ଭୁବନେଶ୍ୱର: ସାମ୍ବାଦିକତା ଏକ ସମ୍ମାନଜନକ ବୃତ୍ତି। ସମାଜ ପ୍ରତି ସାମ୍ବାଦିକମାନଙ୍କ ଗୁରୁଦାୟିତ୍ୱ ରହିଛି। ସେମାନେ ଲେଖୁଥିବା ପ୍ରତ୍ୟେକ ଶବ୍ଦର ମହତ୍ୱ ରହିଛି। ମାତ୍ର ସାମ୍ବାଦିକତାରେ ସଫଳ ହେବାକୁ ହେଲେ ନିଜେ ଏକ ଲକ୍ଷ୍ମଣରେଖା ଟାଣିବା ଦରକାର। ତା’ ହେଲେ ଜଣେ ସାମ୍ବାଦିକ ଅନ୍ୟମାନଙ୍କ ପାଇଁ ରୋଲ ମଡେଲ୍ ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ପ୍ରଭାକର ପାଟିଲ।
ଆଜି ସମ୍ବାଦ ସ୍କୁଲ ଅଫ ମିଡିଆ ଏଣ୍ଡ କଲଚର(ସୋମାକ୍) ପକ୍ଷରୁ ରେଡକ୍ରସ ଭବନରେ ନୂତନ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଟିଲ କହିଲେ, ସାମ୍ବାଦିକତା ଓ ଓକିଲାତି ହେଉଛି ଦୁଇଟି ସମ୍ମାନଜନକ ବୃତ୍ତି। ସବୁ ବୃତ୍ତିରେ ଉଭୟ ଭଲ ଓ ଖରାପ ଲୋକ ଅଛନ୍ତି। ସ୍ୱାଧୀନତା ସମୟରେ ସାମ୍ବାଦପତ୍ରଗୁଡ଼ିକ ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନେକ ସାମ୍ବାଦିକ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରୁଛନ୍ତି। ତେଣୁ ନୂତନ ଭାବେ ସାମ୍ବାଦିକତା ବୃତ୍ତିକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଆହ୍ଵାନ ବୋଲି ଶ୍ରୀ ପାଟିଲ କହିଥିଲେ। ଉଦ୍ଘାଟକ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ କମଳାକାନ୍ତ ମିଶ୍ର କହିଲେ, ସାମ୍ବାଦିକତା ଏକ ଆହ୍ଵାନ। ଆଜିର ସମ୍ବାଦପତ୍ର କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଖବର ଅଧିକ ପ୍ରକାଶ ପାଉଛି। ଫଳରେ ଗ୍ରାମାଞ୍ଚଳରେ ଘଟୁଥିବା ଅନେକ ଖବର ଲୋକଲୋଚନକୁ ଆସି ପାରୁନାହିଁ। ତେଣୁ ସାମ୍ବାଦିକମାନେ ଏହାକୁ ଅଧିକ ଗୁରୁତ୍ୱ ଦେବା ଦରକାର। ସାମ୍ବାଦିକତା ମଧ୍ୟ ଏକ ବିଜ୍ଞାନସମ୍ମତ ପଦ୍ଧତି। ଜଣେ ସାମ୍ବାଦିକର ମୁଖ୍ୟ କାମ ହେଲା ଗୋଟିଏ ଘଟଣାର ତଦନ୍ତ କରିବା। ଏହାର ଅନୁଶୀଳନ କରିବା ପରେ ଖବର ପ୍ରକାଶ କରିବା ଜରୁରୀ। ଭଲ ଅନୁସନ୍ଧାନ ନ ହେଲେ ଖବର ଭଲ ହୋଇପାରିବ ନାହିଁ। ଏହାସହ ଭାଷା ମଧ୍ୟ ମାର୍ଜିତ ହେବା ଦରକାର ବୋଲି ପ୍ରଫେସର ମିଶ୍ର କହିଥିଲେ। ‘ସମ୍ବାଦ’ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, କେତେକ ଦେଶରେ ମୁଦ୍ରିତ ଗଣମାଧ୍ୟମ ବନ୍ଦ ହୋଇ ଯାଇଥିବା ବେଳେ ଭାରତରେ କିନ୍ତୁ ମୁଦ୍ରିତ ଗଣମାଧ୍ୟମର ସ୍ଥିତି ବେଶ ଭଲ ରହିଛି। ଗତବର୍ଷ ଆଇଆରଏସ୍ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଗତ ୩ବର୍ଷ ମଧ୍ୟରେ ମୁଦ୍ରିତ ଗଣମାଧ୍ୟମରେ ବୃଦ୍ଧି ଘଟିଛି। ୧୧କୋଟି ନୂତନ ପାଠକ ଦେଶରେ ସୃଷ୍ଟି ହୋଇଛନ୍ତି। ଏଥିରୁ ୭କୋଟି ହେଉଛନ୍ତି ଗ୍ରାମାଞ୍ଚଳର। ତେଣୁ ଆଞ୍ଚଳିକ ଗଣମାଧ୍ୟମ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ରହିଛି। ଆଗାମୀ ଦିନରେ ‘ସମ୍ବାଦ’ ନିଜର ଏକ ମୋବାଇଲ ଆପ୍ ଲଞ୍ଚ କରିବାକୁ ଯାଉଥିବା ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଥିଲେ। ସଭାପତି ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, କାହାରିକୁ ତାଲିମ୍ ଦେଇ ସଫଳ କରି ହେବ ନାହିଁ। ବୃତ୍ତି ପାଇଁ ପ୍ରବୃତ୍ତିର ଆବଶ୍ୟକତା ରହିଛି। ବୃତ୍ତି ଓ ପ୍ରବୃତ୍ତିର ମିଳନ ନ ହେଲେ ଜଣେ ଯେତେ ମେଧାବୀ ହୋଇଥିଲେ ହେଁ ସଫଳ ହୋଇପାରିବ ନାହିଁ। ଆଜିର ସମୟରେ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି। ବିଶେଷକରି ଗଣମାଧ୍ୟମଗୁଡ଼ିକୁ କବଳିତ କରିବା ପାଇଁ ଉଦ୍ୟମ ଚାଲିଛି। ପ୍ରଶାସକଙ୍କଠାରୁ ରାଜନେତା, ପୁଞ୍ଜିବାଦୀ ଓ ଏନ୍ଜିଓ ଭଳି ସଂସ୍ଥା ଗଣମାଧ୍ୟମକୁ ନିଜ ହାତମୁଠାରେ ରଖିବା ପାଇଁ ଚାହୁଛନ୍ତି। ତେଣୁ ଏ ବିପଦକୁ କିଛି ମାତ୍ରାରେ ଦୂରେଇ ରଖିବା ପାଇଁ ଉଦ୍ୟମ ହେବା ଦରକାର। ସାମ୍ବାଦିକତା ବୃତ୍ତି ଅନ୍ୟ ବୃତ୍ତିଠାରୁ ଭିନ୍ନ। ସାମ୍ବାଦିକତା ବୃତ୍ତିରେ ରହି ଅନ୍ୟ ବୃତ୍ତିର ସୁବିଧା ସୁଯୋଗ ସହ ତୁଳନା କଲେ ଜଣେ ସଫଳ ହୋଇପାରିବ ନାହିଁ। ଭାଷାରେ ଦଖଲ ରଖିବା ସହିତ ଅହଂଭାବ ମନରୁ ଦୂରେଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସୋମାକ୍ର ଅଧ୍ୟକ୍ଷ ଗୌରହରି ଦାସ ସ୍ୱାଗତ ଭାଷଣରେ କହିଲେ, ବର୍ତ୍ତମାନ ସୁଦ୍ଧା ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ। ଏହି ଅବସରରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ଅମ୍ରିତା କୁଣ୍ଡୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ବହୁ ଅଧିକାରୀ ଓ କର୍ମକର୍ତା ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/m15.jpg)