ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ବେଶର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ପରିତାପର କଥା ହେଉଛି, ଆଜି ଏଥିରେ ମହାପ୍ରଭୁଙ୍କ ଗର୍ଭଗୃହରେ ଅବସ୍ଥାନ ବେଳର ଫଟୋ ରହିଛି। ତେଣୁ ଗର୍ଭଗୃହ ଭିତରେ ଠାକୁରଙ୍କ ଫଟୋ କିଭଳି ଭିଡିଓ ହୋଇ ଭାଇରାଲ୍ ହେଲା, ତାହାକୁ ନେଇ ଛାନ୍ଭିନ୍ ଆରମ୍ଭ ହୋଇଛି। ଆଜି ଏହି ଘଟଣା ପଦାକୁ ଆସିବା ପରେ ସେବାୟତମାନେ ମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଧ୍ୟାନ କରି ଥାନାରେ ଜଣାଇବେ ବୋଲି କହିଛନ୍ତି।
ଏବେ ଲକ୍ଡାଉନ୍ ଚାଲୁଥିବା ବେଳେ କେବଳ ମନ୍ଦିରର ପାଳିଆ ସେବାୟତ ଓ ଚନ୍ଦନ ଯାତ୍ରା ପାଳିଆ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି। ମନ୍ଦିରରେ ସିସିଟିଭି ରହିଥିବା ବେଳେ ମନ୍ଦିର ପ୍ରଶାସନ ଏବଂ ଏଏସ୍ଆଇ ପକ୍ଷରୁ କଡ଼ା ନଜର ରଖାଯାଇଥାଏ। ଏସବୁ ସତ୍ତ୍ୱେ ଜଣେ ଯୁବକ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଥିବା ଘଟଣା ପଦାକୁ ଆସିଛି। ତେଣୁ ପାଳି କରିବାକୁ ଆସିଥିବା କେହି ସେବାୟତ ମନ୍ଦିର ଗର୍ଭଗୃହର ଫଟୋକୁ ଭାଇରାଲ୍ କରିଛି ବୋଲି ଅଭିଯୋଗ କରାଯାଇଛି। କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ ସିସିଟିଭି ଓ ଭାଇରାଲ୍ ଫଟୋକୁ ଯାଞ୍ଚ କରିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ।