ଶ୍ରୀଲିଙ୍ଗରାଜଙ୍କ ସଂପତ୍ତି ହଡ଼ପ ଅଭିଯୋଗ: ମନ୍ଦିର ଆଗରେ ବିକ୍ଷୋଭ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସଂପତ୍ତି ହଡ଼ପ ପ୍ରତିବାଦରେ ଆଜି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଞ୍ଚର କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ବିକ୍ଷୋଭରେ ସାମିଲ ହୋଇ ପ୍ରତିବାଦ କରିଥିଲେ। ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।

ମଞ୍ଚର ଅଭିଯୋଗ ହେଲା, ମନ୍ଦିରର ଉତ୍ତରପାର୍ଶ୍ବରେ ୧୦୦ ମିଟର ଦୂରରେ ଏକ ଯାତ୍ରୀନିବାସ (କୋରାପୁଟ୍ ଭବନ) ରହିଛି। ଏହାର ମୂଳ ମାଲିକ ଶ୍ରୀଲିଙ୍ଗରାଜ ମହାପ୍ରଭୁ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ। କିନ୍ତୁ ଜଣେ ବ୍ୟକ୍ତି ଏହି ଭୂ-ସମ୍ପତ୍ତିର ମୂଳ ରେକର୍ଡକୁ ଚଞ୍ଚକତା ପୂର୍ବକ ପରିବର୍ତ୍ତନ କରି ନିଜ ନାମରେ କରାଇ ନେଇଛନ୍ତି। ସେଠାରେ ଅଟ୍ଟାଳିକା କରି ତାକୁ ଏକ ଘରୋଇ ଯାତ୍ରୀନିବାସ ଭାବେ ଚଲାଇ ଅର୍ଥ ଉପାର୍ଜନ କରିଆସୁଛନ୍ତି। ଏବେ ଏକାମ୍ର ଯୋଜନାରେ ଏହାକୁ ଉଚ୍ଛେଦ କରାଯିବାକୁ ଥିବା ବେଳେ କ୍ଷତିପୂରଣ ବାବଦକୁ ଉକ୍ତ ବ୍ୟକ୍ତିଙ୍କୁ ୪୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ମସୁଧା ଚାଲିଛି। ଏହାସହ ଜମି ବଦଳରେ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ୍ ନିକଟରେ ଜମି ଦେବାକୁ ବିଏମ୍‌ସି ପତ୍ରସଂଖ୍ୟା ୬୯୯୫୩ରେ ମନ୍ଦିର ଟ୍ରଷ୍ଟବୋର୍ଡକୁ ଚିଠି କରିଛି। ଟ୍ରଷ୍ଟବୋର୍ଡରେ ଅନୁମୋଦନ କରି ଠାକୁରଙ୍କ ୪୬୨ଡିସିମିଲ ତାଙ୍କୁ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଏହି କେଳେଙ୍କାରି ହେଲେ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବ। ସ୍ଥାନୀୟ ଅଞ୍ଚଳର କିଛି କୁଜି ନେତାଙ୍କ ପ୍ରରୋଚନାରେ ମହାପ୍ରଭୁଙ୍କ ସଂପତ୍ତି ହଡ଼ପ ପାଇଁ ଏଭଳି ଯୋଜନା ଚାଲିଥିବା ବେଳେ ବିଏମ୍‌ସି ସେମାନଙ୍କୁ ସାହାଯ୍ୟ କରୁଛି ବୋଲି ମଞ୍ଚ ଅଭିଯୋଗ କରିଛି। ତେଣୁ ଏନେଇ ମଞ୍ଚ ପକ୍ଷରୁ ଦେବୋତ୍ତର ଆଇନ ଧାରା-୯ରେ ମାମଲା କରାଯିବ ବୋଲି କୁହାଯାଇଛି।

ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସରୋଜ ମିଶ୍ର, ଚନ୍ଦ୍ରଶେଖର ପାଲ, ଗୋପୀନାଥ ପ୍ରଧାନ, ପ୍ରଫୁଲ୍ଲ ମହାରାଜ, ମାନସ ପତି, ଦିଲ୍ଲୀପ ସୁବୁଦ୍ଧି, ବ୍ରଜରାଜ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ସ୍ୱପ୍ନାରାଣୀ ସାମଲ, ସଞ୍ଜୁଲତା ପଟ୍ଟନାୟକ, ବିନୋଦିନୀ ସେନାପତି, ମାନସୀ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର