ପୁରୁଣା ଭୁବନେଶ୍ୱର: ଏକାମ୍ରକ୍ଷେତ୍ରର ଅନ୍ୟତମ ଐତିହ୍ୟ ପୁଷ୍କରିଣୀ ଭୀମକୁଣ୍ଡ ନୂଆ ରୂପରେ ସଜେଇ ହେଉଛି। ନୂଆ ତିଆରି ହୋଇଥିବା ବିଶାଳ ନବଗୁଞ୍ଜର ଭୀମକୁଣ୍ଡ ପୁଷ୍କରିଣୀର ସୌନ୍ଦର୍ଯ୍ୟ ବଢ଼ାଇଛି। ମହାଭାରତ ବର୍ଣ୍ଣିତ ବିଷ୍ଣୁଙ୍କ ଅନନ୍ୟ ତଥା ବିରଳ ରୂପ ନବଗୁଞ୍ଜର, ବହୁ ବର୍ଷ ଧରି ଅବହେଳିତ ହୋଇପଡ଼ିଥିବା ଭୀମକୁଣ୍ଡ ପୁଷ୍କରିଣୀର ପୁରୁଣା ଗୌରବ ଓ ଗାଥା ବଖାଣୁଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୀମକୁଣ୍ଡ ଯାତ୍ରାର ଅବ୍ୟବହିତ ପୂର୍ବରୁ ଏହି ନବଗୁଞ୍ଜର ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର  ମାହୋଲ ସୃଷ୍ଟି କରିଛି।  

Advertisment

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

ବନବାସ ସମୟରେ ପାଣ୍ଡବ ପାଞ୍ଚ ଭ୍ରାତା, ପ୍ରାଚୀନ ପବିତ୍ର ଶୈବ କ୍ଷେତ୍ର ତଥା ଆଜିର ପୁରୁଣା ଭୁବନେଶ୍ବରରେ କିଛି କାଳ କଟାଇଥିଲେ। କିଂବଦନ୍ତୀ କୁହେ ବଡ଼ଗଡ଼ ନିକଟ ବ୍ରହ୍ମେଶ୍ବରପାଟଣା ବା ଆଜିର ପାଣ୍ଡବନଗରରେ(ଯେଉଁଠି ପାଣ୍ଡବ ଗୁମ୍ଫା ରହିଛି) ବେଶ୍‌ କିଛି ଦିନ ପାଇଁ ପାଣ୍ଡବମାନେ ଅବସ୍ଥାନ କରି ଶିବ ପୂଜାରେ ନିମଗ୍ନ ଥିଲେ। ଏହି ସମୟରେ ଦ୍ବିତୀୟ ପାଣ୍ଡବ ଭୀମ ଏକାମ୍ର ଜଙ୍ଗଲରେ ବିଚରଣ କରୁକରୁ ସୁନ୍ଦରପଦା ନିକଟ ବିସ୍ତୀର୍ଣ୍ଣ ପ୍ରସ୍ତର ଟାଙ୍ଗର ଭୂଇଁରେ ତାଙ୍କ ପାଦଚିହ୍ନ ଛାଡ଼ିଯାଇଥିଲେ। ସେବେଠୁ ଉକ୍ତ ଜାଗାକୁ ଭୀମଟାଙ୍ଗୀ ଓ ଉକ୍ତ ପାଦଚିହ୍ନର ଖାଲୁଆ ଅଂଶକୁ ଭୀମକୁଣ୍ଡ କୁହାଗଲା। ପରେ ସେଠାରେ ଅଷ୍ଟାଦଶ ଶତାଦ୍ଦୀର ମଧ୍ୟ ଭାଗରେ ଏଠାରେ ଭୀମେଶ୍ବର ମନ୍ଦିର ପ୍ରତିଷ୍ଠା କରାଗଲା ଏବଂ ପଥରକୁ କାଟିକାଟି ଏକ ପୁଷ୍କରିଣୀ ଖୋଳା ଯାଇଥିଲା। ଭୀମେଶ୍ବରଙ୍କ ପ୍ରତିଷ୍ଠା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାଘ ମାସରେ ଏଠାକୁ ଯାତ୍ରା କରିବା ବିଧି ରହିଛି।  

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

ଏବେ ଭୀମେଶ୍ବର ମନ୍ଦିରର ସୌନ୍ଦର୍ଯ୍ୟୀକରଣ କାମ କରାଯାଇଛି। ଏକ ବିଶାଳ ବୃଷଭ ସ୍ଥାପନ କରାଯାଇଛି। ରବିବାର ଦିନ ନବନିର୍ମିତ ନବଗୁଞ୍ଜର ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।  ମହାଭାରତ ବର୍ଣ୍ଣିତ ନଅଗୋଟି ପଶୁପକ୍ଷୀଙ୍କ ଅଙ୍ଗର ସମାହାର ହେଉଛି ନବଗୁଞ୍ଜର। ନବଗୁଞ୍ଜରର ବଡ଼ ବିଚିତ୍ର ରୂପ। କୁକୁଡ଼ାର ମୁଣ୍ଡ, ମୟୂରର ଗଳା, ଗୋଟିଏ ବାହୁ ମଣିଷର, ଗୋଟିଏ ଗୋଡ଼ ହାତୀର, ଗୋଟିଏ ପାଦ ବାଘର, ଗୋଟିଏ ପାଦ ଘୋଡ଼ାର, ପିଠି ବୃଷଭର, କଟି ସିଂହର ଓ ଲାଞ୍ଜ ହେଉଛି ସାପର। ଏଥିପାଇଁ ବିଏମ୍‌ସି ପକ୍ଷରୁ ସହଯୋଗ କରାଯିବା ସହ ଲାଇଟ୍‌ ବ୍ୟବସ୍ଥା କରାଯାଉଛି ବୋଲି କର୍ପୋରେଟର ଶିବ ପ୍ରସାଦ ରାୟ କହିଛନ୍ତି। ସେ କହିଛନ୍ତି ଯେ ଏହି ପୁଷ୍କରିଣୀର ପ୍ରବେଶଦ୍ବାରକୁ ଅଧିକ ସୁନ୍ଦର କରାଯାଉଛି। ପୁଷ୍କରିଣୀ ମଧ୍ୟଭାଗରେ ଥିବା ଜଗତି ଉପରେ ଶିବଙ୍କ ସୌମ୍ୟ ମୂର୍ତ୍ତି ରହିବ। ଏହି ମୂର୍ତ୍ତିର ଜଟାରୁ ଗଙ୍ଗା ଝରୁଥିବେ। ୨୯ ତାରିଖ ଭୀମ ଏକାଦାଶୀ ଦିନ ପ୍ରଭୁ ଲିଙ୍ଗରାଜଙ୍କ ସ୍ବାଗତ ପାଇଁ ଭୀମେଶ୍ବର ମନ୍ଦିର କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଘଣ୍ଟଘଣ୍ଟା, କାହାଳୀ, ତୂରୀ, ଭେରୀ, ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ଓ ଆତସବାଜି ଶୋଭାଯାତ୍ରା ପ‌ରେ ଭଜନ ସମାରୋହ କରାଯିବ ଏବଂ ଶ୍ରଦ୍ଧାଳୁମାନଙ୍କୁ ମୁଆଁ ବଣ୍ଟନ କରାଯିବ। ଆଜି ଭୀମେଶ୍ବର ମନ୍ଦିର ସମିତି ପକ୍ଷରୁ ଆୟୋଜିତ ନବଗୁଞ୍ଜର ପ୍ରତିଷ୍ଠା ଉତ୍ସବରେ  ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, କର୍ପୋରେଟର ଶିବପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।