ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା, ମହକିଲା ମୁଆଁ ବାସ୍ନା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ସନ୍ଧ୍ୟା ସାଢ଼େ ୮ଟାରେ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରଥିଲେ। ତାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବସୁଦେବ ଯାତ୍ରା କରିଥିଲେ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କି ଓ ବିମାନରେ ବିରାଜମାନ କରାଯାଇ ସେବାୟତମାନେ ଭୀମେଶ୍ୱରକୁ ଯାତ୍ରା କରିଥିଲେ। ସେଠାରେ ଦେବଦେବୀଙ୍କୁ ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ ପାଛୋଟି ନିଆଯାଇଥିଲା। ମହାପ୍ରଭୁଙ୍କୁ ସ୍ନାନ, ବେଶ କରାଯାଇ ନୂଆ ଲୁଗା ପିନ୍ଧା ଯାଇଥିଲା। ପରେ ଯାତ୍ରାପୂଜା କରାଯାଇଥିଲା। ପରେ ଦେବଦେବୀଙ୍କୁ ମୁଆଁଭୋଗ କରାଯାଇ ଭେଟ ଆଳତି ହୋଇଥିଲା। ଏହି ଉପଲକ୍ଷେ ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ ମୁଆଁ ବଣ୍ଟନ କରାଯାଇଥିଲା। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁଙ୍କୁ ମୁଆଁ ପ୍ରସାଦ ଦିଆଯାଇଥିଲା। ପରେ ଶ୍ରୀଜିଉ ପ୍ରତ୍ୟାବର୍ତ୍ତନ କରିଥିଲେ। ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ସଭାପତି ପୁରୁଷୋତ୍ତମ ସାହୁ, ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ଲୋକନାଥ ମହାପାତ୍ରଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ। ବାଟରେ ଯମେଶ୍ୱର ମନ୍ଦିରଠାରେ ଦେବଦେବୀ ରହି ସେଠାରେ ଭୋଗ ଲାଗି କରାଯିବା ସହ ଭେଟ ଆଳତି କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

କିଂବଦନ୍ତି ଅନୁସାରେ, ମହାଭାରତ ଯୁଦ୍ଧରେ ଭୀଷଣ ନରସଂହାର ପରେ ପାଣ୍ଡବମାନେ ପାପମୋଚନ ପାଇଁ ଶିବଙ୍କୁ ଆରାଧନା କରିବାକୁ ଏକାମ୍ରକ୍ଷେତ୍ର ଆସିଥିଲେ। ପାଞ୍ଚ ଭାଇ ଯାକ ଗୋଟିଏ ଗୋଟିଏ ଶିବଲିଙ୍ଗ ତିଆରି କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ। ଭୀମ ଏକାଦଶୀ ତିଥିରେ ପାଞ୍ଚ ଭାଇମାନେ ଖିଆପିଆ ଛାଡ଼ି ପୂଜା କରିଥିଲେ। ଏଥିରେ ମହାଦେବ ପ୍ରସନ୍ନ ହୋଇ ସେମାନଙ୍କୁ ବର ମାଗିବାକୁ କହିଥିଲେ। ମହାଦେବଙ୍କ ପ୍ରତିଦିନ ଦର୍ଶନ ପାଇଁ ପଞ୍ଚୁ ପାଣ୍ଡବ ବର ମାଗିଥିଲେ। କିନ୍ତୁ ମହାଦେବ ଏଥିରେ ରାଜି ନହୋଇ କେବଳ ମାଘ ଏକାଦଶୀ ତିଥିରେ ଦର୍ଶନ ଦେବେ ବୋଲି କହିଥିଲେ। ଏହି ଲୋକକଥା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ସ୍ବତନ୍ତ୍ର ପରମ୍ପରା ପ୍ରଚଳିତ ହୋଇଆସିଛି। ପ୍ରତିବର୍ଷ ମାଘ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଭୀମକୁଣ୍ଡ ନିକଟକୁ ପାଣ୍ଡବଙ୍କୁ ଦର୍ଶନ ଦିଅନ୍ତି। ଏହି ଦିନକୁ ଭୀମ ଏକାଦଶୀ ବୋଲି କୁହାଯାଏ। ଏବେ ବି ଭୀମକୁଣ୍ଡଠାରେ ଏକ ବଡ଼ ପାଦ ଚିହ୍ନ ରହିଛି, ଯାହା ଭୀମଙ୍କ ପାଦ ଚିହ୍ନ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର