ସରିଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭଉଁରି ଖେଳିଲେ ମହାପ୍ରଭୁ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ଦିନର ଚନ୍ଦନ ଯାତ୍ରା ଆଜି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ସହ ଚନ୍ଦନ କୁଣ୍ଡରେ ସ୍ନାନ କରିଥିଲେ। ସଂଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରରରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ବିନ୍ଦୁସାଗର ବ୍ରହ୍ମା ଘାଟ କୂଳକୁ ଦେବଦେବୀ ଯାଇଥିଲେ। ଏହାପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବସଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିଥିବା ବେଳେ ଦୁଇ କଡ଼ରେ ଥିବା ସିଂହାସନରେ ଗୋଟିଏ ପଟେ ବାସୁଦେବ ବସିଥିଲେ। ଚାପ ଖେଳି ଠାକୁର ପ୍ରଥମେ ମଠ ଘାଟରେ ଭୋଗ ଖାଇଥିଲେ।

ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ। ସେଠାରେ ନୀତିପୂଜା କରାଯାଇ ପୂର୍ବରୁ ପ୍ରସ୍ତୁତ ଥିବା ସୁଗନ୍ଧିତ ଚନ୍ଦନ କୁଣ୍ଡରେ ସ୍ନାନ କରିଥିଲେ। ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପକାଯାଇଥିବା କୁଣ୍ଡରେ ଦେବଦେବୀମାନେ ବୁଡ଼ି ରହଥିଲେ। ମହାପ୍ରଭୁ ଅସହ୍ୟ ଗରମରୁ ରକ୍ଷା ପାଇଁ ଏହି ଚନ୍ଦନ ଯାତ୍ରା କରିଥାନ୍ତି ବୋଲି କିଂବଦନ୍ତି ରହିଛି। ଏହାପରେ ସେଠାରୁ ବାହାରି ନୂଆ ବସ୍ତ୍ର ପିନ୍ଧା ଯିବା ପରେ ସନ୍ଧ୍ୟା ଧୂପ କରାଯାଇଥିଲା। ଏହି ଧୂପରେ ଠାକୁରଙ୍କୁ ମାଣ୍ଡୁଓ, କାକରା, ସୋଦୁଓ ଆଦି ଭୋଗ କରାଯାଇଥିଲା।

ଏହା ପରେ ଦେବଦେବୀ ଚାପ ଡଙ୍ଗାରେ ଭଉଁରି ଖେଳି ମହନୀ ଘାଟ ଓ ଆଖଡ଼ା ଚଣ୍ଡୀ ଘାଟରେ ଭୋଗ ଖାଇବା ପରେ ବିଶ୍ରାମ ଘାଟକୁ ଯାଇଥିଲେ। ବିଶ୍ରାମ ଘାଟରେ ନୀତି ପୂଜା ପରେ ଠାକୁର ପାଲିଙ୍କି ବିମାନରେ ବସିବା ପରେ ପୂଜାପଣ୍ଡା ମନ୍ତ୍ର ଉଚ୍ଚାରଣ କରି ଚନ୍ଦନ ଓ ହଳଦୀ ପାଣି ସିଞ୍ଚନ କରିଥିଲେ। ବାଟରେ ଆସିବା ବେଳେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ଠାରେ ଭୋଗ ଖାଇଥିଲେ। ସେହିପରି ରାସ୍ତାରେ ଫେରିବା ବେଳେ ସ୍ଥାନେ ସ୍ଥାନେ ଠାକୁରଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମନ୍ଦିର ପରିସରରେ ଠାକୁର ଦୋଳବେଦି ପାଖରେ ପହଞ୍ଚିବା ପରେ ଜଗତିରେ ବ୍ୟବହୃତ ବାସୁଦେବଙ୍କ ସିଂହାସନରେ ଠାକୁରମାନେ ବସିଥିଲେ। ସେଠାରେ ପୂଜା ଓ ଆଳତି ହେବା ପରେ ମନ୍ଦିରର ଗର୍ଭଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର