ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି: କଟକଣାରେ ପ୍ରବେଶ, ପୂଜାର୍ଚ୍ଚନା

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ବେଳେ କୋଭିଡ୍‌ କଟକଣା ପାଳନ କରାଯିବ। ଶନିବାର ପୂର୍ବାହ୍ନରେ କମିସନରେଟ୍ ପୁଲିସ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧ତାରିଖରେ ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନେ କୋଭିଡ୍‌ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ। ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ହାତ ସାନିଟାଇଜ୍‌ କରିବେ। ଭକ୍ତ ମାନେ ଧାଡ଼ି ବାନ୍ଧି ପ୍ରବେଶ କରିବ‌ା ବେଳେ ୬ଫୁଟ୍‌ ସାମାଜିକ ଦୂରତା ରକ୍ଷା କରିବେ।

ବାହାରେ କଣ୍ଟ୍ରୋଲ୍‌ ରୁମ, ସୂଚନା କେନ୍ଦ୍ର

ଭିତରେ ୩୨, ବାହାରେ ୨୧ ସିସିଟିଭି କ୍ୟାମେରା

ଜଗିବେ ୪୦ ପ୍ଲାଟୁନ୍‌ ଫୋର୍ସ

ଜାରି ହେବ ମହାଶିବରାତ୍ରି ମାର୍ଗଦର୍ଶିକା

ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ବିଗତ ବର୍ଷରେ ଯାତ୍ରାରେ ଅଭିଜ୍ଞତା ଥିବା ପୁଲିସ ଅଧିକାରୀମାନେ ଉପସ୍ଥିତ ରହିବା ସହ ପୁଲିସ ପ୍ରଶାସନ ପକ୍ଷରୁ ଯାତ୍ରା ଉପରେ କଡ଼ା ନଜର ରଖାଯିବ ବୋଲି କୁହାଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ମନ୍ଦିର ସମ୍ମୁଖର ବାମ ପାର୍ଶ୍ବରେ ଏକ କଣ୍ଟେନରରେ ପୁଲିସ ‌କଣ୍ଟ୍ରୋଲ ରୁମ୍‌ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୁଲିସ ନଜର ରଖିବ। ସେହିପରି ସେଠାରେ ଅନ୍ୟ ଏକ କଣ୍ଟେନରରେ ସୂଚନା କେନ୍ଦ୍ର ରହିବ।

ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ସୌନ୍ଦର୍ଯ୍ୟୀକରଣ ହୋଇଥିବାରୁ ଓ କରୋନା କମୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ମନ୍ଦିର ବାହାରେ ଟ୍ରାଫିକ୍ ଓ ଆଇନ ଶୃଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିପରି ମନ୍ଦିର ତିନି ପାର୍ଶ୍ବ ଦ୍ବାର ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ରଖାଯିବ। ସନ୍ଦେହ ଉପୁଜିଲେ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯିବ। ଚଳିତ ବର୍ଷ ମହାଶିବରାତ୍ରିରେ ୪ ସିଫ୍ଟରେ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ।

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଅତିରିକ୍ତ ସିପି, ଏସିପି, ବରିଷ୍ଠ ଅଫିସର ଡ୍ୟୁଟି କରିବେ। ଯାତ୍ରାରେ ଛିନ୍‌ତାଇ ଓ ଅଶ୍ଳୀଳ ଆଚରଣ ଉପରେ ନଜର ରଖିଯିବ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ, ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ଓ ସ୍ମାର୍ଟ ସିଟି ପକ୍ଷରୁ ରାସ୍ତାରେ ଲଗାଯାଇଥିବା ୨୧ଟି ସିସିଟିଭି କ୍ୟାମେରାରେ ନଜର ରଖାଯିବ ସହ ବହୁ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ନଜର ରଖିବେ। ପୂର୍ବଦିନ ସନ୍ଧ୍ୟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ।

ମନ୍ଦିର ଚାରିପଟେ ଓ ସଂଯୋଗ ରାସ୍ତାରେ ଅଧିକ ଲାଇଟ୍‌ ଲଗାଯିବ ବୋଲି ଆଲୋଚନାରେ କୁହାଯାଇଛି। ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ ଏହି ଅବସରରେ ଲୋକମାନେ ପୁଲିସକୁ ସହଯୋଗ କରିବା ପାଇଁ ନିବେଦନ କରିବା ସହ ଟ୍ରାଫିକ୍‌ ନିୟମ ମାନିବାକୁ ଅନୁରୋଧ କରିଥିଲେ। ଭିଡ଼ରେ ସୁନା ଗହଣା ପିନ୍ଧି ନଆସିବାକୁ ମଧ୍ୟ ଅନୁରୋଧ କରିଥିଲେ। ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ଡିସିପି ଉମାଶଙ୍କର ଦାଶ, ଡିସିପି (ଟ୍ରାଫିକ୍‌)ଏସ. ସୁଶ୍ରୀ, ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ସ୍ମାର୍ଟ ସିଟି ଲିମିଟେଡ୍‌ର ଜିଏମ୍‌ କମଲଜିତ୍‌ ଦାସ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଜି ନାରାୟଣ ପତି, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଡ଼ୁ, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ଦୀପ ଓ ଭୋଗ ନେଇ ଦ୍ବନ୍ଦ୍ବ, ଅସହଯୋଗ କରିବାକୁ ସେବାୟତଙ୍କ ଚେତାବନୀ

ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ସମନ୍ବୟ ବୈଠକରେ ହୋଇଥିବା ନିଷ୍ପତ୍ତି ଓ ବିଏମ୍‌ସି ଅତିରିକ୍ତ କମିସନର୍‌ଙ୍କ ଗଣମାଧ୍ୟମ ବିବୃତି ମଧ୍ୟରେ ପୃଥକ୍‌ ନିର୍ଦ୍ଦେଶ ରହିଥିବାରୁ ସାଧାରଣରେ ଦ୍ବନ୍ଦ୍ବ ପ୍ରକାଶ ପାଇଛି। ଜାଗରକୁ ଆଉ ୨ ଦିନ ବାକି ଥିବା ବ‌େଳେ ଏହି ଦ୍ବନ୍ଦ୍ବର ଶୀଘ୍ର ସମାଧାନ କରାନଗଲେ, ଉକ୍ତ ଦିନ ମନ୍ଦିରରେ ବିଶୃଙ୍ଖଳା ଦେଖାଦେବାର ଆଶଙ୍କା ରହିଛି। ସୂଚନାନୁଯାୟୀ, ସମନ୍ୱୟ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଭକ୍ତମାନେ ଆଡ଼କାଠରୁ ଦର୍ଶନ ଓ ନାଟ ମଣ୍ଡପରେ ଭୋଗ କରିବା ସହ ମନ୍ଦିର ଭିତରେ କଟକଣାରେ ଦୀପ ଜାଳିବେ।

କିନ୍ତୁ ବିଏମ୍‌ସି ଅତିରିକ୍ତ କମିସନର୍‌ ଆଜି ଗଣମାଧ୍ୟମରେ ବିବୃତି ଦେଇ କହିଛନ୍ତି ଯେ ଆଡ଼କାଠ ନିକଟରେ ଭକ୍ତଙ୍କୁ ଭୋଗ କରିବା କିମ୍ବା ପୂଜା ଦେବା ଭଳି ସୁଯୋଗ ମିଳିବ ନାହିଁ। ସେହିପରି ମନ୍ଦିର ଭିତରକୁ ଭୋଗ ଯାଇପାରିବ ନାହିଁ କିମ୍ବା ଦୀପ ଲଗାଯାଇ ପାରିବ ନାହିଁ। ବିଏମ୍‌ସି ଅତିରିକ୍ତ କମିସନର୍‌ଙ୍କ ଏହି ବିବୃତି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତ ମହଲରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି।

ବିଏମ୍‌ସିର ଏହି ନିୟମ ଲାଗୁ ହେଲେ, ଜାଗରଯାତ୍ରାରେ ସେବାୟତମାନେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ସମିତିର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମିତିର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ଯେ ସମନ୍ବୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ବିଏମ୍‌ସି ନମାନି ନୂଆ ନିୟମ କରିଛି। ତେଣୁ ଏହାକୁ ଆମେ ବିରୋଧ କରୁଛୁ। ଶ୍ରଦ୍ଧାଳୁମାନେ ଆଡ଼କାଠ ନିକଟରେ ଦର୍ଶନ କରିବା ସହ ନାଟମଣ୍ଡପରେ ପୂଜା କରି ମନ୍ଦିରରେ ଦୀପ ଜାଳନ୍ତୁ। ତେବେ ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ।

ସମୀକ୍ଷା କଲେ ୫-ଟି ସଚିବ

Current Affairs 2022 -Adda247

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପଣ୍ଡିଆନ ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ବେଢ଼ା ବୁଲିଥିଲେ। ଏହି ଅବସରରେ ସେ ଜାଗର ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ସେବାୟତ ଓ ଥାନା ଅଧିକାରୀ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର