ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ଆରମ୍ଭ, ଚାପ ଖେଳିଲେ, ଚନ୍ଦନ କୁଣ୍ଡରେ ବୁଡ଼ିଲେ

ପୁରୁଣା ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବିନ୍ଦୁସାଗରରେ ଚାପ ଡଙ୍ଗାରେ ଭଉଁରି ଖେଳିବା ସହ ଚନ୍ଦନ କର୍ପୂର ଜଳରେ ବୁଡ଼ି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଠାକୁର ବାସୁଦେବ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। କରୋନା କଟକଣା ପାଇଁ ଭକ୍ତମାନେ ଠାକୁରଙ୍କ ଏହି ଦେବଦୁର୍ଲ୍ଲଭ ଜଳକ୍ରୀଡ଼ାର ଦୃଶ୍ୟ ଦେଖିବା ସୁଯୋଗରୁ ବଞ୍ଚିତ ହୋଇଥିଲେ ବି ପୂରା ନୀତିକାନ୍ତିରେ ଏହି ପର୍ବର ଉଦ୍‌ଘାଟନ ହୋଇଛି।

ଅପରାହ୍‌ଣ ୪ଟା ୪୫ରେ ଶ୍ରୀଲିଙ୍ଗରାଜ ମନ୍ଦିରରରେ ସମସ୍ତ ନୀତିକାନ୍ତି ସମାପନ ହେବା ପରେ ଠାକୁର ବିନ୍ଦୁସାଗର କୂଳରେ ବିରାଜମାନ ହୋଇଥିଲେ। ଅପରାହ୍‌ଣ ୫ଟାରେ ବିନ୍ଦୁସାଗର ବ୍ରହ୍ମାଘାଟରେ ଠାକୁରଙ୍କୁ ସ୍ବାଗତ କରାଯାଇଥିଲା। ସେଠାରେ ଦିବ୍ୟ ରୂପରେ ସଜ୍ଜିତ ହୋଇ ଠାକୁରଙ୍କୁ ଅପେକ୍ଷା କରିଥିବା ଚାପଡଙ୍ଗାକୁ ପୂଜାପଣ୍ଡା ସେବାୟତ ଛେରାପହଁରା କରଥିଲେ। ଏହାପରେ ପାଳିଆ ବଡୁ ସେବାୟତ ଠାକୁରଙ୍କୁ ମଣେଇଥିଲେ ଓ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ଉପବିଷ୍ଟ ହୋଇଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବିରାଜମାନ କରିଥିବା ବେଳେ ପାର୍ଶ୍ବ ସିଂହାସନରେ ପ୍ରଭୁ ବାସୁଦେବ ବସିଥିଲେ। ଠାକୁର ପ୍ରଥମେ ମଠ ଘାଟରେ ଓ ପରେ ମହନୀ ଘାଟରେ ଭୋଗ ଖାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଠାକୁରଙ୍କ ଜଳକ୍ରୀଡ଼ା। ଚାପ ଡଙ୍ଗା ୮ ଘେରା ଭଉଁରି କାଟିଥିଲା। ସନ୍ଧ୍ୟା ୬ଟାରେ ଠାକୁରଙ୍କୁ ଜଗତିକୁ ନିଆଯାଇଥିଲା। ସେଠାରେ ନୀତିପୂଜା ସମ୍ପନ୍ନ ହେବା ପରେ ଠାକୁର ଚନ୍ଦନ ପାଣିରେ ବୁଡ଼ିଥିଲେ। ସୁଗନ୍ଧିତ ଚନ୍ଦନ କୁଣ୍ଡରେ ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପକାଯାଇଥିଲା। ସୁବାସିତ ଜଳକୁଣ୍ଡରେ ଦେବଦେବୀମାନେ ବୁଡ଼ି ରହିଥିଲେ। ଚନ୍ଦନ କୁଣ୍ଡରୁ ବାହାରି ଠାକୁର ପୁଣି ଚାପ ଡଙ୍ଗାରେ ବସି ଜଗତି ଚାରିପଟେ ଭଉଁରି ଖେଳିଥିଲେ ଓ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଟରେ ଆସିବା ବେଳେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଠାରେ ଠାକୁର ଭୋଗ ଖାଇଥିଲେ।

ସମ୍ବନ୍ଧିତ ଖବର