ସ୍ମାର୍ଟ ସିଟି ମାନ୍ୟତା ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର: ‘ଭୁବନେଶ୍ୱର’ ଆମକୁ ବିଶ୍ୱରେ ପରିଚୟ ଦେଇଛି। ସମଗ୍ର ବିଶ୍ୱରେ ସହର ୧୯ତମ ସ୍ଥାନରେ ଥିବା ବେଳେ ଭାରତରେ ୧ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଛି। ତେବେ ଏହି ମାନ୍ୟତାକୁ ବଜାୟ ରଖିବା ଦାୟିତ୍ୱ ଆମ ସମସ୍ତଙ୍କର। ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି ଆହ୍ଵାନ ରଖିଛନ୍ତି ଅତିଥିବୃନ୍ଦ।
ଖୋର୍ଧା ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ ବିଭାଗ, ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ବେସାମରିକ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ଅମାତ ଉଦ୍‌ବୋଧନ ଦେଇ କହିଲେ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସଂସ୍କୃତି ଓ କ୍ରୀଡ଼ା ସବୁଥିରେ ଭୁବନେଶ୍ୱର ଆଗେଇଛି। ସହରର ଏହି ମାନକୁ ବଜାୟ ରଖିବା ପାଇଁ ସମସ୍ତ ବାସିନ୍ଦାଙ୍କ ସହଯୋଗ ଲୋଡ଼ା ବୋଲି ସେ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପରିବେଶକୁ ଗୁରୁତ୍ୱ ଦେବା ନେଇ ମତ ରଖିଥିବା ବେଳେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟର ଅନନ୍ତ ନାରାୟଣ ଜେନା ଭୁବନେଶ୍ୱରର ବିକାଶ ପଥରେ ଆବାଳବୃଦ୍ଧ ବନିତା ସାମିଲ୍‌ ହୁଅନ୍ତୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଶୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ହେମନ୍ତ ଶର୍ମା, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀଧର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିରଂଜନ ସେଠୀ, ସନ୍ତୋଷ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ସସ୍ମିତା ମାଳି, ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ପୂର୍ବତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା, ଆଇନଜୀବୀ ପ୍ରଶାନ୍ତ କିଶୋର ରାୟ, ଡାକ୍ତର ସିଦ୍ଧାନ୍ତ କର, ଶିଳ୍ପପତି ସୁଶାନ୍ତ ପଣ୍ଡା, ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ, କ୍ରୀଡ଼ାବିତ୍‌ ଜୟନ୍ତୀ ବେହେରା, ସେବିକା ସୁଲୋଚନା ଦାସ, ଟ୍ରାଫିକ୍‌ ପୁଲିସ୍‌ ଅମାନତ ଅଲ୍ଲୀ, ପୋଷ୍ଟ୍‍ମ୍ୟାନ୍‌ ବଂଶୀଧର ସାହୁ, ଝାଡ଼ୁଦାର ମଦନ ନାୟକ ଏବଂ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ‘ଶୁଶ୍ରୂଷା’ ଅନୁଷ୍ଠାନକୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ବେସାମରିକ ପରେଡ୍‌ରେ ୫୨ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ଓଏସ୍‌ଏପି ସପ୍ତମ ବାଟାଲିୟନ ପୁଲିସ ବ୍ୟାଣ୍ଡ୍‌ ଦଳ, ସିଆର୍‌ପିଏଫ୍‌ ପୁଲିସ୍‌ ବ୍ୟାଣ୍ଡ୍‌ ଦଳ ଏବଂ ଓଡ଼ିଶା ସ୍କେଟିଂ ଏକାଡେମିର ପିଲାମାନେ ଅଂଶଗ୍ରହଣ କରିଥିଲେ। ସୁଷମା ମହାନ୍ତି ପରେଡ୍‌ ପରିଚାଳନା କରିଥିବା ବେଳେ ପ୍ରେମଲତା ନାୟକ, ହରପ୍ରିୟା ଦାସ ଏବଂ ପ୍ରଭାତୀ କୁମାରୀ ସିଂହ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ।
କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ବର୍ଷଠାରୁ ସରକାରୀ ସ୍ତରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିବାକୁ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପରେଡ୍‌ରେ ମହର୍ଷି କଲେଜ୍‌ ଅଫ୍‌ ନ୍ୟାଚୁରାଲ୍‌ ଲ’, ପଟିଆସ୍ଥିତ ସେଣ୍ଟ୍‌ ଜାଭିୟର୍ସ ଇଣ୍ଟରନ୍ୟାସ୍‌ନାଲ୍‌ କଲେଜ୍‌ ପ୍ରଥମ, ଡିଏଭି ପବ୍ଲିକ୍‌ ସ୍କୁଲ୍‌ ୟୁନିଟ୍‌ ୮ ଦ୍ୱିତୀୟ ଏବଂ ଆଇଆର୍‌ସି ଭିଳେଜ୍‌ସ୍ଥିତ ଭାଗବତ ଗୀତା ବିଦ୍ୟା ମନ୍ଦିର ତୃତୀୟ ହୋଇଥିଲେ। ବେସରକାରୀ ସ୍କୁଲ୍‌ସ୍ତରୀୟ ପ୍ରତିଯୋଗିତାରେ କିସ୍‌ର ବାଳକ ବିଭାଗ ପ୍ରଥମ, କିସ୍‌ ବାଳିକା ବିଭାଗ ଦ୍ୱିତୀୟ ଏବଂ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ରାଜଧାନୀ ପ୍ରତିଷ୍ଠା ସମୟରୁ ଏପର୍ଯ୍ୟନ୍ତ ବିକାଶ ଧାରାକୁ ନେଇ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ସନ୍ଧ୍ୟାରେ ଆଇଜି ପାର୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର