ଦେଢ଼ ବର୍ଷ ହେଲା ଏଏସ୍ଆଇ କାର୍ଯ୍ୟାଳୟରେ ଶ୍ରୀଲିଙ୍ଗରାଜଙ୍କ ବୃଷଭ, ଜାଗର ପୂର୍ବରୁ ବସିବା ନେଇ ଆଶଙ୍କା

ପୁରୁଣା ଭୁବନେଶ୍ୱର : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଉଦ୍ଧାର ହୋଇଥିବା ବୃଷଭ ମୂର୍ତି ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ଥାପିତ ହୋଇପାରୁ ନାହିଁ। ଦୀର୍ଘ ଦେଢ଼ ବର୍ଷ ହେଲା ଉଦ୍ଧାର ମୂର୍ତି ଏଏସ୍ଆଇ କାର୍ଯ୍ୟାଳୟରେ ପୂଜା ହେଉଛି। ତେବେ ଏହି ମୂର୍ତି ଜାଗରଯାତ୍ରା ପୂର୍ବରୁ ସ୍ଥାପିତ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାର୍ଶ୍ବରୁ ଉଚ୍ଛେଦ ହୋଇ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ହେଲେ ମନ୍ଦିର ପରିସରର ସମସ୍ୟା ସମାଧାନ ହୋଇପାରିନାହିଁ। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ଆର୍ଥିଂ ନଥିବା ସମସ୍ୟା ପରେ ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ବଡ଼ବଡ଼ ଫାଟ ଘଟଣା ପଦାକୁ ଆସିଛି। ଏଏସ୍ଆଇର ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ସମସ୍ୟା ଲାଗି ରହିଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ପ୍ରକାଶଯୋଗ୍ୟ, ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଗର୍ଭଗୃହ ନିକଟରେ ଥିବା ଯୋଡ଼ା ବୃଷଭ ମଧ୍ୟରୁ ପ୍ରାୟ ଦେଢ଼ ଫୁଟ୍‌ ଲମ୍ବର ଗୋଟିଏ ବୃଷଭ ମୂର୍ତ୍ତି ହୁଗୁଳି ପଡ଼ିବାରୁ ଜଣେ ସେବାୟତ ଏହାକୁ ରଖିଥିଲେ। ଗତବର୍ଷ ସେ‌ପ୍ଟେମ୍ବର ୬ ତାରିଖରେ ଏହି ମୂର୍ତିକୁ ଠିକଣା ସ୍ଥାନରେ ବସାଇବାକୁ ଏଏସ୍ଆଇର ଅଧିକାରୀ ଯାଇଥିଲେ। ସେଠାରେ ଏଏସ୍‌ଆଇ ଅଧିକାରୀ ଓ ସେବାୟତଙ୍କ ସହ ଅନ୍ୟ କିଛି ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା। ଫଳରେ ଏଏସ୍‌ଆଇ ଅଧିକାରୀ ନିରାଶ ହୋଇ ଫେରିଥିଲେ। ଫଳରେ ଆଉ ମୂର୍ତି ସ୍ଥାପନ ହୋଇପାରିନ ଥିଲା। ଏବେ ଏହି ମୂର୍ତି ଏଏସ୍ଆଇ କାର୍ଯ୍ୟାଳୟରେ ପୂଜା ପାଉଛି। ଅଧିକାରୀ ପରେ ଅଧିକାରୀ ବଦଳୁଛନ୍ତି, ହେଲେ ଏଏସ୍ଆଇର ଅପାରଗତା ଯୋଗୁଁ ଉକ୍ତ ବୃଷଭ ମୂର୍ତିକୁ ସ୍ଥାପନ କରାଯାଉନାହିଁ। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ମନ୍ଦିର ମୂର୍ତ୍ତି ସମ୍ପର୍କିତ ଘଟଣା ଏଏସ୍ଆଇର ଦାୟିତ୍ବ। ଏ ସମ୍ପର୍କରେ ଆମେ କିଛି କରିପାରିବୁ ନାହିଁ। ଦୀର୍ଘ ବର୍ଷର ଘଟଣା ସମ୍ପର୍କରେ ମୁଁ ଜାଣିନାହିଁ ବୋଲି ଏଏସ୍‌ଆଇର ମଣ୍ଡଳ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର