ଶ୍ରୀଲିଙ୍ଗରାଜଙ୍କ ଜମି ଓ ୪୦ କୋଟି ଟଙ୍କା ହଡ଼ପ ଷଡ଼୍‌ଯନ୍ତ୍ର: ‌ଦେବୋତ୍ତର କମିସନ କାର୍ଯ୍ୟାଳୟ ଘେରିଲେ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଓ ଜମି ବାବଦ ୪୦ କୋଟି ଟଙ୍କା ହଡ଼ପ କରିବାକୁ ଚାଲିଥିବା ସଂଗିନ୍ ଷଡ଼୍‌ଯନ୍ତ୍ର ବିରୋଧରେ ଆଜି ସେବାୟତଙ୍କ ସହ ସ୍ଥାନୀୟ ଲୋକେ ଦେବୋତ୍ତର କମିସନଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପୂର୍ବରୁ ବିଏମ୍‌ସି କମିସନରଙ୍କୁ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସିଥିବା ଅଭିଯୋଗ ହୋଇଛି। ଏହି ସୁଚିନ୍ତିତ ଯୋଜନାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପଦସ୍ଥ ଅଧିକାରୀମାନେ ସମର୍ଥନ କରୁଥିବା ଅଭିଯୋଗ ହେଉଛି। ତେଣୁ ମିଳିମିଶି ଶ୍ରୀଲିଙ୍ଗରାଜଙ୍କ ୪୦ କୋଟି ଟଙ୍କାର ସମ୍ପତ୍ତିକୁ ହରିଲୁଟ୍‌ କରିବା ପାଇଁ ଜୋର୍‌ଦାର୍ ପ୍ରୟାସ ଚାଲିଛି ବୋଲି ଆଜି ବିକ୍ଷୋଭକାରୀମାନେ କହିଛନ୍ତି। ଜମିର ପୁରୁଣା ରେକର୍ଡ କିଭଳି ବଦଳିଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସେମାନେ ଦାବି କରିଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ପାର୍ଶ୍ବରେ ଥିବା ଯାତ୍ରୀ ନିବାସ (କୋରାପୁଟ୍ ଭବନ) ଜମିର ମୂଳ ମାଲିକ ହେଲେ ପ୍ରଭୁ ଶ୍ରୀଲିଙ୍ଗରାଜ। ତେବେ ଜମିର ମାର୍ଫତଦାର୍‌ ହେଉଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ। କିନ୍ତୁ ଜଣେ ସ୍ଥାନୀୟ ପ୍ରଭାବଶାଳୀ ଲୋକ ଏହି ଭୂ-ସମ୍ପତ୍ତିର ମୂଳ ରେକର୍ଡକୁ ଚଞ୍ଚକତା ପୂର୍ବକ ପରିବର୍ତ୍ତନ କରାଇ ନିଜ ନାମରେ ରେକର୍ଡ କରାଇନେଇଛି। ଏହି ରେକର୍ଡ ପରିବର୍ତ୍ତନ ଏକ ବଡ଼ ଧରଣର ଜାଲିଆତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଜମିକୁ ନିଜ ନାଁରେ ରେକର୍ଡ କରାଇବା ପରେ ଉକ୍ତ ବ୍ୟକ୍ତି ସେଠାରେ ଯାତ୍ରୀ ନିବାସ ନିର୍ମାଣ କରି ଭଡ଼ା ବାବଦରେ ବିପୁଳ ଅର୍ଥ ଉପାର୍ଜନ କରୁଛନ୍ତି। ଏବେ ଏକାମ୍ର ଯୋଜନାରେ ଏହି ଜମିକୁ ଅଧିଗ୍ରହଣ କରାଯିବ ଓ କ୍ଷତିପୂରଣ ବାବଦରେ ୪୦ କୋଟି ଟଙ୍କା ଦିଆଯିବ ବୋଲି ମସୁଧା ଚାଲିଛି। କେବଳ ସେତିକି ନୁହେଁ, କ୍ଷତିପୂରଣ ବାଦ୍‌ ଠାକୁରଙ୍କ ସମ୍ପତ୍ତିରୁ ବି କିଛି ଜମି ଦେବାକୁ ପଦକ୍ଷେପ ନିଆଯାଇଛି।

ଉକ୍ତ ଜମି ବଦଳରେ ନୂଆ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ୍ ନିକଟରେ ଜମି ଦେବାକୁ ବିଏମ୍‌ସି ପତ୍ରସଂଖ୍ୟା ୬୯୯୫୩ରେ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଚିଠି କରାଯାଇଛି। ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରି ଠାକୁରଙ୍କ ୪୬୨ ଡିସିମିଲି ଜମି ତାଙ୍କୁ ପ୍ରଦାନ ପାଇଁ ବିଏମ୍‌ସି ପକ୍ଷରୁ ଏହି ଚିଠି କରାଯାଇଛି। ତେଣୁ ଜାଲିଆତି ବଳରେ ଠାକୁରଙ୍କ ଜମିର ରେକର୍ଡ ବଦଳାଇବା, ସେହି ଜମି ବାବଦରେ ଏକାମ୍ର ଯୋଜନାରୁ କ୍ଷତିପୂରଣ ଟଙ୍କା ଓ ଜମି ପାଇବାରେ ସ୍ଥାନୀୟ ଛାମୁଆଙ୍କ କାରସାଦି ଥିବା ଜଣାପଡ଼ିଛି। ତେବେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଏହାକୁ ଜୋର୍‌ଦାର୍‌ ବିରୋଧ କରାଯିବ। ଆଜି ଦେବୋତ୍ତର କମିସନର କାର୍ଯ୍ୟାଳୟ ଘେରାଉ କଲା ବେଳେ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ସହ ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ମାନସ ପତି, ପ୍ରଭାତ କିଶୋର ମହାନ୍ତି, ରାଜୀବ ପୂଜାପଣ୍ଡା, ରାଜେଶ ମିଶ୍ର, ସଂଗ୍ରାମ କିଶୋର ସାହୁ, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ଦିଲ୍ଲୀପ ସୁବୁଦ୍ଧି, ସ୍ବପ୍ନାରାଣୀ ସାମଲ, ବିନୋଦିନୀ ସେନାପତି, ସଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର