ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନ୍ତର୍ଜାତୀୟ ଆଲୋଚନାଚକ୍ର

ଚନ୍ଦ୍ରଶେଖରପୁର: ସମୟର ପରିବର୍ତନ ସହ ନୂଆ ଟେକ୍ନୋଲୋଜିର ବିକାଶ ହେଉଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ କ୍ଲାସ ରୁମ୍‌ ଶିକ୍ଷା ସହ ଇନୋଭେସନ ପ୍ରତି ଧ୍ୟାନ ଦିଅନ୍ତୁ। ପାଠପଢ଼ା ସମୟରୁ କଠିନ ପରିଶ୍ରମ କରିବା ଦ୍ବାରା ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ଭୁବନେଶ୍ବରସ୍ଥିତ ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ପରିସରରେ ଆଜିଠାରୁ ଆରମ୍ଭ ହୋଇଥିବା ‘ଅଭିନବ ଦୀର୍ଘସ୍ଥାୟୀ ଔଦ୍ୟୋଗିକତା’ ଶୀର୍ଷକ ଅନ୍ତର୍ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ଯୋଗ ଦେଇଥିବା ବକ୍ତାମାନେ କହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରି କହିଲେ, ମ୍ୟାନେଜ୍‌ମେଣ୍ଟ ଶିକ୍ଷା ଶେଷରେ ଛାତ୍ରଛାତ୍ରୀ ଉଦ୍ୟୋଗଗୁଡ଼ିକରେ ନବଅନ୍ବେଷଣ କରିବା ସହ ସେମାନଙ୍କ ଉତ୍ପାଦର ସ୍ଥାୟିତ୍ବ ଅଭାବକୁ ପୂରଣ କରିପାରିଲେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ହୋଇପାରିବ। ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ସମ୍ମାନିତ ଅତିଥି ଭାବେ ଯୋ‌ଗଦେଇ ଗବେଷଣାତ୍ମକ ଚିନ୍ତାଧାରା ଅନ୍ତର୍ଜାତୀୟ କ୍ଷେତ୍ରରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବଳିଷ୍ଠ ହେବାରେ ସହାୟକ ହେବ ବୋଲି କହିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ ଯୋଗଦେଇ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଧ୍ୟୟନ ସହ ଗବେଷଣାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟର ଅଧ୍ୟକ୍ଷ ସୁଶାନ୍ତ ଦାସ ସ୍ବାଗତ ଭାଷଣ ଦେବା ସହ ଅନୁଷ୍ଠାନରେ ଚାଲିଥିବା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ନେପାଳସ୍ଥିତ ତ୍ରିଭୁବନ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ରାଧାଶ୍ୟାମ ପ୍ରଧାନ ଯୋଗଦେଇ ବ୍ୟବସାୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ପର୍ଯ୍ୟାବରଣ, ଟେକ୍ନୋଲୋଜି ଓ ଇଣ୍ଟରନେଟ୍‌ ତଥା କମ୍ପ୍ୟୁଟର ଜନିତ ସେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶେଷରେ ଡ. ଉମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର