ଲକ୍‌ଡାଉନ୍‌ କଟକଣା ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିର ପତାକା ଦେଖି ମନ ବୁଝାଉଛନ୍ତି ଭକ୍ତ; ବେଲପତ୍ର, ତୁଳସୀ ଦେଇପାରୁ ନାହାନ୍ତି, ଅବଢ଼ା ସାତସପନ

ପୁରୁଣା ଭୁବନେଶ୍ବର : କରୋନା ପ୍ରଭାବରେ ସାରା ଦେଶରେ ଦେବଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିରଗୁଡ଼ିକ ମଧ୍ୟ ସେଥିରୁ ମୁକୁଳି ପାରିନାହିଁ। କରୋନା ଭୟ ଯୋଗୁଁ ଗତ ମାର୍ଚ ୨୦ ତାରିଖରୁ ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ଫଳରେ ଦର୍ଶନରୁ ବଞ୍ଚିତ ଭକ୍ତ ଛାତ ଉପରୁ ଶ୍ରୀଲିଙ୍ଗରାଜ ମନ୍ଦିର ପତାକା ଦେଖି ମନ ବୁଝାଉଛନ୍ତି। ମନ୍ଦିରରେ କେବଳ ଠାକୁରଙ୍କ ନୀତିକାନ୍ତି ହେଉଛି। ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଠାକୁରଙ୍କୁ ବେଲପତ୍ର, ତୁଳସୀ ଦେଇ ପାରୁନାହାନ୍ତି ଶ୍ରଦ୍ଧାଳୁ। ଏପରିକି ଅବଢ଼ା ଭକ୍ତଙ୍କ ପାଇଁ ସାତସପନ ପାଲଟିଛି।

ଲକ୍‌ଡାଉନ୍‌ ଯୋଗୁଁ ଏବେ ମନ୍ଦିର ବେଢ଼ା ଖାଁ ଖାଁ। ଯେଉଁ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶତାଧିକ ଭକ୍ତଙ୍କ ଆଗମନ ହେଉଥିଲା, ସେଠାରେ ‌ଏବେ ନିଜ ପୂଜା ପାଳି ଥିବା ପୂଜକଙ୍କ ବ୍ୟତୀତ ଆଉ କାହାକୁ ଦେଖିବାକୁ ମିଳୁନାହିଁ। ମନ୍ଦିରରେ ଭକ୍ତ ନଥିବାରୁ ଅଧିକ ଫୁଲ, ବେଲପତ୍ର ଓ ତୁଳସୀ ପତ୍ର ମଧ୍ୟ ଆସିପାରୁ ନାହିଁ। ପ୍ରତିଦିନ ଠାକୁରଙ୍କ ବେଲପତ୍ର ପାଇବା ପାଇଁ ଯେପରି ଭିଡ଼ ହୁଏ, ତାହା ବି ନାହିଁ। ସେହିପରି ମା’ ପାର୍ବତୀ ଓ ଭୁବନେଶ୍ବରୀଙ୍କ ମାଜଣା ପାଦୁକ ଭକ୍ତ ପାଇ ପାରୁନାହାନ୍ତି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଏହି ପାଦୁକ ପାଇଁ ବ୍ୟାକୁଳ ହେଉଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ସେହିପରି ବିଭିନ୍ନ ସେବାୟତ ପରିବାରର ବୟସ୍କ ବ୍ୟକ୍ତି ଯାତ ଉପବାସ କରିଥାନ୍ତି। ଚଳିତବର୍ଷ ଯାତ ବନ୍ଦ ଯୋଗୁଁ ଏହି ଉପବାସ କରିବା ଓ ଅବଢ଼ା ଖାଇବାରୁ ବଞ୍ଚିତ ହୋଇଛନ୍ତି।

ବ୍ରାହ୍ମଣ ସାହିର ରାଜକିଶୋର ମହାପାତ୍ର କହନ୍ତି, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବେଲପତ୍ର ପାଇବା ପାଇଁ ପ୍ରତିଦିନ ଶତାଧିକ ଭକ୍ତ ଆସନ୍ତି। ସେମାନେ ଠାକୁରଙ୍କୁ ଫୁଲ, ବେଲପତ୍ର ଓ ତୁଳସୀ ଦେବା ସହ ଭୋଗ ନେଇଥାନ୍ତି। ଏବେ ସେମ‌ାନେ ଏଥିରୁ ବଞ୍ଚିତ ଅଛନ୍ତି। କିଛି ଭକ୍ତ ଓ ବୃଦ୍ଧା ପାଳିଆ ସେବାୟତ ଘରକୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ପାଳିଆ ସେବାୟତ ଘରକୁ ଫେରିବା ବେଳେ ସେମାନଙ୍କଠୁ ବେଲପତ୍ର ତୁଳସୀ ନେବାକୁ ଚାହିଁ ବସୁଛନ୍ତି। ସେହିପରି ବଡ଼ୁ ସାହିର ପ୍ରଭାତୀ ନଳିନୀ ମହାପାତ୍ର କହନ୍ତି, ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଖାଇଥାଉ। କିନ୍ତୁ ଏବେ କୋଠା ଉପରେ ଶ୍ରୀଲିଙ୍ଗରାଜଙ୍କ ପତାକା ଦେଖି ପୁରୁଣା ପାଦୁକ, ବେଲପତ୍ର ଗ୍ରହଣ କରିବା ପରେ ଖାଉଛୁ।

ସେହିପରି ଚଳିତ ବର୍ଷ ରୁକୁଣା ରଥଯାତ୍ରା ବନ୍ଦ ଯୋଗୁଁ ଯାତ୍ରା ଉପବାସ କରିପାରିନାହୁଁ। ଘର ପାଖକୁ ରଥ ନ ଆସିବାରୁ ପିଠା ଭୋଗ କରିବା ସୁଯୋଗ ପାଇଲୁ ନାହିଁ ବୋଲି ବଡ଼ୁ ସାହିର ସେବାୟତ ପରିବାର କହିଛନ୍ତି। ମାଉସୀ ମା’ ଛକର ଗିରିଜା ଦାଶ କହନ୍ତି, ରଥ ମାଉସୀ ମା’ ଛକକୁ ଆସିଲେ ଭୋଗ କରାଯାଇ ବଣ୍ଟାଯାଏ। ଏହା ଦ୍ବାରା ଆନନ୍ଦ ମିଳେ। ଲୋକଙ୍କୁ ବହୁ ସ୍ଥାନରେ ଛତର ତୋରାଣି ବଣ୍ଟା ହୁଏ। ତେବେ ଚଳିତବର୍ଷ ଏହି ଆନନ୍ଦ ମିଳିଲା ନାହିଁ। ଜଣେ ପୂଜକ ତାଙ୍କ ନାମ ଗୋପନ ରଖି କହିଛନ୍ତି ଯେ ମା’ ପାର୍ବତୀ ଓ ଭୁବନେଶ୍ବରୀଙ୍କ ମାଜଣା ପାଦୁକ ପାଇଁ ଶ୍ରଦ୍ଧାଳୁ ଚାହିଁ ବସିଥାନ୍ତି। ତାହା ଏବେ ପାଣିରେ ପକାଯାଉଛି। ସେହିପରି ଭୁବନେଶ୍ବରୀ ମନ୍ଦିରର ପୂଜକ କହନ୍ତି, ଲକ୍‌ଡାଉନ୍‌ ଯୋଗୁଁ ଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ଅବଢ଼ା ବନ୍ଦ। ତେଣୁ ମାସେ ହେଲା ଠାକୁରଙ୍କ ଅବଢ଼ା ଘରକୁ ନେଇପାରୁ ନାହୁଁ।

ସମ୍ବନ୍ଧିତ ଖବର