ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ବିମାନ କଳସ ପୁଣି ଭାଙ୍ଗି ଖସିପଡ଼ିଛି। ରୁକୁଣା ରଥ କାଠ ଚିରା ଅନୁକୂଳ ପାଇଁ ମହାପ୍ରଭୁ ଆଜି ଶ୍ରୀରାମନଗରସ୍ଥିତ ଶ୍ରୀପଞ୍ଚମି ପଡ଼ିଆ ଯାତ୍ରା ବେଳେ ଏହି ଅଘଟଣ ଘଟିଛି। ରାତି ପ୍ରାୟ ସାଢ଼େ ୮ଟାରେ ଦେବାଦେବୀ ସେବାୟତଙ୍କ ଗହଣରେ ଯାତ୍ରା କରିଥିଲେ। ଖରାଖିଆ ରାସ୍ତାରେ ଦୟା କେନାଲ ବ୍ରିଜ୍ ପୂର୍ବରୁ ରାସ୍ତାରେ ଏକ ବଉଳ ଗଛ ବାଜି କଳସ ତଳେ ପଡ଼ିଯାଇଥିଲା। ସେବାୟତମାନଙ୍କ କହିବା କଥା ଉକ୍ତ ରାସ୍ତାରେ ଏକ ଗାଡ଼ି ରହିଥିବା ବେଳେ ତାହା ସେଠାରୁ ହଟି ନଥିଲା। ଯେଉଁଥିପାଇଁ ଗାଡ଼ି କଡ଼ରେ ବମାନ ଯାଇଥିଲା। ସେଠାରେ ବଉଳ ଗଛ ବାଜି ବିମାନ କଳସ ତଳେ ପଡ଼ିଯାଇଥିଲା।
ପୂର୍ବରୁ ୨୦୨୩ମସିହା ଫେବ୍ରୁଆରି ୧ତାରିଖରେ ଭିମେଶ୍ୱର ଯାତ୍ରାରୁ ଫେରିବା ବେଳେ ଏକ ଗଛର ଡାଳ ବାଜି ଶ୍ରୀଲିଙ୍ଗରାଜଙ୍କ ବିମାନ କଳସ ଭାଙ୍ଗିଯାଇଥିଲା। କଳସ ଭାଙ୍ଗିବା ସହ ଏହା ଉପରେ ଲାଗିଥିବା ତ୍ରିଶୂଳ ଓ ପତାକା ଖସି ପଡ଼ିଥିଲା। ୨୦୨୧ମସିହାରେ ନୂତନ ବିମାନ ତିଆରି ହୋଇଥିଲେ ମଧ୍ୟ ବାରମ୍ବାର ଖସି ପଡୁଥିବାରୁ ସେବାୟତମନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେବାୟତଙ୍କ କହିବା ଅନୁଯାୟୀ ବମାନ ଯାତ୍ରା ବେଳେ ରାସ୍ତାରେ ପଡୁଥିବା ଗଛ ଡାଳଗୁଡ଼ିକୁ କାଟିବାକୁ ପ୍ରଶାସନ ତତ୍ପରତା ଦେଖାଉନାହିଁ। ଯେଉଁଥିପାଇଁ ଏଭଳି ଅଘଟଣ ବାରମ୍ବାର ଘଟୁଛି।
ସୂଚନାଯୋଗ୍ୟ, ନୀତି ପୂଜା ପରେ ଏକ କୁରାଢ଼ୀରେ ସେବାୟତ ଆମ୍ବ ଗଛରେ ଛେଦନ କରି କାଠ ଚିରା ଆରମ୍ଭ କରିଥିଲେ। ଗତ ବର୍ଷ ପରି ପାଚେରୀ କଡ଼କୁ ଲାଗି ହୋଇଥିବା ସିଂହାସନରେ ଠାକୁର ପୂଜା ପାଇଥିଲେ। ଆଜି ସେହି ଜମିକୁ ପୂଜା ପାଇଁ ଠାକୁର ଯିବା ବେଳେ ଉତ୍ତେଜନା ଆଶଙ୍କାରେ ସେଠାରେ ପୁଲିସ ମୁତୟନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/03/iAzTW5FmBgIsiab9pna0.jpg)