍ତ୍ର ଅଣାଯାଇ ଭଣଜାଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା। ସେବାୟତମାନେ ଘଣ୍ଟ, ଶଙ୍ଖ, ମଶାଲ୍ ଆଣି କପିଳନାଥ ମନ୍ଦିରକୁ ଆସିଥିଲେ। ଟ୍ରଷ୍ଟ ସଭାପତି ବିଜୟ କୁମାର ବେହେରା, ସଂପାଦକ ବାସୁଦେବ ବେହେରା, କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର