‘ସୋମାକ୍‌’ର ସମ୍ବର୍ଧନା ପର୍ବ, ‘ନୂଆ ଆହ୍ବାନକୁ ଶିକ୍ଷାର୍ଥୀମାନେ ଗ୍ରହଣ କରନ୍ତୁ’

୧୯ ଜଣଙ୍କୁ ନିଯୁକ୍ତି ପତ୍ର, ୩୪ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

ଭୁବନେଶ୍ବର: ଖବରର ପରିଭାଷା ବଦଳିଛି। ଘଟଣାଟିଏ ଘଟିବା ମାତ୍ରେ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଖବର ଜାଣିବାକୁ ସକାଳ ଯାଏ ଆଉ ପାଠକକୁ ଅପେକ୍ଷା କରିବାକୁ ପଡ଼ୁନାହିଁ। ମାତ୍ର ସେଇ ଖବରଟିକୁ ଏମିତି ଢଙ୍ଗରେ ସାମ୍ବାଦିକଟିଏ ଲେଖିବା ଦରକାର, ଯାହା ପାଠକକୁ ସମ୍ବାଦପତ୍ରରେ ପୁଣି ସେଇ ଖବର ପଢ଼ିବାକୁ ବାଧ୍ୟ କରିବ। ତେଣୁ ସାମ୍ବାଦିକତାର ନୂଆ ଆହ୍ବାନକୁ ଶିକ୍ଷାର୍ଥୀମାନେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର। ଆଜି ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର (ସୋମାକ୍‌) ପକ୍ଷରୁ ପାନ୍ଥ ନିବାସରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, କାମ କରିବା ପରେ ଦିନର ଅବସର ସମୟକୁ ଉପଭୋଗ କରିବା ସାମ୍ବାଦିକତା ନୁହେଁ। ଏହା ଏମିତି ଏକ ବୃତ୍ତି, ଯେଉଁଥିରେ ସମୟର ପ୍ରତିବନ୍ଧକ ନ ଥାଏ। ତେଣୁ ସାମ୍ବାଦିକ ହେବା ପାଇଁ ପ୍ରତିବଦ୍ଧତା ଆବଶ୍ୟକ। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ସାମ୍ବାଦିକତା ଅନ୍ୟ ବୃତ୍ତି ସହ ତୁଳନୀୟ ନୁହେଁ। ସଂପ୍ରତି ରାଜନୈତିକ ଓ ରାଷ୍ଟ୍ରଶକ୍ତି ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ତେଣୁ ମଣିଷ ଜୀବନରେ ଯେଉଁ ସୂଚନା ଓ ମାଧ୍ୟମର ଆବଶ୍ୟକତା ଅଛି ସେଇ ମାଧ୍ୟମ ପ୍ରଦୂଷିତ ହେବାର ଭୟ ଆମକୁ ଆତଙ୍କିତ କରୁଛି। ମିଛ ଖବର, ଖରାପ କଥା, ନଜାଣିବାର କଥା ଭାରାକ୍ରାନ୍ତ କରୁଛି। ଏଭଳିସ୍ଥଳେ ସାମ୍ବାଦିକକୁ ଗୋଟେ ସଫେଇ କର୍ମଚାରୀର ମାନସିକତାକୁ ଆପଣେଇବାକୁ ପଡ଼ିବ। ଅଳିଆ, ଅଦରକାରୀ ଓ ପ୍ର‌ାୟୋଜିତ ଖବରକୁ ନିରାପଦ ଦୂରତ୍ବରେ ରଖି ଅସଲ ଖବର ଲୋକଦୃଷ୍ଟିକୁ ଆଣିବାକୁ ସାହସ ଜୁଟାଇବାକୁ ପଡ଼ିବ ବୋଲି ସେ କହିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସାମ୍ବାଦିକର ଭବିଷ୍ୟତ ତା’ର ଉତ୍ସାହ ଓ ସାମର୍ଥ୍ୟ ଉପରେ ନିର୍ଭର କରେ। ଏଥିସହ ସମ୍ବାଦ ପରିବେଷଣର ବିଭିନ୍ନ ମାଧ୍ୟମର ଅଭିବୃଦ୍ଧି ସମ୍ପର୍କରେ ସେ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ବୃତ୍ତିକୁ କାମ ବୋଲି ଭାବିଲେ ତାହା ବୋଝ ଭଳି ଲାଗିବ। କଠିନ ପରିଶ୍ରମ, ଉତ୍ସାହ ଓ ସାହସର ସହ ବୃତ୍ତିକୁ ଭଲ ପାଇଲେ ହିଁ ବୃତ୍ତି ଆପଣଙ୍କୁ ଆଗକୁ ବାଟ କଢ଼ାଇନେବ। କାର୍ଗିଲ୍ ଯୁଦ୍ଧକୁ ଘଟଣାସ୍ଥଳରେ ରହି ରିପୋର୍ଟିଂ କରିଥିବା ବର୍‌ଖା ଦତ୍ତଙ୍କୁ ହୁଏତ ଆମେ ମନେ ରଖିଛୁ, କିନ୍ତୁ ନଗଡ଼ା ଘଟଣାର ରିପୋର୍ଟିଂ କରିଥିବା ସାମ୍ବାଦିକଙ୍କୁ ଆମେ ମନେ ରଖିନାହୁଁ। ମାତ୍ର ଏହାର ଗୁରୁତ୍ବ ଉପଲବ୍ଧି କରିବା ସହ ତୃଣମୂଳ ସ୍ତରର ବାସ୍ତବ ରିପୋର୍ଟିଂକୁ ଗୁରୁତ୍ବ ଦେବା ଉଚିତ।

ସୋମାକ୍‌ର ଅଧ୍ୟକ୍ଷ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ସ୍ବାଗତ ଭାଷଣ ଦେଇଥିଲେ। ସୋମାକ୍‌ର ଛାତ୍ରଛାତ୍ରୀ ଅଧିକାଂଶ ବର୍ଷ ବିଶ୍ବବିଦ୍ୟାଳୟରେ ସ୍ବର୍ଣ୍ଣପଦକ ଜିଣୁଥିବା ବେଳେ କୌଣସି କୃତୀ ଛାତ୍ରଛାତ୍ରୀ କର୍ମହୀନ ନଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ୧୯ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ଏବଂ ୩୪ଜଣ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅତିଥିମାନଙ୍କୁ ଫୁଲ ଚାରା ଦେଇ ଅଭ୍ୟର୍ଥନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଡ.ବିମେଳନ୍ଦୁ ମହାନ୍ତି, ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ, ଅନୁବାଦକ ପ୍ରଫେସର୍‌ ଯତୀନ ନାୟକ, ଜଗନ୍ନାଥ ଦାସ, ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୋମାକ୍‌ର ଅଧ୍ୟାପିକା ଅମ୍ରିତା କୁଣ୍ଡୁ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପିକା ଶେଫାଳି ସୁମନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପିକା ଅଦିତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର