‘ସୃଜନ ଇଣ୍ଡିଆ’ର ଦିନିକିଆ ସାହିତ୍ୟ ଉତ୍ସବ

ଭୁବନେଶ୍ବର : ଦିଲ୍ଲୀର ପ୍ରକାଶନ ସଂସ୍ଥା ‘ଫିଙ୍ଗର ପ୍ରିଣ୍ଟ୍‌’ ଏବଂ କଟକର ‘ସୃଜନ ଇଣ୍ଡିଆ’ର ମିଳିତ ପ୍ରୟାସରେ ଅନନ୍ୟ ସାହିତ୍ୟ କାର୍ଯ୍ୟକ୍ରମ ‘ସୃଜନ ସମ୍ପର୍କ’ ରବିବାର ହୋଟେଲ୍‌ ଶୀତଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ସାଂପ୍ରତିକ ସମୟର ଲେଖକ, ପାଠକ ଓ ପ୍ରକାଶକ’ ଶୀର୍ଷକ ବିଷୟକୁ ନେଇ ଏକ ସମ୍ପାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ହିନ୍ଦୀ କବି ମଙ୍ଗଲେଶ ଦବରାଲ୍‌ ମତ ରଖି କହିଲେ, ପରିସ୍ଥିତିକୁ ଠିକ୍‌ ଭାବେ ବୁଝି ସେହି ବିଷୟରେ ପାଠକକୁ ଠିକ୍‌ ସୂଚନା ଦେବା ଜଣେ ଭଲ ଲେଖକର ପ୍ରାଥମିକତା ହେବା ଉଚିତ୍‌। ବରିଷ୍ଠ କବି ତଥା ପୂର୍ବତନ ପ୍ରଶାସକ ଦେବଦାସ ଛୋଟରାୟ କହିଲେ, ପ୍ରକୃତ ଲେଖକ କେବେ ବି ସତ୍ୟ ସାମ୍ନାରେ ଆଖି ବୁଜିପାରିବ ନାହିଁ। ଲେଖା ମାଧ୍ୟମରେ ସେ ନିଜେ ସାଧାରଣ ମଣିଷ ପାଖରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ।

ବରିଷ୍ଠ କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ କହିଲେ, ଜଣେ ଲେଖକ ତା ସମୟର ଭାଷ୍ୟକାର। ଲେଖା ମାଧ୍ୟମରେ ଲେଖକ ବୃହତ୍ତର ପାଠକ ସମାଜ ପାଖେ ପହଞ୍ଚିଥାଏ ବୋଲି ସେ କହିଥିଲେ। ହିନ୍ଦୀ ସାହିତ୍ୟର ବରିଷ୍ଠ କଥାକାର ପଙ୍କଜ୍‌ ବିସ୍ତ୍‌ ବର୍ତମାନ ଭାରତର ପରିସ୍ଥିତି ଖୁବ୍‌ ଉଦ୍‌ବେଗଜନକ ବୋଲି କହିଥିଲେ। ଇଂରାଜୀ ଔପନ୍ୟାସିକ ଶ୍ରୀରାମ କାରୀ କହିଲେ, ଜାତୀୟ ସମସ୍ୟାକୁ ସାହିତ୍ୟ ମାଧ୍ୟମରେ ସହଜ ଓ ସରଳ ଢଙ୍ଗରେ ପାଠକ ପାଖରେ ପହଞ୍ଚାଇବା ଉଚିତ୍‌। ଏଥିସହ ସେ ତାଙ୍କର ପରବର୍ତୀ ଉପନ୍ୟାସ ‘ୱାନ୍‌ ଫାର୍ମର ଲେସ୍‌’ ବାବଦରେ ସୂଚନା ଦେଇଥିଲେ। ଗୀତିକାର ତଥା ସଂଳାପ ଲେଖକ ବିଜୟ ମଲ୍ଲ ଓଡ଼ିଆ ଚଳଚ୍ଚିତ୍ରରେ ଓଡ଼ିଆ ସାହିତ୍ୟର ଗ୍ରହଣୀୟତା ବାବଦରେ ମତ ରଖିଥିଲେ। ହିନ୍ଦୀ ଅନୁବାଦକ ଓମା ଶର୍ମା ଅନୁବାଦ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କବି ଦୀପକ ସାମନ୍ତରାୟ ଏହି ସମ୍ପାନକୁ ସଞ୍ଚାଳନ କରିଥିଲେ। ପରେ ବଂଶୀଧର ଷଡ଼ଙ୍ଗୀ, ଜ୍ୟୋତି ନନ୍ଦ, କେଦାର ମିଶ୍ର, ସୁରେଶ ନାୟକ, ପବିତ୍ର ମୋହନ କର, ସ୍ବପ୍ନା ମିଶ୍ର, ଈପ୍ସିତା ଷଡ଼ଙ୍ଗୀ, ସରୋଜ ବଳ, ଶକ୍ତି ମିଶ୍ର, ମନୋଜ ମେହେର, ଏଲି ମହାନ୍ତି, ପ୍ରସନ୍ନ କୁମାର ସ୍ବାଇଁ, ସୁସ୍ମିତା ପଟେଲ୍‌, ଭାସ୍ବତୀ ବସୁ, ଦିପୁନ୍‌ ମୁହାଣ, ମୟଙ୍କ ବୋକଲିଆ, ଭର୍ତିକା ତିୱାରୀ ପ୍ରମୁଖ କବିତା ପାଠ କରିଥିଲେ। ଦେବଦତ୍ତ ପତି ଓ ମେହେକ୍‌ ମିର୍ଜା ପ୍ରଭୁ ନିଆରା ଢଙ୍ଗରେ ଗପ ଶୁଣାଇଥିଲେ। ଦେବଦତ୍ତ ‘ରାଜଜେମା’ ଗଳ୍ପର ସଂକ୍ଷିପ୍ତ ରୂପ ନାଟକୀୟ ଢଙ୍ଗରେ ପାଠ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଏହି ଅବସରରେ ‘ସୃଜନ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ଅରବିନ୍ଦ ରାୟଙ୍କ ‘ଚନ୍ଦ୍ରକଳାର ଚିଠି’, ଅନିଲ କୁମାର ପାଢ଼ୀଙ୍କ ‘ଷ୍ଟାପ୍‌ଲର’, ମମତାମୟୀ ଚୌଧୁରୀଙ୍କ ‘ଫିନିକ୍ସ’, ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ‘ପ୍ରୀତି ଗୀତ’, ଦୀପକ ସାମନ୍ତରାୟଙ୍କ ‘ଶୋଷ’, ଗୋପୀନାଥ ମିଶ୍ରଙ୍କ ‘ଆଶା ବାଡ଼ି’, ଅମରେଶ ବିଶ୍ବାଳଙ୍କ ‘ଚାଇନାର ଚରିତ୍ର’, ବିଚିତ୍ର ବିଶ୍ବାଳଙ୍କ ‘ଅଜଗର’, ଲକ୍ଷ୍ମୀ ଚାନ୍ଦଙ୍କ ‘ସମୁଦ୍ର ଶୋଷ’, ମହାଶ୍ବେତା ସାହୁଙ୍କ ‘ଅନ୍ଧାରର ଇନ୍ଦ୍ରଧନୁ’, ‘ରକ୍ତ ଝୋଟି’, ରବୀନ୍ଦ୍ର କୁମାର ଦାସଙ୍କ ‘ଅଦୃଶ୍ୟା ତମ ପାଇଁ’, ଅର୍ପିତା ଦାସ ଓ ବିଜୟଲକ୍ଷ୍ମୀ ଦାଶଙ୍କ ‘କବିତାରେ ବିସ୍ଥାପନ’, ପ୍ରସନ୍ନ କୁମାର ସ୍ବାଇଁଙ୍କ ‘ନିଜ ସହ ପାନିପଥ’, ନୀଳିମା ନିବେଦିତାଙ୍କ ‘ନୀଳ ନିରବତା’ ଏବଂ ଦିପୁନ୍‌ ପୁହାଣଙ୍କ ‘ଅପାଦ ପ୍ରେମିକ’ ଉନ୍ମୋଚିତ ହୋଇଥିଲା। ସୃଜନ ଇଣ୍ଡିଆର ସ୍ବତ୍ତ୍ବାଧିକାରୀ ହିମାଂଶୁ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର