ନୂଆ ରୂପରେ ଶ୍ରୀତମ ! ଏବେ ଆମ୍ମା କିନ୍ନର

ଭୁବନେଶ୍ବର: ମଥାରେ ନାଲି ଟିକିଲି, ଓଠରେ ଲିପ୍‌ଷ୍ଟିକ୍‌ ଓ ଚୁଟିରେ ଖୋସା ସହ ନୂଆ ଚେହେରା ନେଇ ପରଦାକୁ ଓହ୍ଲାଉଛନ୍ତି ଅଭିନେତା ଶ୍ରୀତମ ଦାସ। ନୀଳାଦ୍ରି ବିହାରସ୍ଥିତ ଏକ ବସ୍ତିରେ ହିଞ୍ଜିଡ଼ା ରୂପରେ ଆଜି ତାଙ୍କୁ ଦେଖିବାକୁ ମିଳିଥିଲା। ବାସ୍ତବରେ ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କିଏ ହେବ ମୋ ହିରୋଇନ୍‌’ ଚଳଚ୍ଚିତ୍ରର ସୁଟିଂ ସେଟ୍‌ରେ ହିଁ ଶ୍ରୀତମଙ୍କ କିନ୍ନର ରୂପ ଦେଖିବାକୁ ମିଳିଛି। ଏଥି‌ରେ ସେ ଚଳଚ୍ଚିତ୍ରର ନାୟକ ଅସିତ୍‌ଙ୍କୁ ପାଳିଥିବା ଆମ୍ମା କିନ୍ନର ଭୂମିକା ନିଭାଉଛନ୍ତି। ଆଗରୁ ମଧ୍ୟ ଶ୍ରୀତମ ‘ଆଣ୍ଟି ନମସ୍କାର’ ଚଳଚ୍ଚିତ୍ରରେ ଜଣେ ମହିଳା ଭୂମିକାରେ ଅଭିନୟ କରିସାରିଛନ୍ତି। ମାତ୍ର ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରି ନାହିଁ।

ତେବେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀତମଙ୍କୁ ପ୍ରଥମଥର ପାଇଁ ଜଣେ କିନ୍ନର ଭୂମିକାରେ ଅଭିନୟର ସୁଯୋଗ ମିଳିଛି। ଏହାକୁ ନେଇ ସେ ବେଶ୍ ଆଶାବାଦୀ। କିନ୍ନର ରୂପରେ ତାଙ୍କୁ କିଛି ନିଆରା କରିବାର ସୁଯୋଗ ମିଳିଥିବା ବେଳେ କିନ୍ନରଙ୍କ ଗହଣରେ ସେ ଏବେ ବେଶି ସମୟ ବିତାଉଛନ୍ତି। ସେମାନଙ୍କ ଚାଲିଚଳନ, ବ୍ୟବହାର, କଥାବାର୍ତାକୁ ଅନୁକରଣ କରୁଛନ୍ତି। ବାସ୍ତବରେ ଚଳଚ୍ଚିତ୍ରଟି କିନ୍ନରଙ୍କ ଉପରେ ଆଧାରିତ ଏବଂ ଏହାର ନିର୍ଦେଶନା ଦେଉଛନ୍ତି ବାପି। ତେବେ କିନ୍ନର ଭୂମିକାରେ ସେ ଦର୍ଶକଙ୍କୁ କେତେ ପସନ୍ଦ ଆସିବେ ତାହା ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର