ମହାଖଳାକୁ ବାହୁଡ଼ିଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର: ବୁଧବାର ଗୋସାଗରେଶ୍ବର ଛକରେ ଅଟକି ଯାଇଥିବା ବାହୁଡ଼ା ରୁକୁଣା ରଥ ଗୁରୁବାର ମହାଖଳାରେ ପହଞ୍ଚିଛି। କିନ୍ତୁ ଗୁରୁବାର ଷଷ୍ଠ ଦିନ ହୋଇଥିବାରୁ ମହାପ୍ରଭୁ ମନ୍ଦିରକୁ ପ୍ରବେଶ କରିପାରିନାହାନ୍ତି। ତେଣୁ ଆଜି ରାତିକ ପାଇଁ ପୁଣି ପ୍ରଭୁ ଲିଙ୍ଗରାଜ ରଥରେ ରହିବେ। ଆସନ୍ତାକାଲି ସ୍ବର୍ଣ୍ଣାଦ୍ରି ବିଜେ କରିବେ।

ବୁଧବାର ଅନୁଷ୍ଠିତ ହୋଇଥିଲା ବାହୁଡ଼ା ଯାତ୍ରା। ମାତ୍ର ରଥ ଗୋସାଗରେଶ୍ବର ଛକରେ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଗଲା। ତେଣୁ ରଥଟଣା ବନ୍ଦ ରହିଲା ଓ ପ୍ରଭୁ ରଥରେ ରହିଲେ। ଆଜି ଅପରାହ୍ଣ ସାଢ଼େ ୩ଟାରେ ପୁଣି ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ରଥ ମହାଖଳାରେ ଲାଗିଥିଲା। ମହାଖଳାରେ ରଥରେ ଚାରମାଳ ଓ ଦୁଇଟି ଶିଡ଼ି ବନ୍ଧାଯାଇଥିଲା। ରଥରେ ମହାପ୍ରଭୁଙ୍କ ସହ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ହୋଇଥିଲା। ଧାଡ଼ି ବାନ୍ଧି ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ।

ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ରଥାରୂଢ଼ ବିଗ୍ରହମାନଙ୍କୁ ଦର୍ଶନ କରିଥିଲେ। ବଡ଼ କଥା ହେଉଛି, ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତିଥି ହୋଇଥିବାରୁ ରଥରେ ଠାକୁରଙ୍କୁ ଦେଖିବା ସୁଯୋଗ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ଆନନ୍ଦିତ ହୋଇଥିଲେ। ଶ୍ରଦ୍ଧାଳୁମାନେ ପଣାଭୋଗ ଲାଗି କରିଥିଲେ। ଓଡ଼ିଆଙ୍କ ନବବର୍ଷ ହୋଇଥିବାରୁ ରଥରେ ଠାକୁରଙ୍କୁ ଦେଖିବା ଲାଗି ବେଶି ଭିଡ଼ ହୋଇଥିଲା। ଏକାମ୍ରବାସୀମାନେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ମହାଖଳାରେ ଜମା ହୋଇ ରହିଥିଲେ। ଆସନ୍ତାକାଲି ଶୁକ୍ରବା‌ର ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ।

ଟାଣ ଖରାରେ ସେବାୟତ ଛଟପଟ

ଆଜି ଅସହ୍ୟ ଟାଣ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ପିଚୁ ରାସ୍ତାରୁ ବାହାରୁଥିଲା ତାତି। ତେଣୁ ରଥ ଟାଣିବା ବେଳେ ଓ ଖରୁଡ଼ା ପକାଇବା ବେଳେ ଖାଲି ପାଦ ଯୋଗୁଁ ସେବାୟତମାନେ ଛଟପଟ ହୋଇଯାଉଥିଲେ। ଦମକଳ ବାହିନୀ ପକ୍ଷରୁ ରାସ୍ତାରେ ପାଣି ଢ଼ଳାଯିବାରୁ କିଛିଟା ଉପଶମ ମିଳିଥିଲା।

୩ ନିଯୋଗ ପଣା ଲାଗିକଲେ

ବାହୁଡ଼ା ରଥ ଫେରିବା ବେଳେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗଠାରେ ବିଧି ଅନୁଯାୟୀ ପଣା ଭୋଗ ଲାଗି ହୋଇଥିଲା।

ଅଭିମାନରେ ପୁଣି ରଥ ଭାଙ୍ଗିଲେ ମା’ ପାର୍ବତୀ

ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥଯାତ୍ରା ଅବସରରେ ମା’ ପାର୍ବତୀଙ୍କୁ ରଥରେ ନେଇ ନଥିଲେ। ଅଥଚ ଭଉଣୀ ମା’ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ନେଇଥିଲେ। ତେଣୁ ରାଗ ଅଭିମାନରେ ଥିଲେ ମା’ ପାର୍ବତୀ। ମନ୍ଦିରକୁ ବାହୁଡ଼ୁଥିବା ଖବର ପାଇ ଅଭିମାନିନୀ ମା’ ପାର୍ବତୀ କପାଳି ମଠ ନିକଟରେ ରଥକୁ ଅଟକାଇଥିଲେ। ମା’ ପାଲିଙ୍କିରେ ଯାଇ ରଥର ଏକ ପଟାକୁ ଭାଙ୍ଗି ଦେଇଥିଲେ ଓ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିପରି ରାତିରେ ମା’ ପାର୍ବତୀ ପୁଣି ଚାହାଣି ମଣ୍ଡପକୁ ଆସିଥିଲେ ଓ ରଥରେ ସନ୍ଧ୍ୟା ଧୂପ ଓ ଆଳତି ହୋଇଥିଲା।

ସମ୍ବନ୍ଧିତ ଖବର