ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରି ୨୪ ତାରିଖ ରାତିରେ ଲିଙ୍ଗରାଜ ଥାନା ଶ୍ରୀରାମନଗରସ୍ଥିତ ଏସ୍‌ବିଆଇ ଏଟିଏମ୍‌ ତାଡ଼ି ପାଖାପାଖି ୨୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ସ୍ପେସାଲ୍‌ ସ୍କ୍ବାଡ୍‌, ପିଓପିଡି ଟିମ୍‌ ଓ ଲିଙ୍ଗରାଜ ଥାନା ପୁଲିସର ଦେଢ଼ ମାସର କସରତ ଓ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘୂରି ବୁଲିବା ପରେ ଏହି ଲୁଟ୍‌ କରିଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଦେଶର ବିଭିନ୍ନ ସ୍ଥାନରେ ଏଟିଏମ୍‌ ତାଡ଼ି ଲୁଟ୍‌ କରୁଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ୨ ମାଷ୍ଟରମାଇଣ୍ଡ୍‌ ଭୁବନେଶ୍ବରରେ ଏକ ନୂଆ ଗ୍ୟାଙ୍ଗ୍‌ ଗଢ଼ି ଶ୍ରୀରାମନଗର ଏଟିଏମ୍‌ ଲୁଟିଥିଲେ। ସେହି ୨ ମାଷ୍ଟରମାଇଣ୍ଡ ଧରାପଡ଼ି ନଥିଲେ ହେଁ କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଛନ୍ତି ଗ୍ୟାଙ୍ଗ୍‌ର ୬ ସଦସ୍ୟ। ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ୫ଜଣ ଓ ଦିଲ୍ଲୀର ଜଣେ ଅଛି। ଭୁବନେଶ୍ବରର ୫ ହେଲେ ଲିଙ୍ଗରାଜ ଥାନା କପିଳେଶ୍ବରର କୁଖ୍ୟାତ ଅପରାଧୀ ଦେବୀପ୍ରସାଦ ମଲିଆ ଓରଫ ଭିକି(୨୯), କପିଳେଶ୍ବର ଦାଣ୍ଡସାହିର ଆକାଶ ମହାପାତ୍ର(୨୭), ଏୟାର୍‌ଫିଲ୍‌ଡ ଥାନା ସୁନ୍ଦରପଦା ଭଟ୍ଟସାହିର ସାଗର ସାମଲ(୨୪), ବୀରେନ୍‌ ରାଉତ ଓରଫ ବରୁ(୨୦), ଜଟଣୀ ଚିନ୍ତାମଣିନଗରର ରମାକାନ୍ତ ସାହୁ ଓରଫ କାହ୍ନା(୨୦) ଓ ଦିଲ୍ଲୀରେ ରହୁଥିବା ରାଉରକେଲାର ଆକାଶ ମୁଖାର୍ଜୀ ଓରଫ୍ ବୁବାଇ(୨୩)। ଧରାପଡ଼ି ନଥିବା ୨ ମାଷ୍ଟରମାଇଣ୍ଡ ହେଲେ କୋଲକାତାର ସେକ୍‌ ମିଜ୍‌ନୁର୍‌ ରହମନ୍‌ ଓରଫ ରାଜୁ ଓ ରୁସ୍ତମ୍‌। ସେମାନଙ୍କ ନିକଟରୁ ଲୁଟ୍‌ରେ ବ୍ୟବହୃତ ୨ ବାଇକ୍‌ ଓ ଏକ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। 

Advertisment

ଜେଲ୍‌ରୁ ଗଢ଼ିଥିଲେ ଗ୍ୟାଙ୍ଗ୍‌

ଧରାଇଲା ଜେଲ୍‌ ରେକର୍ଡ
ଧଉଳି ଏଟିଏମ୍‌ ଲୁଟ୍‌ ମାମଲାକୁ ନେଇ ପୁଲିସ ଶ୍ରୀରାମନଗର ମାମଲାର ଖୋଳତାଡ଼ କରିଥିଲା। ବିଶେଷକରି ପୁଲିସ ରାଜୁର ଜେଲ୍‌ ରହଣି ରେକର୍ଡକୁ ଛାନ୍‌ଭିନ କରିଥିଲା। ସେଠାରୁ ଭିକି ସହ ରାଜୁର ଦୋସ୍ତି ବାବଦରେ ସୁରାକ ମିଳିଥିଲା। ସେପଟେ ଗଙ୍ଗୁଆ କୂଳରୁ (ଯେଉଁ ଅଞ୍ଚଳରୁ ଭଙ୍ଗା ଏଟିଏମ୍‌ ମିଳିଥିଲା) ମିଳିଥିବା ସିସିଟିଭି ଫୁଟେଜ୍‌ରୁ ପୁଲିସକୁ ମିଳିଥିଲା ଦୁଇଟି ବାଇକ୍‌ର ସୂଚନା। ତେଣୁ ପୁଲିସ ରାଜୁ-ରୁସ୍ତମ୍‌ ଗ୍ୟାଙ୍ଗ୍‌ରେ ଭିକିର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରିଥିଲା। ଠିକ୍‌ ସେତିକିବେଳେ ଭିକି ଭୁବନେଶ୍ବରରେ ନଥିଲା। ତେଣୁ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପୁଲିସ ଭିକିକୁ ପିଛା କରିବା ନେଇ କୌଣସି ଖିଅ ଛାଡ଼ି ନଥିଲା। ଶେଷରେ ପୁଲିସ ଭିକିକୁ ଠାବ କରିଥିଲା ଏବଂ ତାକୁ ଉଠାଇବା ପରେ ଏହି ଲୁଟ୍‌ର ପର୍ଦ୍ଦାଫାସ ହୋଇଥିଲା।  
୨ ହତ୍ୟା ମାମଲାର ଅଭିଯୁକ୍ତ ଭିକି
୨୦୧୬ ଓ ୨୦୨୨ ମସିହାରେ ଘଟିଥିବା ଦୁଇଟି ହତ୍ୟା ମାମଲାରେ ଭିକି ଗିରଫ ହୋଇଥିଲା। ୨୦୨୨ ମସିହାରେ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧ ରାତିରେ ଭିକି ଓ ତା’ର ସହଯୋଗୀମାନେ ହଜ ପୋଖରୀ ନିକଟରେ ସୁନ୍ଦରପଦାର ଦୀପକ ରାଉତରାୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନୂଆବର୍ଷ ଭୋଜିକୁ ନେଇ ଘଟିଥିବା ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ୨୦୧୬ ମସିହାରେ ପୂର୍ବ ଶତ୍ରୁତାକୁ ନେଇ ଭିକି ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳର ସଞ୍ଜୀବ ପଣ୍ଡାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି ବରୁ ବିରୋଧରେ ମଧ୍ୟ ଏକ ହତ୍ୟା ଉଦ୍ୟମ ମାମଲା ରହିଛି। ଆକାଶ ମୁଖାର୍ଜୀ ଜଣେ ସାଇବର ଠକ। ମାଷ୍ଟରମାଇଣ୍ଡ ରାଜୁ-ରୁସ୍ତମ୍‌ ଯୋଡ଼ି ଅନ୍ତଃରାଜ୍ୟ ଏଟିଏମ୍‌ ତଡ଼ା ଗ୍ୟାଙ୍ଗ୍‌ ପରିଚାଳନା କରନ୍ତି। ଲୁଟ୍‌ ଟଙ୍କାରେ ଭିକି ନିଜ ଘରର ଇଣ୍ଟେରିୟର୍‌ ଡେକୋରେସନ୍‌ କରିବା ସହିତ ସୁନା କିଣାରେ କିଛି ଖର୍ଚ୍ଚ କରିଛି।  
ରିମାଣ୍ଡ୍‌ରେ ଆଣିବ ପୁଲିସ
ସିପି ଶ୍ରୀ ସିଂଙ୍କ ସୂଚନାନୁସାରେ ରାଜୁ-ରୁସ୍ତମ୍‌ ଯୋଡ଼ିଙ୍କୁ ଗିରଫ କରିବାକୁ ପୁଲିସ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ରାଜ୍ୟ ବାହାରେ ଯେଉଁଠି ଥିଲେ ବି ସେମାନଙ୍କୁ ଖୋଜି ବାହାର କରାଯିବ। ଜଟଣୀ ସମେତ ଓଡ଼ିଶାର ବହୁ ସ୍ଥାନରୁ ହୋଇଥିବା ଏଟିଏମ୍‌ ଲୁଟ୍‌ ମାମଲାରେ ଏହି ଯୋଡ଼ିଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ସେହିଭଳି ଏହି ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଯୋଜନା ରହିଛି।  

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିପି ସୁରେଶ ଦେବଦତ୍ତ ସିଂ ଏହି ଲୁଟ୍‌ କରିଥିବା ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇଥିଲେ। ସୂଚନାନୁସାରେ ଧରାପଡ଼ିନଥିବା ରାଜୁ ଓ ରୁସ୍ତମ୍‌ ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ। ୨୦୨୨ ମସିହାରେ ଧଉଳି ଥାନା ଇନ୍ଦିରା କଲୋନିରୁ ହୋଇଥିବା ଏଟିଏମ୍‌ ଲୁଟ୍‌ ମାମଲାରେ ରାଜୁ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିଲା। ସେତିକିବେଳେ ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିବା ଭିକି ସହ ରାଜୁର ଭେଟ ହୋଇଥିଲା ଏବଂ ସେମାନେ ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ବିଭିନ୍ନ ଆପରାଧିକ ମାମଲାରେ ଜେଲ୍‌ରେ ଥିବା ଜଟଣୀ ଓ ଭୁବନେଶ୍ବରର ଅନ୍ୟ ୪ଜଣଙ୍କୁ ଭିକି, ରାଜୁ ଗ୍ୟାଙ୍ଗ୍‌ରେ ମିଶାଇଥିଲା। ପରେ ସେମାନେ ବିଭିନ୍ନ ପର୍ଯ୍ୟାୟରେ ଜାମିନରେ ମୁକୁଳିଥିଲେ। ଧଉଳି ଏଟିଏମ୍‌ ଲୁଟ୍‌ରେ ଧରାପଡ଼ି ନଥିବା ରାଜୁର ଡାହାଣ ହାତ ରୁସ୍ତମ୍‌  ପରେ ଗୋଆରେ ଗିରଫ ହୋଇଥିଲା।

ସେଠାରେ ଅନୁରୂପ ଭାବେ ଏଟିଏମ୍‌ ତାଡ଼ି ଲୁଟ୍‌ କରୁଥିବା ବେଳେ ଧରାପଡ଼ି ସେ ଗୋଆ ଜେଲ୍‌ରେ ଥିଲା ଏବଂ ସେଠାରୁ ଜାମିନରେ ମୁକୁଳିବା ପରେ ଭୁବ‌ନେଶ୍ବର ଆସି ରାଜୁ-ଭିକି ଗ୍ୟାଙ୍ଗ୍‌ରେ ଯୋଡ଼ି ହୋଇଥିଲା। ଏହାପରେ ସେମାନେ ଶ୍ରୀରାମନଗର ଏଟିଏମ୍‌ ତାଡ଼ି ନେବାକୁ ନୀଳ ନକ୍‌ସା ପ୍ରସ୍ତୁତ କରିଥିଲେ। ଘଟଣା ଦିନ ରାତିରେ ସେମାନେ ଏକ ମାଲବାହୀ ଅଟୋ ଚୋରି କରି ସେଥିରେ ତଡ଼ା ହୋଇଥିବା ଏଟିଏମ୍‌ ଲଦି ଗଙ୍ଗୁଆ କୂଳକୁ ଯାଇଥିଲେ। ସେଠାରେ ଏଟିଏମ୍‌କୁ ଭାଙ୍ଗି ଟଙ୍କା ବଣ୍ଟାବଣ୍ଟି କରିଥିଲେ। ନିଷ୍ପତ୍ତି ଅନୁସାରେ ରାଜୁ ଓ ରୁସ୍ତମ୍‌ ୧୦ ଲକ୍ଷ ଟଙ୍କା ନେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଦେଇ କୋଲକାତା ପଳାଇଥିଲେ। ସେହିଭଳି ସାଇବର ଲୁଟେରା ଆକାଶ ୩ ଲକ୍ଷ ଓ ଭିକି ଗୋଷ୍ଠୀ ପ୍ରାୟ ୯ ଲକ୍ଷ ଟଙ୍କା ନେଇଥିଲେ।