ନୃତ୍ୟ ନୈବେଦ୍ୟର ଓଡ଼ିଶୀ ଉତ୍ସବ : ଶ୍ରୀନିବାସ ଘଟୁଆରୀଙ୍କୁ ‘ଚତୁର୍ଥ ନୃତ୍ୟ ନୈବେଦ୍ୟ ସମ୍ମାନ’

ଭୁବନେଶ୍ବର : ‘ନୃତ୍ୟ ନୈବେଦ୍ୟ’ ପକ୍ଷରୁ ଚତୁର୍ଥ ‘ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ’ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଗୁରୁ ଧନେଶ୍ବର ସ୍ବାଇଁ ଓ ଉତ୍ସବର ନିର୍ଦ୍ଦେଶକ ପ୍ରଭାତ କୁମାର ସ୍ବାଇଁ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ବର୍ଷର ‘ଚତୁର୍ଥ ନୃତ୍ୟ ନୈବେଦ୍ୟ ସମ୍ମାନ’ ଶ୍ରୀନିବାସ ଘଟୁଆରୀ(ମିଲନ)ଙ୍କୁ ପ୍ରଦାନ କରାଯାଇଥିଲା।

ଉତ୍ସବର ଆରମ୍ଭରେ ସ୍ନେହା ମାରାଣ୍ଡିଙ୍କ ଦ୍ବାରା ‘ତ୍ରାହି ଦୁର୍ଗା’, ସିମ୍‌ରନଙ୍କ ଦ୍ବାରା ‘ଆହେ ନୀଳମଣି’, ‌କାତ୍ୟାୟନି ଓ ଶ୍ରେୟାଙ୍କ ଦ୍ବାରା ‘ଶିବାୟ’ ନୃତ୍ୟ ପରିବେଷିତ ହୋଇଥିଲା। ପରେ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ‘ଜଗନ୍ନାଥ ଯାତ୍ରା’ ପରିବେଷଣ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ ଏହାର ପରିକଳ୍ପନା କରିବା ସହ ସଂଳାପ ରଚନା ଓ ଅଭିନୟ କରିଥିଲେ। ଉତ୍ସବରେ ଗୁରୁ ପ୍ରଭାତ ସ୍ବାଇଁ, ହରେକୃଷ୍ଣ ଧଳ, ଆଶୁ‌େତାଷ ପରିଡ଼ା, ବିକ୍ରମ ସାମଲ, ଚିନ୍ମୟ ସାହୁ ନୃତ୍ୟ ନିର୍ଦ୍ଦେଶନା ସହ ନୃତ୍ୟ ପରିଚାଳନା କରିଥିଲେ। ଏଥିରେ ସହଯୋଗ କରିଥିଲେ ଦୀପକ କୁମାର ସ୍ବାଇଁ, ସନ୍ତୋଷ ଦାସ, ସୁବାସ ପ୍ରଧାନ, ସମ୍ବିତ ପ୍ରଧାନ, ସତ୍ୟ ନାରାୟଣ ମହାପାତ୍ର, ପ୍ରଭାକର ସ୍ବାଇଁ ଓ ଲମ୍ବୋଦର ମହନ୍ତ। କାର୍ଯ୍ୟକ୍ରମକୁ ସୁଦୀପ ପଟ୍ଟନାୟକ ପରିଚାଳନା ଓ ପ୍ରତାପ କର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର